ହାଉଜଖାସ ଜଗନ୍ନାଥ ମନ୍ଦିରରେ ବୋଇତ ବନ୍ଦାଣ ଉତ୍ସବ ପାଳିତ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ନୂଆଦିଲ୍ଲୀର ହାଉଜଖାସ ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ପର୍ବ ଓ ବୋଇତ ବନ୍ଦାଣ ଉତ୍ସବ ମହାସମାରୋହରେ ପାଳିତ ହୋଇଛି । ମନ୍ଦିର ପରିଚାଳନା କମିଟି ଶ୍ରୀ ନୀଳାଚଳ ସେବା ସଂଘ ଦ୍ୱାରା ଆୟୋଜିତ ଏହି ମହୋତ୍ସବରେ ଦିଲ୍ଲୀ ଏବଂ ଜାତୀୟ ରାଜଧାନୀ କ୍ଷେତ୍ରର ଶତାଧିକ ଓଡ଼ିଆ ଓ ଅଣଓଡ଼ିଆ ଜନସାଧାରଣ ସେମାନଙ୍କର ପରିବାର ବର୍ଗ ଓ ବନ୍ଧୁପରିଜନ ଙ୍କ ସହିତ ସାମିଲ ହୋଇଥିବାର ଦେଖିବାକୁ ମିଳିଛି । ଚଳିତବର୍ଷ ର ପାର୍ବଣରେ ଭାଗ ନେଇଥିବା ଦର୍ଶକମାନଙ୍କ ମଧ୍ୟରେ ପ୍ରବଳ ଆନନ୍ଦ, ଉତ୍ସାହ ଦେଖିବାକୁ ମିଳିଛି । ଏହି ଉପଲକ୍ଷେ ବୋଇତ ବନ୍ଦାଣ ର ସ୍ଥଳ ମନ୍ଦିର ପାର୍ଶ୍ୱବର୍ତ୍ତୀ ଫୁଆରା ର ଚାରିପଟ ଏବଂ ସମ୍ପୂର୍ଣ୍ଣ ମନ୍ଦିର ବେଢାକୁ ଖୁବ୍ ସୁନ୍ଦର ଭାବେ ସଜାଯାଇଥିଲା । ସମଗ୍ର ପରିବେଶ ଅତ୍ୟନ୍ତ ଭକ୍ତିପୁତ ଓ ଉତ୍ସବ ମୁଖର ହୋଇପଡିଛି । ବଡି ଭୋରରୁ ପୂଜାରୀମାନେ ମୁଖ୍ୟ ମନ୍ଦିର ମଧ୍ୟରେ ଚାରି ଦିଅଁଙ୍କର ସାମ୍ନାରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିଥିଲେ । ଏହାପରେ ଫୁଆରା ର ପୋଖରୀରେ ଭାସମାନ ଥିବା ସୁନ୍ଦର ଓ ସୁସଜ୍ଜିତ ବୋଇତ ଟିକୁ ପୁଜା କରାଯାଇଥିଲା । ଉପସ୍ଥିତ ମହିଳା ମାନେ ବୋଇତ ର ବନ୍ଦାପନା କାର୍ଯ୍ୟ ସମ୍ପନ୍ନ କରିଥିଲେ । ଏହାପରେ ସମାରୋହର ମୁଖ୍ୟ ଆୟୋଜକ ତଥା ମନ୍ଦିରର ସମ୍ପାଦକ ରବିନ୍ଦ୍ର ନାଥ ପ୍ରଧାନଙ୍କର ତତ୍ୱାବଧାନ ରେ ସମ୍ମାନୀତ ଅତିଥିବୃନ୍ଦ ପାରମ୍ପରିକ ଢଙ୍ଗରେ ‘ଆ-କା-ମା-ବୈ’ ଧ୍ୱନୀ ଉଚ୍ଚାରଣ କରିବା ସହିତ ସୁଶୋଭିତ ବୋଇତଟିର ଯାତ୍ରାର ଶୁଭାରମ୍ଭ କରାଇଥିଲେ ।ସମଗ୍ର ଗଗନ ପବନ ହରିବୋଲ, ହୁଳହୁଳି ଏବଂ ଶଙ୍ଖଧ୍ଵନୀ, ଭଜନ-କୀର୍ତ୍ତନ ର ସୁଲଳିତ ସ୍ୱର ଝଙ୍କାର ତଥା ଘଣ୍ଟ, ଝାଞ୍ଜ ଓ ମୃଦଙ୍ଗ ଆଦି ବାଦ୍ୟ ର ଘୋର ଘର୍ଗର ନାଦରେ ପ୍ରକମ୍ପିତ ହୋଇ ଉଠିଥିଲା । ଓଡ଼ିଆ ଜାତିର ମାନ, ସମ୍ମାନ ଓ ସ୍ୱାଭିମାନ ର ପ୍ରତୀକ ବୋଇତ ଟି ଫୁଆରା ର ଚତୁପାର୍ଶ୍ୱରେ ପରିଭ୍ରମଣ କରିବାର ଦୃଶ୍ୟ ବେଶ ନିଆରା ଓ ମର୍ମସ୍ପର୍ଶୀ ଥିଲା । ଅତୀତରେ ଓଡ଼ିଶାର ସାଧବ ପୁଅମାନେ ସୁଦୂର ଜାଭା, ସୁମାତ୍ରା ,ବାଲି ଓ ବୋର୍ଣ୍ଣିଓ ଆଦି ଦ୍ବୀପ କୁ ବେପାର ବଣିଜ ପାଇଁ ଯାତ୍ରା କରୁଥିବାର ସାଙ୍କେତିକ ଝଲକ ଏଠାରେ ମିଳିଥିଲା । ସମାରୋହର ବିଶେଷ ଆକର୍ଷଣ ଓଡିଶାରୁ ଆସିଥିବା ମୟୂରୀ ଟ୍ରୁପ ର ମନଲୋଭା ସମ୍ବଲପୁରୀ ଲୋକନୃତ୍ୟ ପରିବେଷଣ ଥିଲା । ସମଗ୍ର କାର୍ଯ୍ୟକ୍ରମକୁ ସ୍ୱର୍ଣ୍ଣ ପ୍ରଭା ପତି ସୁଚାରୁ ରୂପେ ସଂଚାଳନା କରିଥିଲେ । ଏହି ଅବସରରେ ଉପସ୍ଥିତ ଶ୍ରଦ୍ଧାଳୁମାନଙ୍କୁ ମନ୍ଦିର ତରଫରୁ ସ୍ୱାଦିଷ୍ଟ ହବିଷ ପ୍ରସାଦ ପରଷା ଯାଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.