ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଭିତ୍ତିଭୂମି ବିକାଶ ପାଇଁ ‘ଆମ ହସ୍ପିଟାଲ’ ଯୋଜନାରେ କାର୍ଯ୍ୟ ଜାରି ରହିଛି। ହେଲେ ଏଠାରେ ନିର୍ମାଣ କାର୍ଯ୍ୟ ନିମ୍ନମାନର ହେଉଥିବା ଅଭିଯୋଗ ହୋଇଛି। ବାଲି ପକାଇବା ସ୍ଥାନରେ ମାଟି ପକା ଯାଉଛି। ଏପରିକି କାର୍ଯ୍ୟ ସ୍ଥାନରେ କୌଣସି ବିଭାଗୀୟ ଅଧିକାରୀ ମଧ୍ୟ ଉପସ୍ଥିତ ରହୁ ନାହାନ୍ତି, ଏହାବାଦ୍ ଏଠାରେ କୌଣସି ସୂଚନା ଫଳକ ମଧ୍ୟ ଲଗାଯାଇ ନାହିଁ। ଯାହା ଫଳରେ କେତେ ବ୍ୟୟ ଅଟକଳ ଓ କେଉଁ ବିଭାଗ ଦ୍ଵାରା କାର୍ଯ୍ୟ ସମ୍ପାଦନ କରାଯାଉଛି ତାହା ସାଧାରଣ ଜନତା ଅଛପା ରହୁଛନ୍ତି। ସ୍ଥାନୀୟ ଲୋକେ କାର୍ଯ୍ୟ ନିମ୍ନମାନର ହେଉଥିବା ଅଭିଯୋଗ କରିଥିବାବେଳେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ସମେତ ପୁରୁଷୋତ୍ତମ ଦାସ ଗୁପ୍ତା, ରାମଚନ୍ଦ୍ର ପାଣିଗ୍ରାହୀ, ତ୍ରିଭୁବନ ନାଏକ, ବିଶ୍ବନାଥ ପଟ୍ଟନାୟକ, କୃପାସିନ୍ଧୁ ବାଗ, ଅଜୟ ସାହୁ, ହବିର ରାଉତ, ହେମନ୍ତ ବାଣୁଆ, ସଞ୍ଜୟ ସିଙ୍ଗଲ ପ୍ରମୁଖ ସ୍ଥାନୀୟ ଭଦ୍ରବ୍ୟକ୍ତିମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ନିମ୍ନମାନର କାର୍ଯ୍ୟକୁ ନେଇ କ୍ଷୋଭ ପ୍ରକାଶ କରିବା ସହ ତୁରନ୍ତ ଉନ୍ନତ ମାନର କାର୍ଯ୍ୟ କରିବା ପାଇଁ ଠିକା ସଂସ୍ଥାକୁ କଡ଼ା ତାଗିଦ୍ କରିଥିଲେ। ଏଥି ସହିତ ଜିଲ୍ଲାପାଳ ଓ ସ୍ଥାନୀୟ ବିଧାୟକଙ୍କୁ ଏ ବିଷୟରେ ଅବଗତ କରାଯାଇ ଥିବାବେଳେ କାମ ବନ୍ଦ ହୋଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ, ୪ କୋଟି ୯ ଲକ୍ଷ ୩୬ ହଜାର ଟଙ୍କା ବ୍ୟୟ ଅଟକଳରେ ନିର୍ମାଣା ହେଉଥିବା ଜଣାପଡ଼ିଛି। ତେବେ କୋଟି କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେଉଥିବା କାର୍ଯ୍ୟ ସଠିକ୍ ତଦାରଖ ଓ ନିମ୍ନମାନର କାର୍ଯ୍ୟ ଯୋଗୁଁ ତା’ର ସ୍ଥାୟୀତ୍ବ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେଣୁ ସମ୍ପୃକ୍ତ ଠିକା ସଂସ୍ଥା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଉନ୍ନତ ମାନର କାର୍ଯ୍ୟ କରିବା ପାଇଁ ଦାବି ଉଠିଛି।





