ରିଷଭ ପନ୍ତ ଏବେ ଫିଟ୍; ସହାୟ ହେଲା ଜିମ୍ନାଷ୍ଟ ବ୍ୟାକଗ୍ରାଉଣ୍ଡ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ରିଷଭ ପନ୍ତ ଏବେ ପଡିଆରେ । ୱିକେଟ ପଛରେ କିପିଂ ଏବଂ ବ୍ୟାଟିଂ ନେଇ ସେ ପ୍ରସ୍ତୁତ । ଆଇପିଏଲ ୨୦୨୪ ତାଙ୍କ ପାଇଁ ଅଗ୍ନିପରୀକ୍ଷା । ଶାରୀରିକ, ମାନସିକ, ଫର୍ମ ସବୁ କିଛିରେ ସଫଳ ହେଲେ ଟି୨୦ ବିଶ୍ୱକପର କବାଟ ତାଙ୍କ ପାଇଁ ଖୋଲିବ । ୩୦ ଡିସେମ୍ବର ୨୦୨୨ରେ ଉତରାଖଣ୍ଡର ରୁଡକୀ ପାଖରେ ତାଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ପନ୍ତ ଆଶ୍ଚର୍ଯ୍ୟଜନକ ଭାବେ ବଂଚି ଯାଇଥିଲେ । ସେ କ୍ରିକେଟକୁ ଫେରିବେ ତାହା ଆଉ ସମ୍ଭବପର ଲାଗୁ ନ ଥିଲା । ଡାକ୍ତରୀ ଚିକିତ୍ସା ପରେ ସେ ଯେତେବେଳେ ବିପଦମୁକ୍ତ ହେଲେ ତାଙ୍କୁ ପୁଣି କ୍ରିକେଟ ନିଶା ଡାକିଥିଲେ । ପନ୍ତ ପୁଣି କ୍ରିକେଟକୁ ଛାଡି ରହିପାରିବେ; ଅସମ୍ଭବ । ଆରମ୍ଭ ହେଲା ଯନ୍ତ୍ରଣାଦାୟ ପ୍ରଶିକ୍ଷଣ । ଟିପରୁ ତଳିପା ସବୁ କିଛି ମଜଭୁତ କରିବାକୁ ପଡିବ । ମାନସିକ ଦୃଢ଼ତା ଓ ଆତ୍ମବିଶ୍ୱାସ ଆଗରେ ସବୁ କିଛି ହାର ମାନିଥାଏ । ପନ୍ତ ପିଲାବେଳେ ଭଲ ଜିମ୍ନାଷ୍ଟ ଥିଲେ । ସେ ଏଥିରେ ତାଙ୍କ କ୍ୟାରିୟର କରିବାକୁ ଚାହୁଥିଲେ । ମାତ୍ର କ୍ରିକେଟ ପ୍ରେମ ତାଙ୍କୁ ବିଗାଡି ଦେଇଥିଲା । ଏବେ ସେହି ଜିମ୍ନାଷ୍ଟ କଳା ତାଙ୍କ ଫିଟ ହେବାର ମୂଖ୍ୟ କାରଣ ସାଜିଥିଲା । ଶରୀରକୁ ସନ୍ତୁଳିତ ରଖିବାରେ ଏହା ବେଶ ସହାୟ ହୋଇଥିଲା ।ଏନସିଏର ଫିଜିଓଥେରାପିଷ୍ଟ ମଧ୍ୟ ପନ୍ତଙ୍କୁ ସୁସ୍ଥ ହେବାକୁ ଅତି କମରେ ୨ ବର୍ଷ ସମୟ ଲାଗିବ ବୋଲି କହିଥିଲେ । ଏବେ ପନ୍ତ ଫିଟ । ଆଇପିଏଲରେ ତାଙ୍କର କ୍ରିକେଟ ସିଲାବସ ବାହାର ଶଟ ଦେଖିବା ପାଇଁ ପ୍ରଶଂସକ ବ୍ୟଗ୍ର । ସେ ନିଜେ ବି କହିଛନ୍ତି ଯେ, କ୍ରିକେଟ ପ୍ରତି ପ୍ରେମ ଆହୁରି ବଢ଼ିଯାଇଛି । ମୁଁ ଏହି ସୁଯୋଗ ହାତଛଡା କରିବି ନାହିଁ । ପନ୍ତ ଆଇପିଏଲରେ ୯୮ ମ୍ୟାଚ ଖେଳି ୨୮୩୮ ରନ କରିଛନ୍ତ । ସେହିପରି ୩୩ ଟେଷ୍ଟରେ ୨୨୭୧, ୩୦ ଦିନିକିଆରେ ୮୬୫ ଓ ୬୬ ଟି୨୦ରେ ୯୮୭ ରନ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.