ପ୍ରଦୂଷଣ ବଢାଇବାରେ ଚୀନ ୧ ନମ୍ବର

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଗ୍ଲୋବାଲ ଆଲାୟନ୍ସ ଅନ ହେଲଥ ଆଣ୍ଡ ପଲ୍ୟୁଶନ ଅନୁଯାୟୀ, ବିଶ୍ୱରେ ବର୍ତ୍ତମାନ ସୁଦ୍ଧା ଯେତେ ଯୁଦ୍ଧ ହୋଇ ଯାଇଛି ତା ଠାରୁ ୧୫ ଗୁଣ ଅଧିକ  ପ୍ରଭାବ ପକାଇଛି ପ୍ରଦୂଷଣ । ସେତିକି ନୁହେଁ, ଏଡ୍ସ, ଟିବି, ମ୍ୟାଲେରିଆ ପରି ରୋଗଠାରୁ ୩ ଗୁଣ ଅଧିକ ଭୟଙ୍କର ହେଉଛି ପ୍ରଦୁଷଣ । ପ୍ରଦୂଷିତ ଦେଶରେ ହେଉଥିବା ପ୍ରତି ୪ ମୃତ୍ୟୁରେ ଗୋଟିକର କାରଣ ହେଉଛି ପ୍ରଦୂଷଣ । ତେଣୁ ଏହା ଉପରେ ଚର୍ଚ୍ଚା ଏବଂ ନିଷ୍ପତ୍ତି ନେବା ଜରୁରୀ ହୋଇପଡିଛି । ପ୍ରଦୂଷଣରେ ଚୀନ ସବୁଠାରୁ ଆଗରେ । ଏହି ଦେଶ ଏକୁଟିଆ ଅନେକ ଦେଶଠାରୁ ଅଧିକ ପ୍ରଦୂଷଣ ସୃଷ୍ଟି କରୁଛି । ୨ ନମ୍ବରରେ ରହିଥିବା ଆମେରିକାର ଗ୍ରୀନ ହାଉସ ଗ୍ୟାସ ନିର୍ଗମନ ମଧ୍ୟ ଏହାର ଅଧାରୁ କମ ରହିଛି । ଚୀନରୁ ପ୍ରତିବର୍ଷ ୧୩ ବିଲିୟନ ମେଟ୍ରିକ ଟନ କାର୍ବନ ଡାଇଅକ୍ସାଇଡ ସୃଷ୍ଟି ହୋଇଥାଏ । ୧୮୫୦ରୁ ବର୍ତ୍ତମାନ ସୁଦ୍ଧା ୩ ଶହ ବିଲିଅନ ଟନ ବିଷାକ୍ତ ଗ୍ୟାସ ନିର୍ଗମନ କରିଛି ।ଆମେରିକାରେ ଯେହେତୁ ପ୍ରଥମେ ଶିଳ୍ପର ଆରମ୍ଭ ହୋଇଥିଲା ତେଣୁ ଏହାର ମୋଟ କାର୍ବନ ନିର୍ଗମନ ଚୀନଠାରୁ ଅଧିକ । ଥିଙ୍କ ଟ୍ୟାଙ୍କ ରୋଡିୟମ ଗ୍ରୁପର କହିବା ଅନୁଯାୟୀ, ଏକ ପ୍ରତିଶତ ଆମେରିକୀୟ ବର୍ଷରେ ପାଖାପାଖି ସାଢେ ୧୭ ଟନ ବିଷାକ୍ତ ଗ୍ୟାସ ନିର୍ଗମନ କରନ୍ତି । ଅନ୍ୟପକ୍ଷେ ଚୀନର ସମାନ ସଂଖ୍ୟକ ଲୋକ ୧୦ ଟନ ବିଷାକ୍ତ ଗ୍ୟାସ ନିର୍ଗମନ କରନ୍ତି । ତେଣୁ ଦେଖିବାକୁ ଗଲେ ଆମେରିକା ଏବଂ ଚୀନ ପାଇଁ ବିଶ୍ୱରେ ସବୁଠାରୁ ବେଶି ପ୍ରଦୂଷଣ ବ୍ୟାପୁଛି ଯାହା ଜଳବାୟୁ ପରିବର୍ତ୍ତନର କାରଣ ହୋଇଛି । ଖାଲି ଧନୀ ରାଷ୍ଟ୍ର ନୁହେଁ, ଧନୀ ଲୋକମାନେ ହିଁ ଗ୍ରୀନହାଉସ ଗ୍ୟାସ ନିର୍ଗମନର କାରଣ ଅଟନ୍ତି ବୋଲି କୁହାଯାଇଛି ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.