ଥୁଆମୂଳ ରାମପୁରରେ ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ “ଘୁମୁରା” ଉଦଘାଟିତ

ଓଡ଼ିଆ ବାର୍ତ୍ତା/ ଥୁଆମୂଳ ରାମପୁର (ପ୍ରଦୀପ କୁମାର ପଣ୍ଡା): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁରରେ ଉଦଘାଟିତ ହୋଇଯାଇଛି ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ “ଘୁମୁରା” ୨୦୨୪। ଥୁଆମୂଳ ରାମପୁର ବ୍ଲକ ସଦର ମହକୁମା ସ୍ଥିତ ବାବା ଖଣ୍ଡୁଆଳ ପଡିଆ ଠାରେ ଅନୁଷ୍ଠିତ ହେଇଥିବା ୨ ଦିନିଆ ଏହି ମହୋତ୍ସବକୁ ଉଦଘାଟନ କରିଛନ୍ତି ମୁଖ୍ୟ ଅତିଥି ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ।

ଉଦଘାଟନୀ ସମାରୋହ ପୁର୍ବରୁ ପଞ୍ଚାୟତ ସମିତି ଅଧ୍ୟକ୍ଷ ଦୟାନିଧି ମାଝୀଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବିଧାୟକ ଶ୍ରୀ ଦିଶାରୀ, ବିଡ଼ିଓ ଧ୍ରୁବ ଚରଣ ମୁଦୁଲି, ବିଧାୟକ ପ୍ରତିନିଧି ମାଣିକ୍ୟ ଚନ୍ଦ୍ର ନାଏକ, ଏମ୍.ଏମ୍.ପି.ଏସ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ସତ୍ୟ ନାରାୟଣ ମୁଣ୍ଡଛିନା ସାଂସଦ ବ୍ଲକ ପ୍ରତିନିଧି ବିଷ୍ଣୁ ନାଏକ,ଜିଲ୍ଲା ପରିଷଦ ସଦସ୍ୟା ଟୁନି ଖୋସ୍ଲା(ଦୁରିଆ), ବ୍ଲକ ସରପଞ୍ଚ ସଂଘର ସଭାପତି ବଳଭଦ୍ର ଜାନୀ ପ୍ରମୁଖଙ୍କ ସମେତ ବ୍ଲକର ବହୁ ଜନ ପ୍ରତିନିଧିଙ୍କ ସମେତ ବିଜେଡି ବ୍ଲକ ସଭାପତି କପିଳାସ ନାଏକ, ବିଜେପି ମଣ୍ଡଳ ସଭାପତି ସୁଶାନ୍ତ ନାଏକ, ଆପ୍ ବ୍ଲକ ସଭାପତି ପ୍ରଦୀପ ନାଏକ, ନବ ନିର୍ମାଣ କୃଷକ ମଞ୍ଚର ଯୁବ ନେତା ହିତେଶ ନାଏକ ଉପସ୍ଥିତ ରହି ସ୍ଥାନୀୟ ମାଁ ମାଣିକେଶ୍ଵରୀ ମନ୍ଦିରରେ ପୂଜାର୍ଚ୍ଚନା କରି ସେଠାରୁ ଘୁମୁରା ଏବଂ ସଲପ୍ ବାଦ୍ୟର ସହିତ ମଶାଲ ଶୋଭାଯାତ୍ରାରେ ଆସି ମଞ୍ଚରେ ସ୍ଥାପିତ କରିଥିଲେ।

ବ୍ଲକ ସ୍ତରରେ ହେଇଥିବା ଏହି ଉତ୍ସବର ସମସ୍ତ ମଞ୍ଚାସୀନ ଅତିଥି ବୃନ୍ଦ ଉତ୍ସବ ପଛର ମହତ୍ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମର ପ୍ରଥମ ଦିବସରେ ବ୍ଲକର ଗୋପାଳପୁର, ଡୁମେରପଦର, ମହୁଲପାଟଣା ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସାଂସ୍କୃତିକ ଦଳ ପକ୍ଷରୁ ବିଭିନ୍ନ ଲୋକନୃତ୍ୟ ସହିତ ମନୋରଞ୍ଜନ ଭିତ୍ତିକ ନୃତ୍ୟ ପ୍ରଦର୍ଶନ କରିଥିଲେ। ଏହି ମଞ୍ଚରେ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ସମ୍ମାନିତ କରାଯାଇଛି। ଥୁଆମୂଳ ରାମପୁର ଭଳି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଉପାନ୍ତ ଖମାରପଦର ଗାଁରେ ଜନ୍ମିତ ଆଫିଆ ବାସିର୍ ଗତ ଗାନ୍ଧୀ ଜୟନ୍ତୀ ଦିନ ଦିଲ୍ଲୀ ସାଂସଦ ଭବନର ଏକ ବିଶେଷ କାର୍ଯ୍ୟକ୍ରମରେ ଗାନ୍ଧୀ ଏବଂ ଶାସ୍ତ୍ରୀଙ୍କ ଉପରେ ବକ୍ତୃତା ରଖିବାର ସୁଯୋଗ ପାଇଥିଲେ ଏବଂ ତାଙ୍କୁ ପ୍ରାରମ୍ଭିକ ବକ୍ତବ୍ୟ ରଖିଥିଲେ। ଯାହା ଅଞ୍ଚଳ ପାଇଁ ଏକ ଗର୍ବ ଓ ଗୌରବର ବିଷୟ। ମଙ୍ଗଳବାର ଆୟୋଜିତ ଏହି କାର୍ଯ୍ୟକ୍ରମରେ ତାଙ୍କୁ ମୁଖ୍ୟ ଅତିଥି ବିଧାୟକ ଶ୍ରୀ ଦିଶାରୀ ଙ୍କ ଦ୍ବାରା ସମ୍ମାନିତ କରାଯାଇଥିଲା।

ଥୁଆମୂଳ ରାମପୁର ଭଳି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଅବହେଳିତ ଏବଂ ଗରିବ ଆଦିବାସୀ ଛୁଆଙ୍କୁ ଶିକ୍ଷା କ୍ଷେତ୍ରରେ ଆଗକୁ ନେବାର ସ୍ବପ୍ନକୁ ସାକାର କରିବାର ପ୍ରୟାସ ରଖିଥିବା ଗ୍ରାମ ବିକାଶ ଶିକ୍ଷା ନିକେତନର ପ୍ରଧାନ ଶିକ୍ଷକ ଅରବିନ୍ଦ ସ୍ବାଇଁଙ୍କୁ ତାଙ୍କ ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ଆଦର୍ଶ ଶିକ୍ଷକ ଭାବରେ ସମ୍ମାନିତ କରାଯାଇଛି। ସେଇ ଶିକ୍ଷା ନିକେତନର ସୁଯୋଗ୍ୟ ଛାତ୍ରୀ ଜ୍ୟୋତି ପରାଭୋଇ ଗତ ବର୍ଷ ଅନଲାଇନ ମାଧ୍ୟମରେ ଭାରତ ଏବଂ ଅନ୍ୟ ଦେଶର ଛାତ୍ରଛାତ୍ରୀ ମାନଙ୍କୁ ନେଇ ପରିବେଶ ସମ୍ବନ୍ଧୀୟ ପ୍ରତିଯୋଗୀତାରେ ଅଂଶଗ୍ରହଣ କରି କୃତିତ୍ବ ହାସଲ କରିଥିଲେ। ତାଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା।

ଥୁଆମୂଳ ରାମପୁର ବ୍ଲକ ବଡଛତ୍ରଙ୍ଗ ଗ୍ରାମର ବିଶିଷ୍ଟ କଳାକାର ସେ ଏକାଧାରରେ ଜଣେ ଲେଖକ ଜଣେ ଦକ୍ଷ ମଞ୍ଚ ଅଭିନେତା, ନିର୍ଦ୍ଦେଶକ ଏବଂ ଗାୟକ ଭାବେ ଜିଲ୍ଲା ତଥା ରାଜ୍ୟ ସ୍ତରରେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମରେ ସମ୍ମାନିତ ଲମ୍ବୋଦର ନାଏକଙ୍କୁ ମଧ୍ୟ ଏହି ଅବସରରେ ସମ୍ମାନିତ କରାଯାଇଛି। ଏହି ମହୋତ୍ସବରେ ବିଭିନ୍ନ ବିଭାଗର ଷ୍ଟଲ ଲାଗିଥିବା ବେଳେ ଏହି ଉତ୍ସବକୁ ଉପଭୋଗ କରିବା ପାଇଁ ବହୁ ଦର୍ଶକଙ୍କ ଭିଡ ରହିଥିଲା। ବୁଧବାର ଉଦଯାପନୀ ଦିବସରେ ଜିଲ୍ଲା ତଥା ଜିଲ୍ଲା ବାହାରର ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସେମାନଙ୍କ ଲୋକକଳା ଏବଂ ଲୋକନୃତ୍ୟ ପ୍ରଦର୍ଶନ ହେବାର ସୂଚନା ରହିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.