ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲାର ବିଶ୍ୱନାଥପୁରରେ ଏବର୍ଷ ପ୍ରଥମ ଥର ପାଇଁ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ନିର୍ମାଣ ହୋଇଥିବା ରଥର କାମ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ବର୍ତ୍ତମାନ ରଥରେ ଶେଷ ରଙ୍ଗ, ଚିତ୍ରକଳା, କଳାକୃତି, ପତାକା ଟାଙ୍ଗିବା, ଛତା ଓ ଅନ୍ୟାନ୍ୟ ସାମଗ୍ରୀର ଶେଷ ସ୍ପର୍ଶ ଦିଆଯାଉଛି। ଶିଳ୍ପୀମାନେ ଦିନ ରାତି କାମ କରି ରଥକୁ ହଳଦିଆ, ନୀଳ ଓ ସବୁଜ ରଙ୍ଗରେ ସଜାଉଛନ୍ତି। ରଥଯାତ୍ରାକୁ ସୁରୁଖୁରୁରେ କରିବା ପାଇଁ ବିଶ୍ୱନାଥପୁର ଜଗନ୍ନାଥ ସେବା ସମିତି ଲାଞ୍ଜିଗଡ଼ ବ୍ଲକ ପ୍ରଶାସନ, ବିଶ୍ୱନାଥପୁର ପୋଲିସ ଓ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି। ଭକ୍ତମାନଙ୍କ ସୁବିଧା ପାଇଁ ବିଶ୍ୱନାଥପୁର ରଥ ଛକ ପାଖରେ ପାନୀୟ ଜଳ, ପାର୍କିଂ ସ୍ଥାନ ଓ ଅନ୍ୟାନ୍ୟ ବ୍ୟବସ୍ଥା କରାଯାଉଛି। ଗତ ୭ ତାରିଖ ଦିନ ବିଶ୍ୱନାଥପୁର ରଥ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ବୈଠକରେ ରଥଯାତ୍ରାର ସମସ୍ତ କାର୍ଯ୍ୟକ୍ରମକୁ ଚୂଡ଼ାନ୍ତ କରାଯାଇଛି। ରଥଯାତ୍ରା କମିଟି ସଭାପତି ଓ ସଦସ୍ୟମାନେ ଲାଞ୍ଜିଗଡ଼ ବ୍ଲକର ସମସ୍ତ ଶ୍ରଦ୍ଧାଳୁଙ୍କୁ ବିଶ୍ୱନାଥପୁର ରଥଯାତ୍ରାରେ ଯୋଗଦେବାକୁ ଅନୁରୋଧ କରିଛନ୍ତି। ପ୍ରଥମ ବର୍ଷ ରଥଯାତ୍ରା ହେବାକୁ ଯାଉଥିବାରୁ ଅଞ୍ଚଳରେ ଉତ୍ସାହ ଦେଖାଦେଇଛି। ହଜାର ହଜାର ଭକ୍ତଙ୍କ ସମାଗମ ହେବ ବୋଲି ଶ୍ରୀ ଜଗନ୍ନାଥ ସେବା ସମିତି ପକ୍ଷରୁ ସୂଚନା ମିଳିଛି।





