କ୍ରିକେଟ ଛାଡ଼ି ରାଜନୀତିରେ ଯୋଗଦେବେ ମହମ୍ମଦ ସାମି!

ଓଡ଼ିଆ ବାର୍ତ୍ତା/ ମୁମ୍ବାଇ : କ୍ରିକେଟ ଛାଡ଼ି ରାଜନୀତିରେ ଯୋଗ ଦେବେ ବୋଲର ମହମ୍ମଦ ସାମି । ନିକଟରେ ସେ ଦିଲ୍ଲୀର ଏକ ଉତ୍ସବରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ଭେଟିଛନ୍ତି । ଭାଜପାର ବରିଷ୍ଠ ନେତାଙ୍କ ସହ କିଛି ଫଟୋକୁ ନିଜେ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି ସାମି , ଯାହା ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି । ଭାଜପା ନେତାଙ୍କ ସହ ସାମିଙ୍କ ଫଟୋ ସାମ୍ନାକୁ ଆସିବା ପରେ ଭାରତୀୟ ବୋଲର କ୍ରିକେଟ ଛାଡି ରାଜନୀତିରେ ପ୍ରବେଶ କରିବେ କି ବୋଲି ଆଲୋଚନା ତୀବ୍ର ହୋଇଛି । ବିଶ୍ୱକପ ୨୦୨୩ରେ ଚମତ୍କାର ପ୍ରଦର୍ଶନ ପରଠାରୁ ମହମ୍ମଦ ଶାମି ଖୁବ୍ ଚର୍ଚ୍ଚାରେ ଅଛନ୍ତି । ନିକଟରେ ଭାଜପା ନେତା ଅନିଲ ବାଲୁନି ତାଙ୍କ ବାସଭବନରେ ଉତ୍ତରାଖଣ୍ଡର ଏକ ପାରମ୍ପରିକ ପର୍ବ ଇଗାସ ଉତ୍ସବର ଆୟୋଜନ କରିଥିଲେ । ଏହି ଉତ୍ସବରେ ସାମି, ବଲିଉଡର ଗାୟକ ଜୁବିନ ନୈଟିୟାଲ, ସ୍ୱରାଷ୍ଟ୍ରମନ୍ତ୍ରୀ ଶାହା ଏବଂ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ଅଂଶଗ୍ରହଣ କରିଥିଲେ । ସାମ୍ପ୍ରତିକ ସ୍ଥିତି ସୂଚାଇ ଦେଇଛି ମହମ୍ମଦ ସାମି ଭାଜପାରେ ଯୋଗ ଦେଇପାରନ୍ତି । ନିକଟରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ବିଶ୍ୱକପରେ ତାଙ୍କର ଚମତ୍କାର ପ୍ରଦର୍ଶନକୁ ସମ୍ମାନ ଜଣାଇବା ପାଇଁ ସାମିଙ୍କ ନିଜ ସହର ଆମ୍ରୋହାଠାରେ କ୍ରିକେଟ ଷ୍ଟାଡିୟମ ନିର୍ମାଣ ପାଇଁ ଯୋଜନା ଘୋଷଣା କରିଥିଲେ । ବିଶ୍ୱକପରେ ମୋଟ ୨୪ ୱିକେଟ ନେଇ ସାମି ଇତିହାସ ସୃଷ୍ଟି କରିଥିଲେ । ତେବେ ବିଶ୍ୱକପ ଫାଇନାଲରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତୀୟ ଦଳକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା । ଫାଇନାଲରେ ହାରିଯିବା ପରେ ମଧ୍ୟ ଦେଶର ଲୋକମାନେ ଟିମ ଇଣ୍ଡିଆକୁ ଉତ୍ସାହିତ କରିଥିଲେ । ସମସ୍ତ ଖେଳାଳିଙ୍କ ସଂଘର୍ଷକୁ ପ୍ରଶଂସା କରିଥିଲେ । ଦଳର ପରାଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡ୍ରେସିଂ ରୁମରେ ଭାରତୀୟ ଖେଳାଳିଙ୍କୁ ଭେଟି ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ପ୍ରଧାନମନ୍ତ୍ରୀ ଦଳର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡଙ୍କ ସହ ରୋହିତ ଶର୍ମା, ବିରାଟ କୋହଲି, କେ.ଏଲ ରାହୁଲ, ରବିନ୍ଦ୍ର ଜାଡେଜା, ମହମ୍ମଦ ଶାମିଙ୍କ ସହ ଅନ୍ୟ ଖେଳାଳିଙ୍କୁ ମଧ୍ୟ ଭେଟିଥିଲେ । କିନ୍ତୁ ଏସବୁ ମଧ୍ୟରେ ସାମିଙ୍କୁ ଅଧିକ ଆଲୋଚନା କରାଯାଇଥିଲା । କାରଣ ପ୍ରଧାନମନ୍ତ୍ରୀ ସାମିଙ୍କୁ ଡ୍ରେସିଂ ରୁମରେ ଆଲିଙ୍ଗନ କରିଥିଲେ, ଯାହାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.