ମିଳିନାହିଁ ୧୦ ମାସର ଦରମା, ଅମୋଦି ଫରେଷ୍ଟ ବିଟ ୱାଚାର ଆଣିଲେ ଅଭିଯୋଗ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା ଖରିଆର ରୋଡ ରେଞ୍ଜ ଅମୋଦି ଫରେଷ୍ଟ ବିଟ ର ୱାଚାରଙ୍କୁ ୨୦୨୨ ମସିହାର ୧୦ ମାସର ଦରମା ମିଳି ନ ଥିବା ଅଭିଯୋଗ ହୋଇଛି। ପ୍ରକାଶ ଯେ ବିଭାଗ ସଦର ବ୍ଲକ ଭାଳେଶ୍ୱର ପଂଚାୟତ ଭାଳେଶ୍ୱର ଗାଁର ଓମ ପ୍ରକାଶ ସତନାମୀ (୫୫), କୁରରୁମୁଣ୍ଡା ଗାଁର ହେମରାଜ ପଟେଲ (୪୮), ଅମୋଦି ଗାଁର ପ୍ରଫୁଲ୍ଲ ପ୍ରଧାନ (୩୨) ଆମୋଦି ଫରେଷ୍ଟ ବିଟ ହାଉସର ୱାଚର ଭାବେ କାର୍ଯ୍ୟ କରୁଥିଲେ। ୨୦୨୨ ମସିହା ମାର୍ଚ୍ଚ ମାସରୁ ନଭେମ୍ବର ମାସ ପର୍ଯ୍ୟନ୍ତର ପାରିଶ୍ରମିକ ଦୀର୍ଘ ୧୦ ମାସର ଦରମା ଟଙ୍କା ତାଙ୍କୁ ମିଳି ନ ଥିବାରୁ ବାରମ୍ବାର ସେହି ସମୟର ଫରେଷ୍ଟଗାର୍ଡ, ଫରେଷ୍ଟର, ରେଞ୍ଜର ସମସ୍ତଙ୍କୁ ଜଣାଇ ଥିଲେ ହେଲେ କେହି ତାଙ୍କ କଥା ବୁଝି ନ ଥିଲେ। ଏନେଇ ଡ଼ି.ଏଫ.ଓଙ୍କୁ ଲିଖିତ ଅଭିଯୋଗ ମଧ୍ୟ କରାଯାଇଥିବା ୱାଚର ଓମ ପ୍ରକାଶ ସତନାମୀ ସୂଚନା ଦେଇଛନ୍ତି। ସେହି ସମୟର ଫରେଷ୍ଟଗାର୍ଡ କେବଳ ୨ ମାସର ଦରମା ବାବଦକୁ ୧୬,୪୦୦ ଟଙ୍କା ପ୍ରଦାନ କରି ବାକି ଟଙ୍କା ଆସିଲେ ଏକାଉଣ୍ଟକୁ ଛାଡି ଦେବି କହି ସେଠାରୁ ଟ୍ରାନ୍ସଫର ହୋଇ ପଳାଇ ଥିବା ୱାଚର ଅଭିଯୋଗ କରୁଛନ୍ତି। ୱାଚର ଜଙ୍ଗଲର ନିଆଁ ଲିଭା କାମ, ଚାରା ଦେଖରେଖା କରିବା କାମ, ଚାରାକୁ ପାଣି ଦେବା କାମ, ଜଙ୍ଗଲ ଜଗିବା କାମ, ରାତିର ପେଟ୍ରୋଲିଙ୍ଗ କାମ ଓ ଅଫିସ କାମ ସବୁ କରୁଥିଲେ। ତେବେ ଦୀର୍ଘ ୧୦ ମାସର ଦରମା ଟଙ୍କା ନ ପାଇବାରୁ ୱାଚରମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରି ଘଟଣା ବିଭିନ୍ନ ମହଲରେ ବନ ବିଭାଗ କର୍ମଚାରୀଙ୍କ କାର୍ଯ୍ୟ ଦକ୍ଷତା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଥିବାର ଚର୍ଚ୍ଚା ହେଉଛି। ସରକାରୀ ଅର୍ଥ ସଠିକ ସ୍ଥଳରେ ବ୍ୟବହାର ହେବା ଓ ସେଥିରେ ନିୟୋଜିତ ଶ୍ରମିକ ଏବଂ ଅସ୍ଥାୟୀ ଷ୍ଟାଫ ଠିକ ଭାବେ ତାଙ୍କର ପାରିଶ୍ରମିକ ବିଭିନ୍ନ ସମୟରେ ପାଉ ନ ଥିବାରୁ ଏଥି ପ୍ରତି ସରକାର ଏବଂ ପ୍ରଶାସନ ବିଶେଷ ଦୃଷ୍ଟି ଦେବା ଆବଶ୍ୟକ। ତେବେ ଏ ସମ୍ପର୍କରେ ଖରିଆର ରୋଡ ରେଞ୍ଜର ଦୀନବନ୍ଧୁ ମେହେରଙ୍କୁ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରିଥିଲେ ହେଁ ସେ ଫୋନ କଲ ଉତ୍ତର ଦେଇ ନ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.