ଋାୟଗଡାରେ ୧୦ଦିନ ହେଲା ବନ୍ଦ ହୋଇ ପଡିଛି ନିର୍ମାଣ କାର୍ଯ୍ୟ
ମାଇନିଂର ଇସି’ର ବ୍ୟବସ୍ଥା ଓ ବାଲିଘାଟରେ ୱାଇଫର୍ମ ଯୋଗାଇବା ଦାବି କଲା ଟ୍ରାକ୍ଟର ମାଲିକ ସଂଘ
ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ମା ମଝିଘରିଆଣୀ ଟ୍ରାକ୍ଟର ମାଲିକ ସଂଘ ରାୟଗଡା ପକ୍ଷରୁ ଟ୍ରାକ୍ଟର ଯୋଗେ ବାଲି ଚାଲାଣ ବନ୍ଦ ନିଷ୍ପତି ଯୋଗୁଁ ଗତ ୧୦ଦିନ ହେଲା ରାୟଗଡା ତଥା ଏହାର ଉପକଣ୍ଠରେ ସମସ୍ତ ପ୍ରକାର ନିର୍ମାଣ କାର୍ଯ୍ୟ ଏକ ପ୍ରକାର ବନ୍ଦ ହୋଇଯାଇଛି । ଯାହାକୁ ନେଇ ସରକାରୀ ଓ ବେସରକାରୀ ନିର୍ମାଣକାରୀ ସଂସ୍ଥା ଠାରୁ ଆରମ୍ଭ କରି ଗୃହ ନିର୍ମାଣ କରୁଥିବା ସାଧାରଣ ଜନତା ଯାଏଁ ସମସ୍ତେ ଅସୁବିଧାର ସମ୍ମୁଖନୀ ହେଉଛନ୍ତି । ତଥାପି ଟ୍ରାକ୍ଟର ମାଲିକ ସଂଘର ଦାବି ପୂରଣ ଦିଗରେ ପ୍ରଶାସନ ପକ୍ଷରୁ କୈାଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ ସମସ୍ତଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସୋମବାର ମା ମଝିଘରିଆଣୀ ଟ୍ରାକ୍ଟର ମାଲିକ ସଂଘ ସଭାପତି ପଦ୍ମନାଭ ଦାସଙ୍କ ନେତୃତ୍ୱରେ ୫ଦଫା ସମ୍ବଳିତ ଦାବିପତ୍ର ଜିଲ୍ଳାପାଳଙ୍କ ଅଭିଯୋଗ ଶୁଣାଣୀରେ ଜିଲ୍ଳାପାଳ ମନୋଜ ସତ୍ୟବାନ ମହାଜନଙ୍କୁ ଭେଟି ପ୍ରଦାନ କରି ନିଜ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି । ଆର୍ଥିକ ବର୍ଷ ଶେଷ ହେବାକୁ ଥିବା ଯୋଗୁଁ ସମସ୍ତ ପ୍ରକଳ୍ପ କାର୍ଯ୍ୟ ନିର୍ମାଣରେ ମଧ୍ୟ ବାଧା ଉପୁଜୁଥିବାରୁ ଟ୍ରାକ୍ଟର ମାଲିକ ସଂଘ ସହ ମିଶି ଆଲୋଚନା କରିବାକୁ ଜିଲ୍ଳାପାଳ ଖଣି ନିଗମ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଖଣି ନିଗମ ଅଧିକାରୀ ସଂଘ ସଦସ୍ୟଙ୍କ ସହ ଆଲୋଚନା କରି ଆସନ୍ତାକାଲି ମଙ୍ଗଳବାରରେ ସମସ୍ୟାର ନିଷ୍କର୍ସ ବାହାର କରିବେ ବୋଲି ପ୍ରତିଶୃତି ଦେଇଥିବା ନେଇ ଟ୍ରାକ୍ଟର ମାଲିକ ସଂଘ ସଭାପତି ଶ୍ରୀ ଦାସ ପ୍ରକାଶ କରିଛନ୍ତି । ଟ୍ରାକ୍ଟର ମାଲିକ ସଂଘ ପକ୍ଷରୁ ଜିଲ୍ଳାପାଳଙ୍କୁ ପ୍ରଦାନ କରାଯାଇଥିବା ଦାବିପତ୍ରରେ ବାଲିଘାଟରେ ୱାଇଫର୍ମର ବ୍ୟବସ୍ଥା କରିବା,ମାଇନିଂର ଇସି ବ୍ୟବସ୍ଥା କରିବା ଭଳି ମୁଖ୍ୟ ଦାବି ଉପସ୍ଥାପନା କରିଥିବା ବେଳେ ଗାଡି ବନ୍ଦ ଥିବା ଯୋଗୁଁ ଟ୍ରାକ୍ଟର ମାଲିକମାନେ ଫାଇନାନ୍ସ ପୈଠ କରି ପାରୁ ନ ଥିବା,ଟ୍ରାକ୍ଟର ଉପରେ ନିର୍ଭର କରି ଚଳୁଥିବା ଶ୍ରମିକ,ଡ୍ରାଇଭର,ମାଲିକଙ୍କ ପରିବାରମାନେ ଅସୁବିଧାରେ ଚଳୁଥିବା ଏବଂ ସରକାରୀ କ୍ଷେତ୍ରରେ ୫ଟି ପ୍ରକଳ୍ପ କାର୍ଯ୍ୟ,ଉନ୍ନୟନମୂଳକ କାର୍ଯ୍ୟ,ଘରୋଇ ନିର୍ମାଣ କାର୍ଯ୍ୟ ତଥା ଗରିବ ଶ୍ରେଣୀର ଲୋକେ ବାଲି ନ ପାଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ନିଜ ଗୃହ କାର୍ଯ୍ୟ ମଧ୍ୟ ଚାଲୁ କରି ପାରୁ ନ ଥିବାର ସମସ୍ୟା ସଂପର୍କରେ ଆଲୋକପାତ କରାଯାଇଛି । ରାୟଗଡା ସହରର ନିକଟ ପାଂଚ କିଲୋମିଟର ପରିସରରେ ୩ଟି ବାଲିଘାଟ ରହିଥିବା ବେଳେ ସେଠାରେ ୱାଇଫର୍ମ ମିଳୁ ନ ଥିବା ବେଳେ ନିର୍ମାଣ କାର୍ଯ୍ୟରେ ବାଲିର ଅଭାବକୁ ଦୂର କରିବା ପାଇଁ ଟ୍ରାକ୍ଟର ମାଲିକ ମାନେ ବାଧ୍ୟ ହୋଇ ବେଆଇନ ଭାବେ ବାଲି ଯୋଗାଉଥିବା ବେଳେ ତହସିଲ କର୍ମଚାରୀମାନେ ଗାଡିକୁ ଧରି ୨୦ହଜାରରୁ ୫୦ହଜାର ଟଙ୍କା ମଧ୍ୟରେ ଜୋରିମାନା ପକାଉଛନ୍ତି । ଅନେକ ସମୟରେ ଖଣି ନିଗମ ଅଧିକାରୀଙ୍କ ଅତ୍ୟାଚାରରେ ଟ୍ରାକ୍ଟର ମାଲିକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ବାଲିଘାଟରୁ ଟିପର ଯୋଗେ ଲକ୍ଷାଧିକ ଟଙ୍କାର ବାଲି ପଡୋଶୀ ଆନ୍ଧ୍ର ପ୍ରଦେଶକୁ ଚାଲାଣ ହେଉଛି ଯାହାକୁ ନେଇ ଖଣି ବିଭାଗ ଚୁପ୍ ବସୁଛି ବୋଲି ଅଭିଯୋଗ ଉଲ୍ଳେଖ ରହିଛି । ଏହି କ୍ରମରେ ଟ୍ରାକ୍ଟର ମାଲିକ ସଂଘର ଟ୍ରାକ୍ଟର ଚାଳନା ବନ୍ଦ ନିଷ୍ପତିରେ ଏହାର ସିଧାସଳଖ ପ୍ରଭାବ ରାଜମିସ୍ତ୍ରୀ,ନିର୍ମାଣ ଶ୍ରମିକଙ୍କ କାର୍ଯ୍ୟ ଉପରେ ପଡୁଥିବାରୁ ଟ୍ରାକ୍ଟର ମାଲିକ ସଂଘର ସମସ୍ୟାର ତୁରନ୍ତ ସମାଧାନ କରିବା ନିମନ୍ତେ ରାୟଗଡା ଗୈାରୀଶଙ୍କର ରାଜମିସ୍ତ୍ରୀ ୟୁନିୟନ୍ ପକ୍ଷରୁ ଜିଲ୍ଳାପାଳଙ୍କୁ ସୋମବାର ଏକ ଦାବିପତ୍ର ପ୍ରଦାନ କରାଯାଇଛି । ନିର୍ମାଣ କାର୍ଯ୍ୟରେ ଆବଶ୍ୟକ ପଡୁଥିବା ଇଟା, ସିମେଂଟ, ବାଲି, ପଥର ଇତ୍ୟାଦିକୁ କାର୍ଯ୍ୟସ୍ଥଳରେ ପଂହଚାଇବା ପାଇଁ ଟ୍ରାକ୍ଟର ଗାଡି ଏବେ ଉପଲବ୍ଧ ହେଉ ନ ଥିବାରୁ ନିର୍ମାଣ କାର୍ଯ୍ୟ ବନ୍ଦ ହୋଇଯାଇଛି । ଫଳରେ ନିର୍ମାଣ କାର୍ଯ୍ୟ ଉପରେ ନିର୍ଭର କରି ଚଳୁଥିବା ରାଜମିସ୍ତ୍ରୀ, ନିର୍ମାଣ ଶ୍ରମିକଙ୍କ ପରିବାର ଏବେ ଭୋକ ଉପାସରେ ଦିନ କାଟୁଛନ୍ତି ବୋଲି ଜିଲ୍ଳାପାଳଙ୍କୁ ଦେଇଥିବା ଦାବିପତ୍ରରେ ଉଲ୍ଳେଖ କରିଥିବା ନେଇ ରାଜମିସ୍ତ୍ରୀ ସଂଘ ସଭାପତି ଟି.ଉମା ମହେଶ୍ୱର ରାଓ ପ୍ରକାଶ କରିଛନ୍ତି ।