ଫକୀରମୋହନ ବିଶ୍ବବିଦ୍ୟାଳୟର ସମାଜସେବା ବିଭାଗ ପକ୍ଷରୁ ଦଶଦିନିଆ ଗ୍ରାମୀଣ ଶିବିର ଉଦଯାପିତ : ‘୫-ଜ’କୁ ନେଇ ପରିବେଷିତ ହେଲା ସଚେତନଶୀଳ ନାଟକ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଫକୀର ମୋହନ ବିଶ୍ବବିଦ୍ୟାଳୟର ସମାଜ ସେବା ବିଭାଗ ତରଫରୁ ମୟୂରଭଞ୍ଜ ଜିଲ୍ଲାର ଶରତ ବ୍ଲକର ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମ ସହ ଦଶଦିନିଆ ଗ୍ରାମୀଣ ଶିବିର ଶେଷ ହୋଇଯାଇଛି। ଏହାର ଉଦଯାପନୀ ଉତ୍ସବରେ ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ‘୫-ଜ’ ଯାହା ଜଙ୍ଗଲ, ଜମି, ଜନ୍ତୁ, ଜଳ ଓ ଜୀବନ ତଥା ଆଦିବାସୀଙ୍କ ପରିଚୟ ସୃଷ୍ଟି ବିଷୟ ଆଧାରିତ ଏକ ସୁନ୍ଦର ନାଟକ ପରିବେଷଣ କରାଯାଇଥିଲା। ବିଭାଗର ଅଧ୍ୟାପିକା ରଶ୍ମିରେଖା ରାଉତ ଉକ୍ତ ନାଟକର ସଂଳାପ ଲେଖିବା ସହିତ ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ। ଏଥିସହିତ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ବାର୍ତ୍ତାରେ ଅନୁପ୍ରାଣିତ ଛାତ୍ରଛାତ୍ରୀମାନେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ, ସାମ୍ପ୍ରଦାୟିକ ଗୋଷ୍ଠୀଙ୍କ ସହ ଉତ୍ସବ ଆଦି ପାଳନ କରିଥିଲେ। ଏହି ଦଶଦିନିଆ ଗ୍ରାମୀଣ ଶିବିରରେ ଅନେକ ସଚେତନତା ଭିତ୍ତିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା। ଶରତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ବାଳିକା ଆଶ୍ରମରେ ମାସିକ ଋତୁସ୍ରାବକୁ ନେଇ ଏକ ସଚେତନତା ମୂଳକ ନାଟକ ପ୍ରଦର୍ଶନ କରିଥିଲେ। ହୋ, କୋଲହ, ଲୁଧା, ସାନ୍ତାଳି ଆଦିବାସୀଙ୍କ ଜୀବନଯାପନ ପ୍ରଣାଳୀ, ସଂସ୍କୃତି, ପରମ୍ପରା ଆଦି ସଂପର୍କିତ ତଥ୍ଯ ଗୁଡିକୁ ପି.ଆର୍.ଏ ଏକ୍ସରସାଇଜ୍ ମାଧ୍ୟମରେ ସଂଗ୍ରହ କରାଯାଇଥିଲା। ବାଲ୍ଯ ବିବାହ ପ୍ରଥାର ବିରୋଧ, ଶିକ୍ଷାର ଅଧିକାର, ସ୍ବାସ୍ଥ୍ୟର ଯତ୍ନ, ଅନ୍ଧବିଶ୍ୱାସ ଦୂରୀକରଣ ଆଦି ପ୍ରସଙ୍ଗ ନେଇ ୫ଟି ପଥପ୍ରାନ୍ତ ନାଟକ ପରିବେଷଣ କରାଯାଇଥିଲା। ଛାତ୍ରଛାତ୍ରୀମାନଙ୍କ ଏହି ସାମାଜିକ ସଚେତନତାର ପ୍ରଚେଷ୍ଟାକୁ ରାସଗୋବିନ୍ଦପୁର, ଅନ୍ତ୍ଯୋଦୟ ଚେତନା ମଣ୍ଡଳ ( ଏ.ସି.ଏମ) ର ସଂପାଦକ ଆଦିତ୍ଯ ପଟ୍ଟନାୟକ ପ୍ରଶଂସା ବ୍ୟକ୍ତ କରିବା ସହ ଏ.ସି.ଏମ ଅନୁଷ୍ଠାନ ପରିଦର୍ଶନର ସୁଯୋଗ ପ୍ରଦାନ କରିଥିଲେ। ସେଠାରେ ସଂପାଦକ ଆଦିତ୍ଯ ପଟ୍ଟନାୟକ, ନିର୍ଦ୍ଦେଶକ ସୁମିତ ପଟ୍ଟନାୟକ ଓ ଗୁରୁକୂଳ ବିଦ୍ୟାଳୟର ଅଧ୍ୟକ୍ଷ ଗୀତା ପଟ୍ଟନାୟକ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ନେତୃତ୍ବ ତଥା ଶିକ୍ଷାର ବିସ୍ତାରିତ ସ୍ତରକୁ ଛାତ୍ରଛାତ୍ରୀଙ୍କ ଦ୍ବାରା ନିଷ୍ପାଦନ କରିବାର ପ୍ରୟାସକୁ ଅନେକ ସମ୍ମାନ ଦେବାସହ ଛାତ୍ରଛାତ୍ରୀଙ୍କୁ ସମାଜ ପ୍ରତି ଦାୟିତ୍ବ ଓ କର୍ତ୍ତବ୍ଯ ସଂପର୍କରେ ଅବଗତ ତଥା ଏକ ଶପଥପାଠ କରାଇଥିଲେ। ଉଦଯାପନୀ ଉତ୍ସବରେ ପିତାମ୍ବର ସାହୁ, ଡକ୍ଟର ଭଗବାନ ପଣ୍ଡା, ତୁରାମ ସିଂ, ଆଦିବାସୀ ଯୁବନେତା ବାଗୁନ୍ ସିଂ ଆଦି ଉପସ୍ଥିତ ହୋଇ ବିଶ୍ବବିଦ୍ୟାଳୟ ଦ୍ବାରା ଆୟୋଜିତ ଏହିପ୍ରକାର କାର୍ଯ୍ୟକ୍ରମର ପ୍ରଶଂସାଗାନ କରିଥିଲେ। ଶେଷରେ ସମାଜ ସେବା ବିଭାଗର ଅଧ୍ୟାପିକା ରଶ୍ମିରେଖା ରାଉତ ଏହି କାର୍ଯ୍ୟକ୍ରମର ସମସ୍ତ ଶ୍ରେୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କୁ ପ୍ରଦାନ କରିବା ସହ ଆନ୍ତରିକ ଧନ୍ୟବାଦ ଓ ଶିବିରର ସଫଳ ରୂପାୟନ ପାଇଁ କୃତଜ୍ଞତା ଜ୍ଞାପନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.