ଲାଞ୍ଜିଗଡ଼ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ସମ୍ପନ୍ନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଠାରେ ୯୧ ଫୁଟର ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ସମ୍ପନ୍ନ ହୋଇଯାଇଛି। ୨୨ ତାରିଖରୁ ଆରମ୍ଭ ହେଇଥିବା ଏହି ପ୍ରତିଷ୍ଠା ଉତ୍ସବ ଆଜି ସମ୍ପନ୍ନ ହୋଇଛି। ଗୁରୁବାର ପ୍ରଥମ ଦିନରେ ମଣ୍ଡଳା କରଣ, ଦୀକ୍ଷା ଗ୍ରହଣ, ଅଙ୍କୁର ରୋପଣ ସହିତ ଭବ୍ୟ କଳସ ଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଆଜି ସୋମବାର ବ୍ରାହ୍ମଣ ପୂର୍ଣ୍ଣାହୁତି, ରତ୍ନସିଂହାସନ, ଆରୋହଣ,ଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିର ପାର୍ଶ୍ୱରେ ମାଁ ମହାଲକ୍ଷ୍ମୀ ଓ ମାଁ ବିମଳାଙ୍କ ପ୍ରତିଷ୍ଠା ସମ୍ପନ୍ନ ହୋଇଛି। ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳା ସହିତ ସମ୍ପନ୍ନ ହୋଇଥିବାବେଳେ ଲାଞ୍ଜିଗଡ଼ ଶ୍ରୀ ହରିହର ସାଂସ୍କୃତିକ ସେବା ସମିତି, ଲାଞ୍ଜିଗଡ଼ ଗ୍ରାମବାସୀ ଓ ଲାଞ୍ଜିଗଡ଼ ବେଦାନ୍ତ ଲିମିଟେଡ଼ର ସଦସ୍ୟ ମାନେ ମନ୍ଦିର ପରିସରରେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମକୁ ସୁଚାରୁରୂପେ ସମ୍ପାଦନ କରିଛନ୍ତି। ଏଥିରେ ହଜାର ହଜାର ଭକ୍ତ ଶ୍ରଦ୍ଧାଳୁ ମାନେ ପ୍ରଭୁ କୃପା ଲାଭ କରିବା ସହିତ ଜଗନ୍ନାଥ ପ୍ରେମୀମାନେ ଉପସ୍ଥିତ ରହିଥିଲେ। ତେବେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ରୀତିନୀତି ଅନୁସାରେ ସମସ୍ତ କାର୍ଯ୍ୟ ସମାପନ ହୋଇଥିବାବେଳେ ମନ୍ଦିର ପରିସର ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ଶେଷରେ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପ୍ରସାଦ ପାଇଥିଲେ। ଏହି ପ୍ରତିଷ୍ଠା ଉତ୍ସବରେ ଓଡ଼ିଶା ସରକାରଙ୍କ ଯୋଜନା ଓ ସଂଯୋଜନା ବିଭାଗ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ, ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ, ସ୍ୱତନ୍ତ୍ର ପରିଷଦ ଅଧକ୍ଷ ଶିବାଜୀ ମାଝୀ, ପୁର୍ବତନ ସାଂସଦ ଅର୍କ କେଶରୀ ସିଂଦେଓ, ଲାଞ୍ଜିଗଡ଼ ତହସିଲଦାର କିରଣ କୁମାର ମହାନ୍ତି, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଶାଙ୍କ ପାତ୍ର, ଅଧକ୍ଷା କମଳା ପାତ୍ର, ଉପାଧ୍ୟକ୍ଷ ସଂଜୀବ ନାୟକ, ଥୁ-ରାମପୁର ବ୍ଲକ ଅଧକ୍ଷ ଦୟାନିଧି ମାଝୀ, ଜିଲ୍ଲାପରିଷଦ ସଦସ୍ୟ ପରୀକ୍ଷିତ ନାଏକ ପ୍ରମୁଖଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ପ୍ରଭୁଙ୍କ କୃପାଲାଭ କରିଥିଲେ। ତେବେ ଆଜି ଏହି ଅବସରରେ ମାଁ ହୀରାନୀଳା ଷ୍ଟୋନ୍ କ୍ରସର ପକ୍ଷରୁ ରମେଶ ସାହୁ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ପାଇଁ ତିନିଗୋଟି ରୋପ୍ୟମୁକୁଟ ପ୍ରଦାନ କରିଥିବା ବେଲେ ଏଥିରେ ବେଦାନ୍ତ ଲିମିଟେଡ଼ ଡେପୁଟି ସିଈଓ ଗୋବିନ୍ଦ ଗୋପାଳ ପାଲ, ଶ୍ରୀ ହରିହର ସାଂସ୍କୃତିକ ସେବା ସମିତି ସଭାପତି ରାଜେନ୍ଦ୍ର ପ୍ରତାପ ସିଂଦେଓ, ଶ୍ରୀଧର ପେସନିଆ, ଚନ୍ଦ୍ରଧୂଜ ପେସନିଆ, ହିମାଦ୍ରୀ ପେସନିଆ, ସୁବାଷ ଅଗ୍ରୱାଲ, ଲାଞ୍ଜିଗଡ଼ ସରପଞ୍ଚ ସରସ୍ବତୀ ମୁଣ୍ଡାଙ୍କ ସମେତ ସମସ୍ତ କର୍ମକର୍ତ୍ତା ଓ ଲାଞ୍ଜିଗଡ଼ ଯୁବଗୋଷ୍ଠୀ ଓ ଲାଞ୍ଜିଗଡ଼ ପୋଲିସ ପକ୍ଷରୁ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.