ଓଡ଼ିଆ ବାର୍ତ୍ତା/ ଜଗତସିଂହପୁର: ଓଡିଶା ପ୍ରଦେଶ କଂଗ୍ରେସ କମିଟି ଜଗତସିଂହପୁର ଜିଲ୍ଲାର ଚାରିଟି ବିଧାନସଭା କ୍ଷେତ୍ର ପାଇଁ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅନୁମୋଦନରେ ପର୍ଯ୍ଯବେକ୍ଷକ ଘୋଷଣା କରିଛି।ଜଗତସିଂହପୁର ବିଧାନସଭା କ୍ଷେତ୍ର ପାଇଁ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀ କଂଗ୍ରେସର ଦୃଢ଼ ସଂଗଠକ, ପିସିସି ସଭ୍ଯ ତଥା ଗୋବିନ୍ଦପୁର ପଞ୍ଚାୟତର ସମିତିସଭ୍ୟ ଦେବପ୍ରସାଦ ନାୟକ(ଫେଲୁ)ଙ୍କ ନାମ ଘୋଷଣା ହୋଇଛି। ଜଗତସିଂହପୁର ବିଧାନସଭାକ୍ଷେତ୍ର ଜିଲ୍ଲାର ଏକ ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ। ଏଠାରେ କଂଗ୍ରେସର ଟାଣୁଆ ନେତା ତଥା ପୂର୍ବତନ ବିଧାୟକ ଚିରଞ୍ଜିବୀ ବିଶ୍ବାଳ ନେତୃତ୍ବ ନେଉଛନ୍ତି। ତେଣୁ ଏପରି ଏକ ଗୁରୁତ୍ବପୂର୍ଣ୍ଣ ନିର୍ବାଚନ ମଣ୍ଡଳୀର ପର୍ଯ୍ଯବେକ୍ଷକ ଭାବେ ଶ୍ରୀ ନାୟକ ନିଯୁକ୍ତ ହୋଇଥିବାରୁ ତାଙ୍କୁ ଜିଲ୍ଲାର ବହୁ କଂଗ୍ରେସ ନେତା ଶୁଭେଚ୍ଛା ଜଣାଇଛନ୍ତି। ତିନି ଦଶନ୍ଧିରୁ ଉର୍ଦ୍ଧ୍ବ ସମୟ ଧରି ଛାତ୍ର ଓ ଯୁବ ରାଜନୀତିରେ ରାଜ୍ୟ ସ୍ତରରେ କାମ କରି ଆସିଥିବା ଶ୍ରୀ ନାୟକ ତିର୍ତ୍ତୋଲରେ ଶୋଇପଡିଥିବା କଂଗ୍ରେସକୁ ସଞ୍ଜୀବନି ଦେଇ ତାଙ୍କର ରାଜନୈତିକ ପରାକାଷ୍ଠାକୁ ପ୍ରମାଣିତ କରିବା ସହିତ ପଞ୍ଚାୟତ ନିର୍ବାଚନରେ ଶାସକ ଦଳକୁ କଡ଼ା ଟକ୍କର ଦେଇଥିଲେ। ତେଣୁ ସେ ଜଗତସିଂହପୁର ନିର୍ବାଚନ ମଣ୍ଡଳୀର ଦାୟିତ୍ୱ ନେବା ପରେ ନିଶ୍ଚିତ ଭାବେ କଂଗ୍ରେସ ଏଠାରେ ଅଧିକ ମଜଭୁତ ହେବ ବୋଲି କଂଗ୍ରେସ କର୍ମକର୍ତ୍ତା ମତ ପ୍ରକାଶ କରିଛନ୍ତି।