ମଦନପୁର ରାମପୁରକୁ ରାଜସ୍ବ ଉପଖଣ୍ଡ ଓ ବିଜ୍ଞାପିତ ପରିଷଦ ଘୋଷଣା ଦାବିରେ ବ୍ୟବସାୟିକ ସଂଘର ବନ୍ଦ ପାଳନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକକୁ ରାଜସ୍ବ ଉପଖଣ୍ଡ ମାନ୍ୟତା ଦାବିରେ ବିଭିନ୍ନ ସଂଗଠନ ତରଫରୁ ପ୍ରାୟ ୩୦ ବର୍ଷ ଧରି ଆନ୍ଦୋଳନ ଚାଲିଛି l ଆଗକୁ ସାଧାରଣ ନିର୍ବାଚନ ଥିବାରୁ ସରକାର ମାଳ ମାଳ ଯୋଜନା ସବୁ ଘୋଷଣା କରୁଛନ୍ତି l ସରକାର ଦୁଇ ଦିନ ତଳେ ୩୫ ଗୋଟି ବିଜ୍ଞପିତ ପରିଷଦ ଘୋଷଣା କରିଛନ୍ତି l କିନ୍ତୁ ଏଥିରୁ ମ.ରାମପୁର ବାଦ ପଡ଼ିଛି l ଏହି ଖବର ପ୍ରଚାରିତ ହେବା ପରେ ସରକାରଙ୍କ ବୈମାତୃକ ମନୋଭାବ ଯୋଗୁଁ ଅଞ୍ଚଳବାସୀ ଘୋର ଅସନ୍ତୋଷ ବ୍ୟକ୍ତ କରିଛନ୍ତି l ୧୯୯୩ ମସିହାରେ ତତ୍କାଳୀନ ମୁଖ୍ୟ ମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କୁ ମ.ରାମପୁରକୁ ରାଜସ୍ବ ଉପଖଣ୍ଡ ମାନ୍ୟତା ପ୍ରଦାନ ପାଇଁ ଦାବି କରାଯାଇଥିଲା l ସେତେବେଳେ ସେ ଦାବି ପୂରଣ ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ l ଏହି ଦାବିକୁ ଆଜି ୩୦ ବର୍ଷ ହୋଇଗଲାଣି l ସେହି ଦିନ ଠାରୁ ଆଜି ପର୍ଯ୍ୟନ୍ତ ରାଜସ୍ବ ଉପଖଣ୍ଡ ମାନ୍ୟତା ଦାବିରେ ବିଭିନ୍ନ ସଂଗଠନ ତରଫରୁ ଦାବୀ ଏବଂ ଆନ୍ଦୋଳନ ହୋଇ ଆସୁଛି l ତଥାପି ସରକାର କର୍ଣ୍ଣପାତ କରୁନାହାନ୍ତି l ଏବେ ଅଞ୍ଚଳବାସୀ ଖୁବ୍ ଆଶା ରଖିଥିଲେ ସରକାର ମ.ରାମପୁରକୁ ରାଜସ୍ବ ଉପଖଣ୍ଡ କିମ୍ବା ବିଜ୍ଞାପିତ ପରିଷଦ ଘୋଷଣା କରିବେ ବୋଲି l କିନ୍ତୁ ଘୋଷିତ ତାଲିକାରେ ମ.ରାମପୁର ବାଦ୍ ପଡ଼ିବାରୁ ସାଧାରଣ ଜନତାଙ୍କୁ ନିରାଶ କରିଛି l ଏଥି ଯୋଗୁଁ ସରକାରଙ୍କ ବିରୋଧରେ ଅସନ୍ତୋଷ ଦାନା ବାନ୍ଧୁଛି l ଏହାର ପ୍ରଭାବ ଆସନ୍ତା ସାଧାରଣ ନିର୍ବାଚନରେ ସରକାରଙ୍କ ବିରୋଧରେ ଯିବ ବୋଲି ଚର୍ଚ୍ଚା ହେଉଛି l ଆଜି ମ.ରାମପୁର ବ୍ୟବସାୟିକ ସଂଘର ଆହ୍ଵାନରେ ମ.ରାମପୁର ବନ୍ଦ ପାଳନ କରାଯାଇଛି l ଏହି ବନ୍ଦ ସକାଳ ୬ ଘଣ୍ଟାରୁ ମଧ୍ୟାହ୍ନ ୧୨ ଘଣ୍ଟା ଯାଏଁ ସମସ୍ତ ଦୋକାନ ବଜାର ବନ୍ଦ ରହି ଶାନ୍ତିପୂର୍ଣ୍ଣ ଭାବରେ ସମାପନ ହୋଇଥିଲା l ଏକ ଦାବି ପତ୍ର ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ବିଡ଼ିଓ ସବ୍ୟସାଚୀ ବେହେରାଙ୍କୁ ପ୍ରଦାନ କରାଯାଇଛି l ଏହି ବନ୍ଦ ପାଳନର ନେତୃତ୍ୱ ବ୍ୟବସାୟିକ ସଂଘର ସମ୍ପାଦକ ପ୍ରଶାନ୍ତ ସାମନ୍ତରା ନେଇଥିବାବେଳେ ଏଥିରେ ସଂଘର ସଦସ୍ୟ ପପୁ ଅଗ୍ରୱାଲ,ନବୀନ ଅଗ୍ରୱାଲ, ଦୀନେଶ ଜୈନଙ୍କ ସମେତ ଅନ୍ୟ ମାନେ ସହଯୋଗ କରିଥିଲେ l ଏଥିରେ ବରିଷ୍ଠ ନାଗରିକ ଚମରା ବଗର୍ତ୍ତି, ବରିଷ୍ଠ ଆଇନଜୀବୀ ସତ୍ୟଜିତ ଚାଟାର୍ଜୀ, ପୂର୍ବତନ ସରପଂଚ ବିଭୁତି ଭୁଷଣ ମହାଖୁଡ, ପୂର୍ବତନ ସରପଂଚ ଚିତ୍ତରଞ୍ଜନ ବାଗ, ଆଦିବାସୀ ନେତା ପ୍ରକାଶ ଚନ୍ଦ୍ର ମାଝୀ ପ୍ରମୁଖ ସାମିଲ ରହିଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.