ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ କୁସୁମଖୁଣ୍ଟି ସ୍ଥିତ ମେଗା ପାନୀୟ ଜଳ ପ୍ରକଳ୍ପର ଠିକା କେମ୍ପରେ ଏକ ଅଘଟଣ ଘଟିଯାଇଛି। ପାଇପ୍ କାଢୁଥିବା ସମୟରେ ଜଣେ ଅଣଓଡ଼ିଆ ଶ୍ରମିକ ଦୀର୍ଘ ସମୟ ଧରି ପାଇପ୍ ତଳେ ଚାପି ହୋଇ ରହି ଗୁରୁତର ହୋଇଛନ୍ତି। ତାଙ୍କୁ କୋକସରା ଅଗ୍ନିଶମ ବିଭାଗ କର୍ମଚାରୀମାନେ ସଂଘର୍ଷ କରି ସୁରକ୍ଷିତ ଭାବେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି। ଗୁରୁତର ଶ୍ରମିକ ଜଣକ ରାଜସ୍ଥାନ ଭରତପୁର ଅଞ୍ଚଳର ନଦିମ ଖାଁ ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ମଙ୍ଗଳବାର ନଦିମ ଖାଁ ଠିକା କେମ୍ପରେ ଥିବା ବିଶାଳ ପାଇପ୍ ଗୁଡ଼ିକୁ କାଢୁଥିଲେ। ଏହି ସମୟରେ ହଠାତ ଅଣ୍ଟା ତଳକୁ ବଡ଼ ପାଇପ୍ ଗୁଡ଼ିକ ଚାପି ହୋଇଯାଇଥିଲା। ଶ୍ରମିକ ଜଣକ ଯନ୍ତ୍ରଣାରେ ଚିତ୍କାର କରିବା ପରେ ଠିକା ସଂସ୍ଥା ପକ୍ଷରୁ ପ୍ରଥମେ ଜେସିବି ଓ କ୍ରେନ୍ ସାହାଯ୍ୟରେ ତାଙ୍କୁ କାଢ଼ିବାକୁ ଚେଷ୍ଟା କରାଯାଇଥିଲା, ମାତ୍ର ତାହା ବିଫଳ ହୋଇଥିଲା। ଖବର ପାଇ କୋକସରା ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ବହୁ କଷ୍ଟରେ ଶ୍ରମିକଙ୍କୁ ଉଦ୍ଧାର କରିଥିଲେ। ପରେ ଶ୍ରମିକଙ୍କୁ ଅଗ୍ନିଶମ ଗାଡ଼ି ଯୋଗେ କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ମେଗା ପାନୀୟ ଜଳ ପ୍ରକଳ୍ପରେ ଶ୍ରମିକମାନଙ୍କୁ କୌଣସି ପ୍ରକାରର ସୁରକ୍ଷା ଉପକରଣ ଯୋଗାଇ ଦିଆଯାଉ ନାହିଁ। ବିନା ସୁରକ୍ଷାରେ ବିପଜ୍ଜନକ କାମ କରାଯାଉଥିବାରୁ ଏଭଳି ଦୁର୍ଘଟଣା ବାରମ୍ବାର ଘଟୁଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଘଟଣାର ଖବର ସଂଗ୍ରହ ପାଇଁ ମେଡିକାଲରେ ପହଞ୍ଚିଥିବା ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଠିକା ସଂସ୍ଥାର କିଛି ଅଧିକାରୀ ଓ କର୍ମଚାରୀ ନାଲିଆଖି ଦେଖାଇବା ସହ ଯୁକ୍ତିତର୍କ କରିଥିଲେ। ମାମଲାକୁ ଚାପି ଦେବା ଏବଂ ନିଜର ଦୋଷ ଲୁଚାଇବା ପାଇଁ ସଂସ୍ଥା ପକ୍ଷରୁ ଅପଚେଷ୍ଟା କରାଯାଇଥିବା ସ୍ପଷ୍ଟ ଜଣାପଡ଼ୁଛି। ଜଣେ ଗରିବ ଶ୍ରମିକଙ୍କ ଜୀବନ ସହ ଖେଳୁଥିବା ଏବଂ ସତ୍ୟକୁ ଲୁଚାଇବାକୁ ଚେଷ୍ଟା କରୁଥିବା ଠିକା ସଂସ୍ଥା ବିରୋଧରେ ପ୍ରଶାସନ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ସ୍ଥାନୀୟ ଜନସାଧାରଣ ଓ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।





