୨୬/୧୧ ମୁମ୍ବାଇ ଆକ୍ରମଣକୁ ମନେ ପକେଇଲେ ପ୍ରଧାନମନ୍ତ୍ରୀ ମୋଦୀ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ‘ମନ୍ କି ବାତ୍’ର ୧୦୭ତମ ସଂସ୍କରଣକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏହି ଅବସରରେ ମୁମ୍ବାଇରେ ହୋଇଥିବା ୨୬/୧୧ ଆତଙ୍କବାଦୀ ଆକ୍ରମଣର ସହିଦମାନଙ୍କୁ ସ୍ମରଣ କରିଛନ୍ତି ମୋଦୀ । ଏହି ଘଟଣାକୁ ସବୁଠାରୁ ଭୟଙ୍କର ଆତଙ୍କବାଦୀ ଆକ୍ରମଣ ବୋଲି ଅଭିହିତ କରିବା ସହ ନଭେମ୍ବର ୨୬ ତାରିଖ ଆଜିର ଦିନକୁ ଆମେ କେବେବି ଭୁଲିପାରିବୁ ନାହିଁ। ଏହି ଦିନ ହିଁ ଦେଶ ସବୁଠାରୁ ଜଘନ୍ୟ ଆତଙ୍କବାଦୀ ଆକ୍ରମଣର ଶିକାର ହୋଇଥିଲା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଏହି ଆକ୍ରମଣରେ ପ୍ରାଣ ହରାଇଥିବା ସମସ୍ତ ବ୍ୟକ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।ଏହା ସହ ଏହି ଆକ୍ରମଣରେ ଯେଉଁ ବୀରମାନେ ଶହୀଦ ହୋଇଥିଲେ ଆଜି ଦେଶ ସେମାନଙ୍କୁ ସ୍ମରଣ କରୁଛି ବୋଲି ମନ୍ କି ବାତ ର ୧୦୭ତମ ସଂସ୍କରଣରେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ୨୬/୧୧ ଆତଙ୍କବାଦୀ ଆକ୍ରମଣରେ ସମଗ୍ର ଦେଶ ସ୍ତବ୍ଧ ହୋଇଯାଇଥିଲା । ଏହି ଘଟଣାରୁ ମୁକୁଳିବା ପାଇଁ ନିଜର ସାମର୍ଥ୍ୟ ପ୍ରୟୋଗ କରିଛି ଭାରତ । ଏବେ ଆତଙ୍କବାଦକୁ ଦମନ କରିବା ପାଇଁ ସେହି ସାହସର ବ୍ୟବହାର କରୁଛି ବୋଲି ‘ମନ୍ କି ବାତ୍’ ଅଧିବେଶନରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି । ସେଦିନ ଥଲା ନଭେମ୍ବର ୨୬ ତାରିଖ । ୪ଦିନ ଧରି ଗୁଳିମାଡ ଓ ବୋମା ବିସ୍ଫୋରଣରେ ଥରି ଉଠିଥିଲା ପୁରା ମାୟାନଗରୀ ।  ସାଉଥ ମୁମ୍ବାଇର ଛତ୍ରପତି ଶିବାଜୀ ଟର୍ମିନସ୍, ଓବରଏ ଟ୍ରାଇଡେଣ୍ଟ, ତାଜ୍ ପ୍ୟାଲେସ୍ ଆଣ୍ଡ ଟାଓ୍ବର, ଲିଓପାର୍ଡ କାଫେ, କାମା ହସ୍ପିଟାଲ, ନରିମାନ ହାଉସ୍, ମେଟ୍ରୋ ସିନେମା, ଟାଇମ୍ସ ଅଫ ଇଣ୍ଡିଆ ବିଲ୍ଡିଂର ପଛ ଲେନ୍ ଓ ସେଣ୍ଟ ଜାଭିୟର କଲେଜରେ ହୋଇଥିଲା ଆକ୍ରମଣ । ମୁମ୍ବାଇ ପୋର୍ଟ ଏରିଆରେ ଓ ଭାଇଲ ପାରଲେଠାରେ ଏକ ଟ୍ୟାକ୍ସିରେ ବିସ୍ଫୋରଣ କରିଥିଲେ ଆତଙ୍କବାଦୀ । ଏହି ଆକ୍ରମଣରେ ପ୍ରାୟ ୧୭୫ ଜଣଙ୍କ ମୃତ୍ୟୁ ହୋଇଥିଲା । ୩ ଶହରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇଥିଲେ । ୯ ଆତଙ୍କବାଦୀ ବି ନିହତ ହୋଇଥିଲେ । ବିସ୍ଫୋରଣର ମାଷ୍ଟର ମାଇଣ୍ଡ ୨୧ ବର୍ଷୀୟ ପାକିସ୍ତାନୀ ଆତଙ୍କବାଦୀ ଅଜମଲ ଅମୀର କସବଙ୍କୁ ଗିରଫ କରିଥିଲା ମୁମ୍ବାଇ ପୋଲିସ । ମେ ୨୦୧୦ରେ, କାସାବଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା ଏବଂ ଦୁଇ ବର୍ଷ ପରେ, ତାଙ୍କୁ ପୁଣେର ଏକ ସର୍ବାଧିକ ସୁରକ୍ଷା ଜେଲରେ ଫାଶୀ ଦିଆଯାଇଥିଲା । ମୁମ୍ବାଇ ଆକ୍ରମଣ ଘଟଣା ପରେ ଭାରତର ତଟ୍ଟସୁରକ୍ଷା ଓ ଆଭ୍ୟନ୍ତରୀଣ ସୁରକ୍ଷା ଭିତ୍ତିଭୂମି ଦୃଢ଼ କରିବାକୁ ପଦକ୍ଷେପ ନେଇଥିଲେ କେନ୍ଦ୍ର ସରକାର ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.