ସର୍ଵ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ 

ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ଶୂନ୍ୟ ସପ୍ତାହ ପାଳିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ରାଜ୍ୟର ଯୁବ ସମାଜଙ୍କ ମଧ୍ୟରେ ସାମାଜିକ ପ୍ରତିବଦ୍ଧତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଯୁବ ଶକ୍ତିକୁ ଗୁରୁତ୍ଵ ଦେଇଛନ୍ତି ରାଜ୍ୟ ସରକାର। ରାଜ୍ୟର ସମସ୍ତ ମହାବିଦ୍ୟାଳୟ ରେ # ନୂଆ- ଓ (ଯୁବ ଓଡ଼ିଶା – ନବୀନ ଓଡ଼ିଶା) କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ର ଛାତ୍ରୀ ଙ୍କୁ ଜଣେ ଜଣେ ସ୍ୱେଚ୍ଛାସେବୀ ଓ ଦାୟିତ୍ଵ ସମ୍ପନ୍ନ ନାଗରିକ ହେବା ପାଇଁ ଉଦ୍ୟମ ଆରମ୍ଭ ହେଇଛି। ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ପ୍ରକାଶିତ ମାର୍ଗଦର୍ଶିକା ଅନୁଯାୟୀ କ୍ରୀଡ଼ା, ସଂସ୍କୃତି ଓ ସାମାଜିକ କାର୍ଯ୍ୟକ୍ଷେତ୍ରରେ ଯୁବ ବର୍ଗ ଙ୍କ ଅଂଶ ଗ୍ରହଣ କୁ ପ୍ରୋତ୍ସାହିତ କରିବା ସହ ସେମାନଙ୍କୁ ରାଜ୍ୟର ବିକାଶରେ ସକ୍ରିୟ ଅଂଶୀଦାର କରିବା ଦିଗରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରା ଯାଉଛି। ଏହି କ୍ରମରେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡାସ୍ଥିତ ସର୍ବ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ  ନୂଆ – ଓ (ଯୁବ ଓଡ଼ିଶା ନବୀନ ଓଡ଼ିଶା) ତରଫରୁ ସାମାଜିକ କାର୍ଯ୍ୟ ଆନୁକୁଲ୍ୟରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ଉପଲକ୍ଷେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଜୟନ୍ତ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚେତନତା ସଭାରେ ମୂଖ୍ୟଅତିଥି ଭାବେ କଳାହାଣ୍ଡି ଆଞ୍ଚଳିକ ପରିବହନ ଅଧିକାରୀ ଗତିକୃଷ୍ଣ ସାମନ୍ତରାୟ, ମୁଖ୍ୟ ବକ୍ତା ଭାବେ ଗୋଲାମୁଣ୍ଡା ଥାନା ଅଧିକାରୀ ଶ୍ୱେତପଦ୍ମା ସେଠ୍ ଯୋଗ ଦେଇ ସଡ଼କ ସୁରକ୍ଷା ସଚେତନତା ଦିଗରେ ଆଲୋଚନା କରିବା ସହ ଛାତ୍ର ଛାତ୍ରୀ ମାନଙ୍କୁ ଦୁର୍ଘଟଣା ରୋକିବା ନିମନ୍ତେ ଉଦ୍ଧିଷ୍ଟ ନୀତି ନିୟମ ସବୁ ମାନି ଗାଡ଼ି ମଟର ବ୍ୟବହାର କରିବାକୁ ଆହ୍ବାନ ଦେଇଥିଲେ। ମଞ୍ଚାସୀନ ଅତିଥି ଭାବେ ସମାଜସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ ନିଜ ବକ୍ତବ୍ୟରେ ବିଭିନ୍ନ ସମୟରେ ଘଟୁଥିବା ସଡ଼କ ଦୁର୍ଘଟଣାରେ ନିଜେ ଆହତ ମାନଙ୍କୁ ଡାକ୍ତରଖାନା ପହଞ୍ଚାଇବାରେ ସହାୟତା କରିବା ବିଷୟରେ ବର୍ଣ୍ଣନା କରିଥିଲେ। ଅଧ୍ୟାପକ ଘନଶ୍ୟାମ ଭାଟି ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ପ୍ରାଧ୍ୟାପକ ସରୋଜ କାନ୍ତ ରଥ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଅଧ୍ୟାପକ ପ୍ରବୀର କୁମାର ରାୟ ଧନ୍ୟବାଦ ଅର୍ପଣ କରିଥିଲେ ଓ ଅଧ୍ୟାପକ ଶାନ୍ତନୁ କୁମାର ପରିଡ଼ା ମଂଚ ସଂଯୋଜନା କରିଥିଲେ। ଏହି ଉପଲକ୍ଷେ ଆୟୋଜିତ ସଚେତନତା ରାଲୀରେ ଛାତ୍ରଛାତ୍ରୀମାନେ ଭାଗ ନେଇ ପଥଚାରୀମାନଙ୍କୁ ସଡ଼କ ସୁରକ୍ଷା ସଚେତନତା ପ୍ରଚାରପତ୍ର ବାଣ୍ଟିବା ସହ ଉକ୍ତ ବିଷୟରେ ସ୍ଲୋଗାନ ଦେଇ ସଚେତନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଯଯାତି କେଶରୀ ରାଉତ, ପ୍ରମୋଦ ମହାନ୍ତି, ପ୍ରସନ୍ନ କୁମାର ପ୍ରଧାନ, ଦିଲ୍ଲୀପ କୁମାର ସ୍ବାଇଁ, କ୍ରୀଡ଼ା ଶିକ୍ଷକ ସନ୍ତୋଷ କୁମାର ବାରିକଙ୍କ ସମେତ କଳାହାଣ୍ଡି ଆଞ୍ଚଳିକ ପରିବହନ ପ୍ରାଧିକରଣ ଓ ସ୍ଥାନୀୟ ପୋଲିସ, ଅନୁଷ୍ଠାନର ସମସ୍ତ କର୍ମଚାରୀ ତଥା ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.