ସୁନାମୁଖି ଶାନ୍ତିବନରେ ଉତ୍କେଲା ଡମ୍ବ ସମାଜ ଆମ୍ବେଦକରବାଦୀଙ୍କ ବନ୍ଧୁମିଳନ

ଓଡ଼ିଆ ବାର୍ତ୍ତା/ କେସିଙ୍ଗା: ପ୍ରକୃତିର ନୈସର୍ଗିକ ଶୋଭା ସମ୍ଭାର ମଧ୍ୟରେ ରହିଥିବା ମହଗାଁର ସୁନାମୁଖି ଶାନ୍ତିବନ ଠାରେ ଉତ୍କେଲା ଡମ୍ବ ସମାଜ ଆମ୍ବେଦକରବାଦୀଙ୍କ ବନ୍ଧୁମିଳନ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି। କେସିଙ୍ଗା ଥାନାରେ ବର୍ତ୍ତମାନ କାର୍ଯ୍ୟରତ ଥିବା ଉତ୍କେଲା ଗ୍ରାମର ପୋଲିସ କର୍ମଚାରୀ ପ୍ରଦୀପ ତାଣ୍ଡି ଓ ଉତ୍କେଲା ସମ୍ବାଦ ରିପୋର୍ଟର ଲକ୍ଷ୍ମଣ ବାଗ (ଲିପୁ)ଙ୍କ ଅଧ୍ୟକ୍ଷତାରେ ଏନେଇ ଆୟୋଜିତ ସଭାରେ ଡମ୍ବ ସମାଜର ସର୍ବାଙ୍ଗୀନ ବିକାଶ ଉପରେ ଆଲୋକପାତ କରାଯାଇଥିଲା। ହଜାର ହଜାର ବର୍ଷଧରି କଳାହାଣ୍ଡି ମାଟିରେ ବସବାସ କରି ଆସୁଥିବା ଡମ୍ ସଂପ୍ରଦାୟ ଏକ ବିସ୍ତୃତ ଇତିହାସ, ପରମ୍ପରା ଓ ସଂସ୍କୃତି ରହିଛି। ସମୟର ପଟ୍ଟ ପରିବର୍ତ୍ତନ ସହ ଅବହେଳିତ ହୋଇ ରହିଥିବା ଏହି ମହାନ ଜାତିର ପୁନଃରୁତ୍ଥାନ ଜରୁରୀ ବୋଲି ସଭାରେ ମତ ପ୍ରକାଶ ପାଇଛି। ଏହାସହ କେସିଙ୍ଗା ବ୍ଲକର ଆଦିବାସୀ ଅଧ୍ୟୁସିତ ମହଗାଁରେ ଥିବା ସୁନାମୁଖି ଶାନ୍ତିବନର ଉନ୍ନତି ଦିଗରେ ସରକାର ଗୁରୁତ୍ବ ଦେଇ ଏହି ସ୍ଥାନକୁ ଏକ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବାପାଇଁ ଉପସ୍ଥିତ ବିଜ୍ଞ ବ୍ୟକ୍ତିମାନେ ମତ ପ୍ରକାଶ କରିଛନ୍ତି। ଆଜିର ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ସମାଜର ଅନେକ ପ୍ରତିଷ୍ଠିତ ବ୍ୟକ୍ତି ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଉତ୍କେଲା ଡ଼ମ୍ବ ସମାଜ ସଭାପତି ବେଲାଲସେନ ବେହେରା, ଚିରଞ୍ଜିବି ନାଗ, କୁବେର ଦୀପ, ପ୍ରମୋଦ ତାଣ୍ଡି, ରୋହିତ ନାଏକ, ନବ କିଶୋର ନାଏକ ପ୍ରମୁଖ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.