ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ତହସିଲ ଅଫିସର ଅମିନ ନିର୍ମଲେନ୍ଧୁ କବି ଭିଜିଲାନ୍ସ ହାତରେ ଧରାପଡିଛନ୍ତି l ସେ ଡିମାରକେସନ କରିଦେବା ନାମରେ ଜଣେ ବ୍ୟକ୍ତିଙ୍କ ଠାରୁ ୮ ହଜାର ଟଙ୍କା ଲାଞ୍ଚ ନେଉଥିଲେ l ଏ ନେଇ ବଲାଙ୍ଗୀର ଭିଜିଲାନ୍ସ ବିଭାଗ ସଇଁତଲା ତହସିଲ ଅଫିସ ଓ ଭଡା ଘରେ ଚଢାଉ ଜାରି ରଖିଛି l ପ୍ରକାଶ ଯେ, ସଇଁତଲା ତହସିଲ ଅଫିସରେ ଅମିନ ଭାବେ ନିର୍ମଲେନ୍ଧୁ କବି ଗତ ୨୦୨୨ ମସିହାରେ ନିଯୁକ୍ତି ପାଇଥିଲେ l ସେ କଅସର ପଡାର ଏକ ଭଡା ଘରେ ରହୁଥିଲେ l ଏ ନେଇ ସଇଁତଲା ସହର ସ୍ୱାଧୀନ ପଡାର ନିରଞ୍ଜନ ସାହୁ ନାମକ ଜୈନିକ ବ୍ୟକ୍ତି ଜମି ବାବଦରେ ତହସିଲ ଅଫିସରେ ଡିମାରକେସନ ପାଇଁ ଆବେଦନ କରିଥିଲେ l କିନ୍ତୁ ଅମିନ ଶ୍ରୀ କବି ଟଙ୍କା ପାଇଁ ନିରଞ୍ଜନଙ୍କୁ ହଇରାଣ କରିବା ସହ ଦିନ ଗଡ଼ାଇ ଚାଲିଥିଲେ l ଏହାପରେ ନିରଞ୍ଜନ ବଲାଙ୍ଗୀର ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ l ଏଥିରେ ପୂର୍ଵ ପ୍ରସ୍ତୁତି ଅନୁସାରେ ଭିଜିଲାନ୍ସ ବିଭାଗ ନିରଞ୍ଜନଙ୍କୁ କେମିକାଲ ଲଗା ହୋଇଥିବା ଟଙ୍କା ଦେଇ ଛକି ବସିଥିଲେ l ପରେ ଅମିନ ଶ୍ରୀ କବିଙ୍କୁ ଲାଞ୍ଚ ଦେଉଥିବା ସମୟରେ ବଲାଙ୍ଗୀର ଡିଏସପି ପୁଲସ୍ତି ଛତ୍ରିଆ ଓ ରିତାଞ୍ଜଳୀ ପ୍ରଧାନଙ୍କ ତତ୍ତ୍ୱବଧାନରେ ଚଢାଉ କରି ଟଙ୍କା ଜବତ କରିବା ସହ ଅମିନଙ୍କୁ ଗିରଫ କରାଯାଇଥିଲା l ଏହି ସମୟରେ ଇନିସପେକ୍ଟର ତୁଷାରକାନ୍ତ ମହାପାତ୍ର, ହୂଦାନନ୍ଦ କାଲୋ, ଟେରେସା ଖେସ, ଏଏସଆଇ ଝସକେତନ ବାରିକ, ଦୁର୍ବାଦଳ କ୍ଷେତି ଓ ରୋହିତ ରଣା ପ୍ରମୁଖ ସାମିଲ ହୋଇଥିଲେ l