୧୦୮ ଆମ୍ବୁଲାନ୍ସର ଅବହେଳା: ସମୟରେ ଚିକିତ୍ସା ନମିଳିବାରୁ ଚାଲିଗଲା କିଶୋରୀ ବାଳିକାଙ୍କ ଜୀବନ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲାରେ ପୁଣି ସାମ୍ନାକୁ ଆସିଛି ସ୍ୱାସ୍ଥ୍ୟ ସେବାର ଚରମ ବିପର୍ଯ୍ୟୟ। ୧୦୮ ଆମ୍ବୁଲାନ୍ସର ଦାୟିତ୍ୱହୀନତା ଓ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ରାସ୍ତାରେ ଦୀର୍ଘ ୩ ଘଣ୍ଟା କାଳ ଫସି ରହିଲା ଆମ୍ବୁଲାନ୍ସ। ୩ ଘଣ୍ଟା ପରେ ଆଉ ଗୋଟେ ଆମ୍ବୁଲାନ୍ସ ତାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଗଲା। କିନ୍ତୁ ବିଳମ୍ବ ଯୋଗୁଁ ଗୁରୁତର ରୋଗୀଙ୍କ ମୃତ୍ୟୁ ଘଟିଛି। ମୃତ ଜଣକ ହେଲେ ନର୍ଲା ବ୍ଲକ ତୁଳାପଡା ଗ୍ରାମର ରିୟା ନାଏକ (୧୧)। ଦୀର୍ଘ ଦୁଇମାସ ହେଲା ରିଆ ନାଏକ ପେଟ ଯନ୍ତ୍ରଣାରେ ପୀଡିତ ଥିଲା। ଯୋର ଯନ୍ତ୍ରଣା ଯୋଗୁଁ ରିୟାଙ୍କୁ ପ୍ରଥମେ ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ଭବାନୀପାଟଣା ଆସୁଥିବା ବେଳେ ଗୋହିରାପଦର ରେଳ ଫାଟକ ନିକଟରେ ଆମ୍ବୁଲାନ୍ସର ଚକ ପଞ୍ଚର ହୋଇଯାଇଥିଲା। ଦୁର୍ଭାଗ୍ୟବଶତଃ, ଗାଡ଼ିରେ ଥିବା ଜରୁରୀକାଳୀନ ଷ୍ଟେପନି ସ୍ପେୟାର୍ ଚକା ମଧ୍ୟ ପୂର୍ବରୁ ଖରାପ ଥିଲା। ବିକଳ୍ପ ବ୍ୟବସ୍ଥା ନଥିବାରୁ ଗୁରୁତର ରୋଗୀ ଜଣକ ରାସ୍ତା ଉପରେ ୩ ଘଣ୍ଟା କାଳ ଅଟକି ରହି ମୃତ୍ୟୁ ସହ ସଂଗ୍ରାମ କରିଥିଲେ। ବିଳମ୍ବରେ ଯେତେବେଳେ ତାଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚାଗଲା, ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏଭଳି ସଂଘାତିକ ଅବହେଳାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.