ନର୍ଲା-କୁର୍ମେଲ ପ୍ରାଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ପ୍ରସଙ୍ଗ; ଅଧପନ୍ତରିଆ ପଡିରହିଛି କାମ, ହୋଇପାରେ ଭୋଟ ବର୍ଜନ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ନର୍ଲା-କୁରମେଲ ପ୍ରଧାନ ମନ୍ତ୍ରୀ ଗ୍ରାମ ସଡକ ରାସ୍ତା ଅଧପନ୍ତରିଆ ହୋଇ ପଡିରହିଛି । ଦୀର୍ଘ ୧୦ ବର୍ଷ ହୋଇଗଲାଣି ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡ଼ିଥିବା ବେଳେ ବିଭାଗ ଏଥିପ୍ରତି ତିଳେହେଲେ ଦୃଷ୍ଟି ଦେଉନଥିବା ଅଭିଯୋଗ ହେଉଛି । ବାରମ୍ବାର ବିଭାଗ କୁ ଅଭିଯୋଗ କରି ଲୋକେ ଥକି ପଡିଲେଣି ଲୋକେ ହେଲେ ବିଭାଗ କର୍ଣ୍ଣପାତ କରୁନାହିଁ । ଏଣୁ ଖୁବ କମ ଦିନ ମଧ୍ୟରେ ଅଞ୍ଚଳବାସୀ ଆନ୍ଦୋଳନ ପାଇଁ ଅଣ୍ଟାଭିଡୁଥିବା ଜଣାପଡିଛି । କୁରମେଲ କୁ ନର୍ଲାର ଉପାନ୍ତ ଅଞ୍ଚଳ ଭାବରେ ବିବେଚନା କରାଯାଉଥିବା ବେଳେ, ଭଲ ରାସ୍ତାଟିଏ ନଥିଲା ଏହି ଗ୍ରାମ ପଞ୍ଚାୟତର ଗୋରକେଲ, ବୁଦେଲଗୁମା, କୁର୍ମେଲ ପ୍ରଭୃତି ସ୍ଥାନକୁ ଯିବାପାଇଁ । ଜନସାଧାରଣଙ୍କ ଦାବି ଫଳରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ୨୦୧୪ ମସିହାରେ ଭବାନୀପାଟଣାର ଜନୈକ ଠିକାଦାର ରାସ୍ତାକାମ ଆରମ୍ଭ କଲେ । ପ୍ରଥମେ ଅତି ନିମ୍ନ ମାନର କାମକୁ ଜନସାଧାରଣ ବିରୋଧ କରିବା ପରେ ଯାହିତାହି ଭାବରେ କାମଚଳା ରାସ୍ତା ନିର୍ମାଣ କରିଦେଲେ । ହେଲେ ଗତ ପାଞ୍ଚବର୍ଷ ମଧ୍ୟରେ ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡିଲାଣି । ଆଉ ସବୁଠୁ ବଡ ସମସ୍ୟା ହେଲା ୭.୫ କି.ମି. ରାସ୍ତା ନିର୍ମାଣ ପାଇଁ ସାଢେ ସାତ କୋଟି ଟଙ୍କା ଖର୍ଚ୍ଚ ଅଟକଳ ରହିଥିଲା । ହେଲେ ଜୁରକାଭଟା ର ଶେଷ ମୁଣ୍ଡରୁ ଗୋରକେଲ ଗ୍ରାମ ଆରମ୍ଭ ଯାଏଁ ରାସ୍ତା ପରେ କରିବା କହି ସ୍ଥାନୀୟ ଲୋକଙ୍କୁ ପ୍ରତାରଣା କରାଗଲା । ହେଲେ ପରେ ଆଉ ରାସ୍ତକାମ କରାଗଲା ନାହିଁ । ସେମିତି ଅଧାପନ୍ତରିଆ ଭାବରେ ବିପଦ ସଂକୁଳ ଅବସ୍ଥାରେ ପଡି ରହିଛି ରାସ୍ତା ଖଣ୍ଡିକ । ଆଉ ଆରଡି ବିଭାଗର ଅଧିକାରୀ ମଧ୍ୟ ସେହି ରାସ୍ତାଟିକୁ ଦେଖିବା ପାଇଁ ଆସୁ ନାହାନ୍ତି କିମ୍ବା ସେହି ଅଧା କାମ ନହୋଇ ପଡିରହିଥିବା ୩୦୦ମିଟର ୫୦ ଲକ୍ଷ ଟଙ୍କା ବ୍ୟୟ ଅଟକଳର ରାସ୍ତା ନିର୍ମାଣ ର ନାଁ ମଧ୍ୟ ଧରୁ ନାହିଁନ୍ତି ବୋଲି ଜନସାଧାରଣ ଅଭିଯୋଗ କରୁଛନ୍ତି । କେବଳ ଏହି ୩୦୦ ମିଟର ରାସ୍ତା ନୁହଁ । ନର୍ଲା ରୁ କୁରମେଲ ଯାଏ ରାସ୍ତା ସମ୍ପୂର୍ଣ୍ଣ ଖରାପ ହୋଇ ପଡିଛି । ନର୍ଲା ଗ୍ରାମ ପଞ୍ଚାୟତ ଅଧିନସ୍ଥ ଜୁର୍କାଭଟା ଓ କୁରମେଲ ଗ୍ରାମ ପଞ୍ଚାୟତ ଅଧିନସ୍ଥ ଗୋରକେଲ ଗ୍ରାମ ମଧ୍ୟସ୍ଥ ଗାଡିଆଯୋର ନଦୀ ଉପରେ ରହିଥିବା ବ୍ରିଜ୍ ଦୁଇପାଶ୍ୱର୍ସ୍ଥ ରାସ୍ତା ବର୍ତ୍ତମାନ ସ୍ଥାନୀୟ ଜନସାଧାରଣଙ୍କର ମୁଣ୍ଡବ୍ୟଥାର କାରଣ ସାଜିଛି । ନଈପାଣି ବନ୍ୟାବେଳେ ବ୍ରିଜର ଦୁଇପାଖର ରାସ୍ତାକୁ ସଂପୂର୍ଣ୍ଣ ଭାବରେ ଖାଇ ବଡ ବଡ ଘାଇ ସୃଷ୍ଟି ହୋଇ ଯାଇଥିଲା । ଦୁଇ ମୁଣ୍ଡରେ ମାଟି ଭର୍ତ୍ତିକରି ଅସ୍ଥାୟୀ ଭାବରେ ରାସ୍ତା ନିର୍ମାଣ କରାଯାଇଥିଲେ ମଧ୍ୟ ବର୍ତ୍ତମାନ ଭଲ ରାସ୍ତା ନାହିଁ କହିଲେ ଚଳେ । ରାସ୍ତା ପାର୍ଶ୍ବରେ ନଈ ମଧ୍ୟକୁ ଧସି ପଡ଼ିଛି। ଏହି ବିପଦ ସଂକୁଳ ରାସ୍ତାଟି ଯୋଗୁଁ ଅନେକ ଥର ଦୁର୍ଘଟଣା ମଧ୍ୟ ଘଟି ସାରିଛି । ହେଲେ ଏଥିପ୍ରତି ଆର୍ଡି ବିଭାଗର ମଧ୍ୟ ନିଘା ନାହିଁ । ପ୍ରଶାସନ ମଧ୍ୟ ସ୍ଥାଣୁ ପାଲଟି ଯାଇଛି ।ବାସ୍ତବିକ ଯୁର୍କାଭଟା ଗ୍ରାମର ଶେଷ ମୁଣ୍ଡରେ ମରଣ ଯନ୍ତା ପାଲଟିଛି ନର୍ଲା – କୁର୍ମେଲ ରାସ୍ତା । ବିଭାଗ ଏବଂ ପ୍ରଶାସନ କାହାକୁ କାହିଁକି ଦାଇତ୍ୱ ଦେଉନାହିଁ ସେହି ଅଧ କି.ମି. ରାସ୍ତାକାମ କରିଦେବା ପାଇଁ ବୋଲି ଅଞ୍ଚଳର ବୁଦ୍ଧିଜିବୀ ମାନେ ପ୍ରଶ୍ନ କରିବା ସହ ତୁରନ୍ତ ପ୍ରଶାସନ ଏହି ରାସ୍ତା ନିର୍ମାଣ ପ୍ରତି ଦୃଷ୍ଟିଦେଉ । ନହେଲେ ଅନର୍ଥ ହେବ ବୋଲି ଅଞ୍ଚଳବାସୀ ଜନସାଧାରଣ ଚେତାବନୀ ଦେଇଛନ୍ତି । ଏବେ ଆଖପାଖ ଗାଁ ଗାଁ ରେ ଲୋକେ ମିଟିଂ କରି ଆଳ୍ପଦିନ ମଧ୍ୟରେ ଆନ୍ଦୋଳନ ପାଇଁ ସଜବାଜ ହେଉଥିବା ଜାଣିବାକୁ ମିଲୁଛି । ଦରକାର ପଡ଼ିଲେ ଭୋଟ ବର୍ଜନ ମଧ୍ଯ କରାଯିବ ବୋଲି ଲୋକେ ଆଲୋଚନା କରୁଥିବା ଶୁଣିବାକୁ ମିଳୁଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.