ଅନ୍ନପ୍ରସାଦ ମଣ୍ଡପ ନିର୍ମାଣ ନିମନ୍ତେ ଭୂମି ପୂଜନ

ଓଡ଼ିଆ ବାର୍ତ୍ତା /ରାୟଗଡା (ଶିବ ନାରାୟଣ ଗଉଡ): ରାୟଗଡା ସହରର ବିଦ୍ୟାନଗର ଦ୍ୱିତୀୟ ଗଳିରେ ଆଇଆପ୍ପା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଅନ୍ନପ୍ରସାଦ ମଣ୍ଡପ ଓ ଦୀକ୍ଷା ଗ୍ରହଣକାରୀ ଭକ୍ତଙ୍କ ବିଶ୍ରାମ ନିମନ୍ତେ ମଠ ନିର୍ମାଣ ନିମନ୍ତେ ବୁଧବାର ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରାୟଗଡାର ସହରର ସ୍ୱାମୀ ଆଇଆପ୍ପା ଦୀକ୍ଷା ଗ୍ରହଣକାରୀ ଭକ୍ତଙ୍କ ସମେତ ବୁଦ୍ଧିଜୀବି, ବ୍ୟବସାୟୀ, ରାଜନେତା ଏବଂ ଅନ୍ୟ ଶତାଧିକ ଦୀକ୍ଷା ଗ୍ରହଣକାରୀମାନେ ଯୋଗ ଦେଇ ଭୂମି ପୂଜନରେ ସାମିଲ ହୋଇଥିଲେ। ଗୁରୁସ୍ୱାମୀ ଶ୍ରୀ ଜଗନ୍ନାଥ ପ୍ରଥମେ ପୂଜାର୍ଚ୍ଚନା କରିବା ପରେ ସମସ୍ତେ ନଡିଆ ଭାଙ୍ଗିଥିଲେ। ରାୟଗଡା ନଗରରେ ସ୍ୱାମୀ ଆୟପ୍ପାଙ୍କ ଦୀକ୍ଷା ଗ୍ରହଣକାରୀଙ୍କ ଠାରୁ ଆରମ୍ଭ କରି ଶିବ ଦୀକ୍ଷା, ବଜରଙ୍ଗୀ ଦୀକ୍ଷା, ଭବାନୀ ଦୀକ୍ଷା, ଗୋବିନ୍ଦ ଦୀକ୍ଷା, ମା ମଝିଘରିଆଣୀ ଦୀକ୍ଷା, ଶ୍ରୀ କୃଷ୍ଣ ଦୀକ୍ଷା ଭଳି ଏମିତି ଆହୁରି ଅନେକ ଭଗବାନଙ୍କ ଦୀକ୍ଷା ଗ୍ରହଣ କରିଥିବା ଜିଲ୍ଳା ଭିତର ତଥା ଜିଲ୍ଳା ବାହାରୁ ଆସିଥିବା ଭକ୍ତମାନଙ୍କ ରହଣୀ ଏବଂ ଖାଦ୍ୟପେୟ ନିମନ୍ତେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଅନେକ ସମୟରେ ରାୟଗଡାକୁ ବରିଷ୍ଠ ସାଧୁସନ୍ଥମାନେ ମଧ୍ୟ ଆଗମନ କରିଥାନ୍ତି। ସେମାନଙ୍କ ମଧ୍ୟ ରହଣୀ ବ୍ୟବସ୍ଥା ପାଇଁ ଅସୁବିଧା ହେଉଥିବାରୁ ଏହାକୁ ଦୃଷ୍ଟିରେ ରଖି ସ୍ୱାମୀ ଆୟପ୍ପା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ବିଦ୍ୟାନଗରରେ ଥିବା ଏକ ଜାଗା କ୍ରୟ କରାଯାଇଥିଲା। ଆଜି ଏଠାରେ ଭୂମି ପୂଜନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଏହି ଅନ୍ନପ୍ରସାଦ ମଣ୍ଡପ ଏବଂ ମଠ ନିର୍ମାଣ ଦ୍ୱାରା ଯେ କୈାଣସି ଦୀକ୍ଷା ଗ୍ରହଣକାରୀ ଭକ୍ତଙ୍କୁ ଆଉ ପୂର୍ବଭଳି ଖାଇବା ଏବଂ ବିଶ୍ରାମ ନେବାର କୈାଣସି ପ୍ରକାର ଅସୁବିଧା ରହିବ ନାହିଁ ବୋଲି ପରିଚାଳନା କମିଟି ପକ୍ଷରୁ କୁହାଯାଇଛି। ଆଜିର ଏହି କାର୍ଯ୍ୟକ୍ରମରେ ଗୁରୁସ୍ୱାମୀ ଶ୍ରୀ ଜଗନ୍ନାଥଙ୍କ ସମେତ ସହରର ବୁଦ୍ଧିଜୀବି କିନ୍ତାଲି ଅମରନାଥ, ବିଜେପିର ଯୁବ ନେତା ବସନ୍ତ କୁମାର ଉଲାକା, କଂଗ୍ରେସର ଯୁବନେତା ଆପଲାସ୍ୱାମୀ କାଡ୍ରକା, ବିଜେଡିର ବରିଷ୍ଠ ନେତା ପି.ଗୈାରୀ ଶଙ୍କର ରାଓଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.