ବେଦାନ୍ତ କଂପାନୀରେ ଢିଲା ସୁରକ୍ଷା ବ୍ୟବସ୍ଥା : ହୁତୁ ହୁତୁ ହୋଇ ଜଳିଗଲା ବସ୍

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଶୂନ୍ୟ ଦୁର୍ଘଟଣା ପ୍ରବଣ କାରଖାନା ଭାବରେ ଏକାଧିକ ପୁରସ୍କାର ହାତେଇଥିବା କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ସ୍ଥିତ ବେଦାନ୍ତ ଲିମିଟେଡରେ ସୁରକ୍ଷା ବ୍ୟବସ୍ଥା କେତେ ଢିଲା ଆଜି ତାର ଏକ ନଗ୍ନ ଉଦାହରଣ କଂପାନୀରେ କାର୍ଯ୍ୟରତ କର୍ମଚାରୀ ଓ ଶ୍ରମିକମାନଙ୍କୁ ହତବାକ କରିଦେଇଛି । ମଙ୍ଗଳବାର ସନ୍ଧ୍ୟାରେ ବେଦାନ୍ତ ପ୍ଲାଣ୍ଟ ମଧ୍ୟରେ କାମ କରୁଥିବା କଂପାନୀର କର୍ମଚାରୀମାନଙ୍କୁ ଆଣିବାକୁ ଯାଇଥିବା ଏକ ବସ୍ ହଠାତ୍ ହୁ ହୁ ହୋଇ ଜଳିପୋଡ଼ି ପାଉଁଶ ହୋଇଯାଇଛି । ବେଦାନ୍ତ ରିଫାଇନେରୀ ପ୍ଲାଣ୍ଟର ୱାର୍କସପ୍ ନିକଟରେ ଏଇ ଅଗ୍ନିକାଣ୍ଡ ଘଟିଥିବାବେଳେ ଏଥିରେ ଚାଳକ ଜଣକ ଅଳ୍ପକେ ବର୍ତ୍ତିଯାଇଛନ୍ତି । ସୌଭାଗ୍ୟବଶତଃ ବସ୍ ରେ ସେତେବେଳେ ଜଣେ ଚାଳକଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି କର୍ମଚାରୀ ନଥିବାରୁ ଏକ ବଡ଼ଧରଣର ଅଘଟଣ ଟଳିଯାଇଛି । କଂପାନୀର ଅଗ୍ନିଶମ ବିଭାଗ ଆସି ନିଆଁ ଲିଭାଇଥିବା ଜଣାପଡ଼ିଛି । ଏ ସଂପର୍କରେ ବେଦାନ୍ତ ଲିମିଟେଡ୍ ଲୋକ ସଂପର୍କ ବିଭାଗ ମୁଖ୍ୟ ଅଂଶୁମାନ ଏନ୍ ଙ୍କୁ ପଚରାଯିବାରୁ ସେ ବସ୍ ଜଳିଯିବା ଘଟଣାକୁ ସ୍ବୀକାର କରିବା ସହିତ ଏହା ଏକ ପୁରୁଣା ବସ୍ ଏବଂ ସର୍ଟସର୍କିଟ ଯୋଗୁଁ ଏଥିରେ ନିଆଁ ଲାଗିଯାଇଥିଲା । ଏଥିରେ କାହାର କିଛି କ୍ଷୟକ୍ଷତି ହୋଇନାହିଁ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ, ସୋମବାର ମଧ୍ୟ ବେଦାନ୍ତ ଲିମିଟେଡ ଅଧୀନରେ କାମ କରୁଥିବା ରାୟଗଡ଼ା ଜିଲ୍ଲା ପୁରୁଣା ଅମ୍ବାଦଳାର ସିକେନ୍ଦ୍ର ସୁନା ନାମକ ଜଣେ ଶ୍ରମିକଙ୍କ ଗୋଡ଼ରେ ଏକ ମେସିନ ପଡ଼ିଯିବାରୁ ତାଙ୍କର ଗୋଡ଼ ଭାଙ୍ଗିଯାଇଛି, ତାଙ୍କୁ ଗୁରୁତର ଭାବେ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି । ତେବେ ଏସବୁ ଘଟଣାଗୁଡ଼ିକୁ କଂପାନୀ କର୍ତ୍ତୃପକ୍ଷ ଚପାଇଦେବାକୁ ଉଦ୍ୟମ କରିବାକୁ ସାଧାରଣରେ ନାପସନ୍ଦ କରାଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.