ଲଡୁଗାଁ-ବାନେର ରାସ୍ତା ନିର୍ମାଣ ଦାବିନେଇ ରାଜରାସ୍ତାରେ ଜନତା : ଉପଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପରେ ହଟିଲା ରାସ୍ତାରୋକ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲାର ଏକ ପ୍ରମୁଖ ବ୍ୟବସାୟୀକ ପେଣ୍ଠସ୍ଥଳୀ ଭାବେ ବେଶ୍ ଜଣାଶୁଣା ହେଉଛି ଲଡୁଗାଁ ସହର। ବ୍ୟବସାୟ ପାଇଁ ଦୈନିକ ହଜାର ହଜାର ଲୋକଙ୍କ ସମାଗମ ସହ ବିଭିନ୍ନ ଶିଳ୍ପାନୁଷ୍ଠାନ ଗୁଡିକକୁ ଯାନବାହାନ ଚଲାଚଳ ଲାଗି ରହିଥାଏ। ତେବେ ଜୟପାଟଣା ଓ କୋକସରା ବ୍ଳକକୁ ସଂଯୋଗ କରୁଥିବା ଲଡୁଗାଁ-ବାନେର ରାସ୍ତା ଦିର୍ଘ ବର୍ଷରୁ ଶୋଚନୀୟ ହୋଇ ପଡି ରହିଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳର ଜନ ସାଧାରଣ ପ୍ରଶାସନ ପାଖରେ ଅନେକ ଅଭିଯୋଗ ସତ୍ବେ କୌଣସି ଫଲପ୍ରଦ ହୋଇ ନାହିଁ। ଶେଷରେ ଉକ୍ତ ଅଞ୍ଚଳର ଅସନ୍ତୋଷ ଜନ ସାଧାରଣ ସୋମବାର ବାନେରଠାରେ ରାସ୍ତା ଅବରୋଧ କରି ଆନ୍ଦୋଳନ କରିଥିଲେ। ଲଡୁଗାଁଠାରୁ ବାନେରକୁ ସଂଯୋଗ କରୁଥିବା ପ୍ରାୟ ୧୫ କିଲୋମିଟର ରାସ୍ତା ରହିଛି। ପ୍ରତିବର୍ଷ ମରାମତି ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ରାସ୍ତା ଅବସ୍ଥାରେ ସୁଧାର ଆସୁନାହିଁ। ଏବଂ ଦିର୍ଘ ବର୍ଷରୁ ଶୋଚନୀୟ ହୋଇ ପଡି ରହିଛି। ଏହି ରାସ୍ତା ଉପରେ କଲମପୁର, ଜୟପାଟଣା ଓ କୋକସରା ବ୍ଳକର ପ୍ରାୟ ୫୦ ଖଣ୍ଡ ଗାଁର ଲୋକେ ନିର୍ଭର କରିଥାନ୍ତି। ଏହି ରାସ୍ତା ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ଟେଣ୍ଡର ପକ୍ରିୟା ସରିଥିବାବେଳେ ଅର୍ଥ ମଧ୍ୟ ମଞ୍ଜୁର ହୋଇ ସାରିଛି। ଇତି ମଧ୍ୟରେ ବର୍ଷେରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟ ଆରମ୍ଭ ନହୋଇ ପଡ଼ିରହିଥିବା ଲୋକେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଜଣେ ଠିକାଦାର ହାଇକୋର୍ଟର ଦ୍ବାରସ୍ଥ ହୋଇ ଏହି ରାସ୍ତା କାମକୁ ଷ୍ଟେ କରିଥିବା ଜଣାପଡିଛି। ଏସବୁ ଭିତରେ ଅଞ୍ଚଳର ଜନସାଧାରଣ ବାରମ୍ବାର ଅଭିଯୋଗ ସତ୍ବେ ରାସ୍ତାର କୌଣସି ସମାଧାନ ନ ହେବାରୁ ଯାତାୟତରେ ଅସୁବିଧା ଭୋଗୁଥିବାରୁ ଅସନ୍ତୋଷ ବ୍ୟକ୍ତ କରି ଆଜି ଆନ୍ଦୋଳନକୁ ଓହ୍ଲାଇ ବାନେର-ଲଡୁଗାଁ ଓ ମୋଟେର ରାସ୍ତାକୁ ବାନେର ନିକଟରେ ସକାଳୁ ଅବରୋଧ କରିଥିଲେ। ଫଳରେ ମୋଟେର-ଜୟପାଟଣା, ମୁଖୀଗୁଡା ମଧ୍ୟରେ ଗାଡି ଚଳାଚଳ ଠପ୍ ହୋଇଥିଲା। ଖବର ପାଇ ଧର୍ମଗଡ ଉପ ଜିଲ୍ଲାପାଳ ଧୀମନ ଚକମା ଆନ୍ଦୋଳନ ସ୍ଥଳରେ ପହଞ୍ଚି ସେମାନଙ୍କ ସହିତ ଆଲୋଚନା କରିଥିଲେ। ଏବଂ ୨୦ ଦିନ ସମୟ ମାଗି ପ୍ରଶାସନିକ ସ୍ତରରେ ସମାଧାନ କରାଯିବ ବୋଲି କହିବା ସହ ସେଠାରୁ ଆନ୍ଦୋଳନକାରୀ ମାନଙ୍କ ସହିତ ଲଡୁଗାଁ ପର୍ଯ୍ୟନ୍ତ ଦିର୍ଘ ୧୫ କିଲୋମିଟର କ୍ଷେତ୍ର ପରିଦର୍ଶନ କରିଥିଲେ। ଚିରସ୍ଥାୟୀ ରାସ୍ତା ପାଇଁ କେମିତି କାର୍ଯ୍ୟ ଉନ୍ନତ ମାନର ହେବ ସେଥିପାଇଁ ପ୍ରଶାସନିକ ସ୍ତରରେ ସମସ୍ତ ପ୍ରକାର ତଦାରଖ ଓ କାର୍ଯ୍ୟପନ୍ଥା ଅବଲମ୍ବନ କରିବା ପାଇଁ ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିବା ଜଣାପଡିଛି। ଦିର୍ଘ ୬ ଘଣ୍ଟାର ରାସ୍ତା ଅବରୋଧ ଫଳରେ ଗାଡ଼ି ମୋଟେର ଜାମ ହେବା ସହ ଯାତାୟାତ ବନ୍ଦ ହୋଇଥିଲା। ଫଳରେ ଯାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏହି ଆନ୍ଦୋଳନକୁ ଜୟପାଟଣା ଓ କୋକସରା ବ୍ଲକର ବିଭିନ୍ନ ଗ୍ରାମରୁ ଶହ ଶହ ଜନତା ସାମିଲ ହୋଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.