ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଉଦୀୟମାନ ଯୁବ ଲେଖକ ଡିଲେଶ୍ୱର ରଣା ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର। ଗଳ୍ପ ସଂକଳନ ‘ସେଁର୍ରା’ ପାଇଁ ଓଡ଼ିଆ ଭାଷାରେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ଏନେଇ ଏକାଡେମୀ ପକ୍ଷରୁ ଗଠିତ ବିଚାରକ ମଣ୍ଡଳୀରେ ବିଶିଷ୍ଟ ଲେଖକ ବିଭୁତି ପଟ୍ଟନାୟକ, ଗୋବିନ୍ଦ ଚନ୍ଦ୍ର ଚାନ୍ଦ ଓ ଦାଶ ବେନହୁର ରହିଥିବା ବେଳେ ସର୍ବସମ୍ମତି କ୍ରମେ ‘ସେଁର୍ରା’ ପୁସ୍ତକକୁ ଚୟନ କରିଥିଲେ। ଏହାକୁ ଏକାଡେମୀ ସଭାପତି ମାଧବ କୌଶିକ ଅନୁମୋଦନ କରିଛନ୍ତି। ଏକ ସ୍ୱତନ୍ତ୍ର ଉତ୍ସବରେ ଶ୍ରୀ ରଣାଙ୍କୁ ତାମ୍ର ଫଳକ ସହ ୫୦ହଜାର ଟଙ୍କାର ଚେକ୍ ସହ ସମ୍ବର୍ଦ୍ଧିତ କରାଯିବ ବୋଲି ଏକାଡେମୀ ସଚିବ ଡ. କେ ଶ୍ରୀନିବାସରାଓ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି।
କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ଧଅଁରାମାଲ ଗ୍ରାମର ବ୍ରଜ ରଣା ଓ ବିଦୁସୁତା ରଣାଙ୍କ ସୁପୁତ୍ର ଡିଲେଶ୍ବର ଗଳ୍ପ ଓ କବିତା ରଚନା ସହ ଅଭିନୟ, ସାହିତ୍ୟ ସଂଗଠନ ଆଦିରେ ସକ୍ରିୟ ରହିଛନ୍ତି। ତାଙ୍କର ଟାଇମପାସ ପ୍ରକାଶିତ ଗଳ୍ପ ସଂକଳନ ‘ସେଁର୍ରା’ ଓ ନେସନାଲ୍ ବୁକ୍ ଟ୍ରଷ୍ଟ ପ୍ରକାଶିତ ଉପନ୍ୟାସ ‘ମେଳିଭୂଇଁ’ ବିପୁଳ ପାଠକୀୟତା ଲାଭ କରିଛି। ‘ସେଁର୍ରା’ ସଂକଳନର ଶୀର୍ଷକ ଗଳ୍ପକୁ ନେଇ ପ୍ରସ୍ତୁତ ଟେଲିଫିଲ୍ମ ଦୂରଦର୍ଶନରେ ପ୍ରକାଶିତ ହୋଇ ବେଶ୍ ଆଦୃତ ହୋଇଛି। ସାରସ୍ୱତ ସାଧନା ପାଇଁ ଡିଲେଶ୍ୱର ପିଏମ୍ ୟୁବା ମେଣ୍ଟରସିପ୍, କଥା ନବପ୍ରତିଭା ପୁରସ୍କାର, କାଦମ୍ବିନୀ ଗଳ୍ପ ଉନ୍ମେଷ ପୁରସ୍କାର, ତପସ୍ୟା ସମ୍ଭାବନା ପୁରସ୍କାର, ପଲ୍ଲବନ ଶବ୍ଦ ସମ୍ମାନ, ଦେବଗିରି ଯୁବ ପୁରସ୍କାର, କଳାହାଣ୍ଡି ଯୁବ ପ୍ରତିଭା ପୁରସ୍କାର ପାଇବା ସହ କେନ୍ଦ୍ର ସାହିତ୍ୟ ଏକାଡେମୀର ଯୁବସହିତି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିସାରିଛନ୍ତି। ସେହିପରି ଦେଶର ବିଭିନ୍ନ ମଞ୍ଚରେ ଅଭିନୟ କରିବା ସହ ବଲିଉଡ ଫିଲ୍ମ ‘ଏ ରେଡ୍ ଶାର୍ଟ’ରେ ଅଭିନେତା ରଘୁବୀର ଯାଦବଙ୍କ ସହ ଅଭିନୟ କରିଛନ୍ତି। ସଂପ୍ରତି ଭବାନୀପାଟଣା ବ୍ଲକ ଅନ୍ତର୍ଗତ କୁଟେନପଦର ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରିବା ସହ ଆକାଶବାଣୀ ଭବାନୀପାଟଣାର ଚାଷବାସ ଉପସ୍ଥାପକ ଏବଂ ଗ୍ଲୋବାଲ୍ ଲାଇଫରେଚର୍ ଫାଉଣ୍ଡେସନର ଆବାହକ ଅଛନ୍ତି।