ଡିସେମ୍ବର ୧୦ରେ ରାୟଗଡ ସାହିତ୍ୟ ମହୋତ୍ସବ

ଉନ୍ମୋଚିତ ହେଲା ଲୋଗୋ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଠାରେ ଆୟୋଜିତ ହେବାକୁ ଥିବା ରାଜ୍ୟ ସ୍ତରୀୟ ସାହିତ୍ୟ ସମାରୋହ “ରାୟଗଡ ସାହିତ୍ୟ ମହୋତ୍ସବ”ର ଲୋଗୋ ଉନ୍ମୋଚନ ପର୍ବ ଆଜି ଅନୁଷ୍ଠିତ ହୋଇଯାଇଛି । ମହୋତ୍ସବର ଅଧ୍ୟକ୍ଷ ଡ଼ଃ ଦୁଷ୍ମନ୍ତ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ନ୍ୟୁ କଲୋନୀ ପୂଜା କମିଟି ସମ୍ମିଳନୀ କକ୍ଷରେ ଆୟୋଜିତ ସମାରୋହରେ ସମ୍ପାଦକ ସୁଶାନ୍ତ କୁମାର ନାୟକ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିଲେ । ପରେ ସାଙ୍ଗଠନିକ ସମ୍ପାଦକ ଦ୍ବିତୀ ଚନ୍ଦ୍ର ସାହୁ ସାହିତ୍ୟ ମହୋତ୍ସବର ରୂପରେଖ ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ଡ଼ଃ ଦୁଷ୍ମନ୍ତ କୁମାର ନାୟକଙ୍କ ନେତୃତ୍ବରେ ସମସ୍ତ ସଦସ୍ୟସଦସ୍ୟାଙ୍କ ଉପସ୍ଥିତିରେ ରାୟଗଡ ସାହିତ୍ୟ ମହୋତ୍ସବର ଲୋଗୋ ଉନ୍ମୋଚିତ ହୋଇଥିଲା । ଏହି ଲୋଗୋକୁ କବି ତଥା କଳା ବିଶେଷଜ୍ଞ ହିମାଂଶୁ ଶେଖର ପଣ୍ଡିଆ ପ୍ରସ୍ତୁତ କରିଛନ୍ତି । ଏଥିରେ ରାୟଗଡ ଓ ସାହିତ୍ୟର ମହକ ରହିଥିବା ଆୟୋଜକଙ୍କ ପକ୍ଷରୁ ସୂଚନା ପ୍ରଦାନ ସହ ଶ୍ରୀଯୁକ୍ତ ପଣ୍ଡିଆଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରାଯାଇଥିଲା । ଆସନ୍ତା ଡିସେମ୍ବର ୧୦ ତାରିଖ ସ୍ଥାନୀୟ ରାୟଗଡ ୟୁଜିଏମଆଇଟି ସମ୍ମିଳନୀ ପ୍ରକୋଷ୍ଠରେ ଏକ ଦିବସ ସାହିତ୍ୟ ସମାରୋହ ମୁଖ୍ୟତଃ ତିନି ପର୍ଯ୍ୟାୟରେ ଆୟୋଜିତ ହେବ । ଉଦଘାଟନୀ ସମାରୋହରେ ଶ୍ରୀମନ୍ଦିର, ପୁରୀର ପ୍ରଶାସକ ରଞ୍ଜନ କୁମାର ଦାସ ଉଦଘାଟକ ଭାବେ ଏବଂ ବିଶିଷ୍ଟ ଗାଳ୍ପିକ ଗୌରହରି ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେବେ । ଏଥିରେ ମହୋତ୍ସବର ଅନ୍ୟତମ ଉପଦେଷ୍ଟା ଅଶୋକ କୁମାର ଶାରଦା ସମ୍ମାନିତ ଅତିଥି ଭାବେ ଯୋଗଦେବେ । ଦ୍ବିତୀୟ ପର୍ଯ୍ୟାୟ ଗଳ୍ପ ଅଧିବେଶନରେ ବିଶିଷ୍ଟ କଥାକାର ସଦାନନ୍ଦ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଏବଂ ଅନ୍ୟତମ ବିଶିଷ୍ଟ ଗାଳ୍ପିକ ରବି ପଣ୍ଡା ଓଡ଼ିଆ ଗଳ୍ପ ଉପରେ ଭିତ୍ତି ବକ୍ତବ୍ୟ ପ୍ରଦାନ କରିବେ । ଏଥିରେ ମହୋତ୍ସବର ଅନ୍ୟତମ ଉପଦେଷ୍ଟା କୀର୍ତ୍ତି ଚନ୍ଦ୍ର ସାହୁ ଅଧ୍ୟକ୍ଷତା କରିବେ । ସେହିପରି ତୃତୀୟ ପର୍ଯ୍ୟାୟ କବିତା ଅଧିବେଶନରେ ସ୍ଵନାମଧନ୍ୟା କବିୟତ୍ରୀ ପ୍ରତିଧାରା ସାମଲ ମୁଖ୍ୟ ଅତିଥି ଭାବେ କବି ରବି ଶତପଥୀ ଓଡ଼ିଆ କବିତା ଉପରେ ଭିତ୍ତି ବକ୍ତବ୍ୟ ପ୍ରଦାନ କରିବେ ଏବଂ ବରିଷ୍ଠ କବି ଚକ୍ରପାଣି ପରିଛା ସମ୍ମାନିତ ଅତିଥି ଭାବେ ଯୋଗ ଦେବେ । ଚଳିତ ବର୍ଷ ପ୍ରଥମ ରାୟଗଡ ସାହିତ୍ୟ ସମ୍ନାନ ବିଶିଷ୍ଟ ଗାଳ୍ପିକ ଗୌରହରି ଦାସଙ୍କୁ ପ୍ରଦାନ କରାଯିବା ନେଇ ସାହିତ୍ୟ ମହୋତ୍ସବ କମିଟି ପକ୍ଷରୁ ଘୋଷଣା କରାଯାଇଛି । ମହୋତ୍ସବ ପାଳନ ଅବସରରେ ଆମ ଜିଲ୍ଲାର ଲେଖକଲେଖିକାଙ୍କ ସୃଜନରେ ସମୃଦ୍ଧ ସ୍ମରଣିକା “ଶବ୍ଦରାଗ”ର ମଧ୍ୟ ଉନ୍ମୋଚନ ହେବ । ଡିସେମ୍ବର ୧୦ରେ ଆୟୋଜିତ ଏଇ ସାହିତ୍ୟ ମହୋତ୍ସବରେ ଅବିଭକ୍ତ କୋରାପୁଟ ଜିଲ୍ଲାର ସମସ୍ତ ଲେଖକଲେଖିକାମାନେ ଯୋଗ ଦେବା ଲାଗି କମିଟି ପକ୍ଷରୁ ଅନୁରୋଧ କରାଯାଇଛି । ସେହିପରି ଏଇ ଅବସରରେ ଲେଖକଲେଖିକାଙ୍କ ନିଜର ପୁସ୍ତକ ଉନ୍ମୋଚନ ହେବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମରେ ଗବେଷକ ଶ୍ରୀରଙ୍ଗ ନାୟକ, ଗୋପୀନାଥ ସାହୁ, ବିପିନ ବିହାରୀ ବିଶ୍ବାଳ, ଜୟଦେବ ସିଠ, ଦେବେନ୍ଦ୍ର ବାଉରୀ, ରବି ଶତପଥୀ, ଲାବଣ୍ୟ ପଟ୍ଟନାୟକ, ଶ୍ରୀଧର ପଟ୍ଟନାୟକ, ବିମଳ ଚାନ୍ଦ ପଟ୍ଟନାୟକ, ନୀଳମଣି ପାଟଯୋଶୀ , ତ୍ରିବେଣୀ ମିଶ୍ର, ରାଜଲକ୍ଷ୍ମୀ ଦେବୀ, ସସ୍ମିତା ମିଶ୍ର, ପଦ୍ମିନୀ ମିଶ୍ର, ଅରୁଣ ପାଣିଗ୍ରାହୀ, ପ୍ରଣତି ପାତ୍ର, ପ୍ରସନ୍ନ କୁମାର ଗନ୍ତାୟତ, ରମେଶ ଟାକରି, ହୃଷିକେଶ ରଥ, ସମେତ ରାୟଗଡର ସମସ୍ତ ଲେଖକଲେଖିକା ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.