ସୁବର୍ଣ୍ଣ ଲୋକ ମହୋତ୍ସବ ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆସନ୍ତା ୬ ରୁ ୧୦ ତାରିଖ ଯାଏ ହେବାକୁ ଥିବା ସୋନପୁରର ସୁବର୍ଣ୍ଣ ଲୋକ ମହୋତ୍ସବ ପାଇଁ ରାମେଶ୍ବର ଷ୍ଟାଡିୟମ ଠାରେ ଆଜି ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଯାଇଛି। ଜିଲ୍ଲାପାଳ ବିମଳେନ୍ଦୁ ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଏହି ସମ୍ମିଳନୀରେ ଏସପି ଅମରେଶ ପଣ୍ଡା, ଏଡିଏମ ଜେନେରାଲ ଅଞ୍ଜଳିନା ପଧାନ, ସଂସ୍କୃତି ଅଧିକାରୀ ଯମୁନା ପଧାନ, ସୁଚନା ଓ ଲୋକ ସମ୍ପର୍କ ବିଭାଗ ଅଧିକାରୀ ଅଶ୍ଵିନୀ ଭୋଇ ଯୋଗ ଦେଇ ୨୦୨୪ ବର୍ଷର ଲୋକ ମହୋତ୍ସବକୁ କିଭଳି ଶାନ୍ତି ଶୃଙ୍ଖଳା, ନିର୍ଭୟରେ ଓ ସୁରକ୍ଷିତ ଭାବେ ଲୋକେ ଉପଭୋଗ କରିବେ, ମନ ପସନ୍ଦର ଖାଦ୍ୟ ପାଇ ପାରିବେ, ମେଳାରେ ବ୍ୟବସାୟୀ ମାନେ ଲାଭବାନ ହୋଇ ଜିଲ୍ଲା ଓ ରାଜ୍ୟର ବ୍ୟବସାୟ ବୃଦ୍ଧି ହେବ, ଏଥି ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ନିୟନ୍ତ୍ରିତ ଟ୍ରାଫିକ ଓ ସୁରକ୍ଷା ବ୍ୟବସ୍ଥା ସହ ସମସ୍ତ ବ୍ୟବସ୍ଥା ଉପରେ ପୁଙ୍ଖାନୁପୁଙ୍ଖ ସୁଚନା ଓ ଆଲୋଚନା କରିଥିଲେ। ସମୁଦାୟ ୪୧ ଗୋଟି ସାଂସ୍କୃତିକ ଦଳ ଏବର୍ଷ ଉତ୍ସବରେ ଯୋଗ ଦେବାକୁ ଥିବା ବେଳେ ଏଥି ମଧ୍ୟରୁ ସୁବର୍ଣ୍ଣପୁର ଜିଲ୍ଲାର ୧୧ ଗୋଟି, ଓଡ଼ିଶାରୁ ୧୬ ଗୋଟି, ରାଜ୍ୟ ବାହାରର ୪ ଗୋଟି ଦଳ, ରାଜ୍ୟ ସଂସ୍କୃତି ବିଭାଗର ୧୦ ଗୋଟି କଳାକାର ଟ୍ରୁପ୍ ଯୋଗ ଦେବେ ବୋଲି ଜିଲ୍ଲାପାଳ ଶ୍ରୀ ରାୟ ମିଡ଼ିଆକୁ ଆଜି ସୂଚନା ଦେଇଛନ୍ତି। ଏହା ବ୍ୟତୀତ ପଲ୍ଲୀଶ୍ରୀ ମେଳା ପାଇଁ ୨୦୦ ଗୋଟି ଷ୍ଟଲ୍, କୃଷି ଯନ୍ତ୍ରପାତି ପାଇଁ ୫୦ ଗୋଟି ଷ୍ଟଲ୍ ସହିତ ଲୋକଙ୍କ ମନ ପସନ୍ଦର ଖାଦ୍ୟ ତଥା ପିଠା ପଣା ପାରମ୍ପରିକ ଖାଦ୍ୟ ପାଇଁ ୨୦ ଗୋଟି ସ୍ଵତନ୍ତ୍ର ଷ୍ଟଲ୍ ର ବ୍ୟବସ୍ଥା କରା ଯାଇଥିବା ବିଷୟ ଜିଲ୍ଲାପାଳ ସୁଚନା ଦେଇଛନ୍ତି। ୬ ତାରିଖ ସକାଳ ୯ ଟାରେ ପ୍ରଥମେ ସୋନପୁର ଇଷ୍ଟଦେବୀ ମା ସୁରେଶ୍ଵରୀଙ୍କୁ ଆବାହନ କରାଯାଇ ରାମେଶ୍ବର ଷ୍ଟାଡିୟମ୍ ଯାଏ ଏକ ବିଶାଳ ମଶାଲ ଯାତ୍ରା ସାଂସ୍କୃତିକ ଶୋଭାଯାତ୍ରା ପହଞ୍ଚିବ। ମାନ୍ୟବର ମନ୍ତ୍ରୀ ନିରଞ୍ଜନ ପୂଜାରୀ, ରାଜ୍ୟସଭା ଏମପି ନିରଂଜନ ବିଶି, ବିଧାୟକ ପଦ୍ମନାଭ ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁପାର ଠେଲା ଏହି ଉତ୍ସବକୁ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ୭ ତାରିଖରେ ପୌର ପରିଷଦ ସମେତ ସମସ୍ତ ବ୍ଲକର ଅଧ୍ୟକ୍ଷ ଅଧ୍ୟକ୍ଷାଙ୍କ ସମେତ ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ଡ. ସୁରେଶ ଚନ୍ଦ୍ର ଦଳାଇ, ସମ୍ବଲପୁର ଆରକ୍ଷୀ ମହାନିରୀକ୍ଷକ ଡ. ଦୀପକ କୁମାର, ସଂସ୍କୃତି ବିଭାଗ ସଚିବ, ନିର୍ଦେଶକ, ବୌଦ୍ଧ ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁ, ବରଗଡ଼ ଜିଲ୍ଲାପାଳ ମୋନିଷା ବାନାର୍ଜୀ ଓ ଝାରସୁଗୁଡ଼ା ଜିଲ୍ଲାପାଳ ଅବୋଲି ସୁନିଲ ନରୱଣେ ଓ ସିନେ ନିର୍ଦ୍ଦେଶକ ସବ୍ୟସାଚି ମହାପାତ୍ର ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.