ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଠାରୁ ବିଶାଖାପାଟଣାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥର କିଡିଙ୍ଗ ନିକଟରେ ଠିଆ ହୋଇଥିବା ଏକ ବୋଲେରୋକୁ ଦ୍ରୁତଗାମୀ ହାଇୱା ଧକ୍କା ଦେଇଥିବା ଘଟଣା ବୁଧବାର ରାତି ଘଟିଛି। ଧକ୍କାର ପ୍ରଭାବରେ ବୋଲେରୋଟି ରାସ୍ତା ତଳକୁ ଖସି ପଡିଥିଲା। ଖବର ଅନୁଯାୟୀ ରାୟଗଡ଼ା ଜିଲ୍ଲା ଟ୍ରକ ଓନରଶାତ୍ବତ ଆସୋସିଏସନର ଓଡି ୦୮ଏ ୬୬୬୯ ନମ୍ବର ବିଶିଷ୍ଟ ବୋଲେରୋଟି କିଡିଙ୍ଗ ଠାରେ ଠିଆ ହୋଇଥିବା ବେଳେ ଓଡି ୧୯ ଉଇ ୩୩୭୮ ନମ୍ବର ହାଇୱାଟି ଦ୍ରୁତ ଗତିରେ ଆସି ଧକ୍କା ଦେଇ ଫେରାର ହୋଇଯାଇଥିଲା। ଫଳରେ ସ୍ଥାନୀୟ ଲୋକେ ହାଇୱାକୁ ପିଛା କରି ପୋଖରୀବନ୍ଧ ପଞ୍ଚାୟତ ସ୍ଥିତ ବେନୀପୋଖରୀ ପେଟ୍ରୋଲ ପମ୍ପ ଠାରେ ଅଟକାଇଥିଲେ ଏବଂ ତୁରନ୍ତ ବିଶ୍ୱନାଥପୁର ପୋଲିସକୁ ଖବର ଦେଇଥିଲେ।ଖବର ପାଇ ବିଶ୍ୱନାଥପୁର ଥାନା ଅଧିକାରୀ କଳ୍ପନା ବେହେରା ଓ ପୋଲିସ ବଳ ଘଟଣାସ୍ଥଳରେ ପହଞ୍ଚି ହାଇୱାକୁ ଜବତ କରିଥିଲେ। ତଦନ୍ତ ବେଳେ ହାଇୱା ଚାଳକ ପ୍ରବଳ ମଦ୍ୟପାନ କରିଥିବା ଜଣାପଡିଥିଲା। ପୋଲିସ ମଦ୍ୟପ ଚାଳକୁ ଅଟକ ରଖି ସିକେରକୁପା ଫାଣ୍ଡିକୁ ହସ୍ତାନ୍ତର କରିଥିଲା। ଦୁର୍ଘଟଣାରେ କୌଣସି ପ୍ରାଣହାନୀ ହୋଇନଥିବା ବେଳେ ବୋଲେରୋଟିର ପଛପଟ ସମ୍ପୂର୍ଣ୍ଣ ଚୁରମାର୍ ହୋଇଯାଇଛି। ପୋଲିସ ଅଧିକ ତଦନ୍ତ ଚାଲିଥିବା ସୂଚନା ମିଳିଛି





