ଗଜପତି ଜିଲ୍ଲାରେ ଜାତୀୟ ମତ୍ସ୍ୟଚାଷୀ ଦିବସ ୨୦୨୬

ଓଡ଼ିଆ ବାର୍ତ୍ତା/ ଗଜପତି (ଗଣେଶ କୁମାର ରାଜୁ): ଆଜି ଗଜପତି ଜିଲ୍ଲା ମୁଖ୍ୟାଳୟ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ଠାରେ ଜାତୀୟ ମତ୍ସ୍ୟଚାଷୀ ଦିବସ-୨୦୨୬ ପାଳିତ ହୋଇଯାଇଛି ।
୧୯୫୭ ମସିହାରେ ବିଶିଷ୍ଟ ବୈଜ୍ଞାନିକ ଡଃ ହୀରାଲାଲ ଚୌଧୁରୀ ଏବଂ ଡଃ କେ.ଏଚ୍. ଅଲିକୂନହିଙ୍କ ଦ୍ୱାରା ଭାରତୀୟ ମେଜର କାର୍ପସ ମାଛ’ର ସଫଳ କୃତ୍ରିମ ପ୍ରଜନନ’ର ସ୍ମୃତି ଚାରଣ ପାଇଁ ପ୍ରତିବର୍ଷ ୧୦ ଜୁଲାଇକୁ ଜାତୀୟ ମତ୍ସ୍ୟ ଚାଷୀ ଦିବସ ଭାବେ ପାଳନ କରା ଯାଇଥାଏ। ରାଜ୍ୟରେ ମତ୍ସ୍ୟ ଚାଷର ଉନ୍ନତି ଏବଂ ମତ୍ସ୍ୟଚାଷୀ’ଙ୍କ ପ୍ରୋତ୍ସାହନ ପାଇଁ ମୁଖ୍ୟମନ୍ତ୍ରୀ ମତ୍ସ୍ୟ କଲ୍ୟାଣ ଯୋଜନା ଓ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ଭଳି ପ୍ରାୟ ୧୪ ଟି ଯୋଜନା ଚାଲିଛି। ଆଜିର କାର୍ଯ୍ୟକ୍ରମରେ ଏହି ସବୁ ଯୋଜନା ଗୁଡିକର ସଫଳ ରୂପାୟନ ସମ୍ବନ୍ଧରେ ଚର୍ଚ୍ଚା କରା ଯାଇଥିଲା । ମତ୍ସ୍ୟଚାଷୀ ଓ ମତ୍ସ୍ୟ ଅଧିକାରୀ’ଙ୍କ ମଧ୍ୟରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଜିଲ୍ଲାର ୫୦ ରୁ ଊର୍ଦ୍ଧ୍ୱ ମତ୍ସ୍ୟଚାଷୀ ଅଂଶଗ୍ରହଣ କରିଥିଲେ। ମତ୍ସ୍ୟ ଅଧିକାରୀ ଓ ବୈଜ୍ଞାନିକ ଗଣ ମତ୍ସ୍ୟ ପାଳନ’ର ବିଭିନ୍ନ ତତ୍ତ୍ୱ ପ୍ରଦାନ କରିଥିବା ବେଳେ ଚାଷୀମାନେ ନିଜ ନିଜର ଅନୁଭୂତି ଓ ଅଭିଜ୍ଞତା ବର୍ଣ୍ଣନା କରିଥିଲେ । ଶେଷରେ ଜିଲ୍ଲାର ୪ଜଣ ସଫଳ ମତ୍ସ୍ୟଚାଷୀଙ୍କୁ ପୁରସ୍କାର ଓ ମାନପତ୍ର ଦେଇ ସମ୍ମାନିତ କରା ଯାଇଥିଲା। ଉକ୍ତ କାର୍ଯକ୍ରମରେ ଜିଲ୍ଲା ମତ୍ସ୍ୟ ଅଧିକାରୀ ଶ୍ରୀ ଅରୁଣ କୁମାର ସାହୁ , ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଅଧିକାରୀ ଶ୍ରୀ ତୁଷାରେନ୍ଦୁ ନାୟକ , ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଏମ: ପ୍ରକାଶ ରାଓ , ସହକାରୀ ଅଧ୍ୟାପକ ଡ. ଅରବିନ୍ଦ ଉପାଧ୍ୟାୟ , ଉଦ୍ୟାନ ବୈଜ୍ଞାନିକ ଡ: ସୁଶ୍ରୀ ଚୌଧୁରୀ , ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ ଶ୍ରୀମତୀ ସୋନାଲି ସ୍ୱାଇଁ , ଓଡ଼ିଶା ଜୀବିକା ମିଶନ ଅଧିକାରୀ ଶ୍ରୀ ଟିମନ୍ ବାରା ପ୍ରମୁଖ ଉପସ୍ଥିତ ରହି ମତ୍ସ୍ୟଚାଷ ସମ୍ପର୍କରେ ଆଲୋଚନା କରିଥିଲେ। ସହକାରୀ ମତ୍ସ୍ୟ ଅଧିକାରୀ ଶ୍ରୀମତୀ ସୋନାଲି ମହାପାତ୍ର ଉକ୍ତ କାର୍ଯ୍ୟକ୍ରମର ସଫଳ ପରିଚାଳନା କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.