ବିଜେପି ଛାଡ଼ିଲେ ପ୍ରଦୀପ ନାଏକ : ସ୍ବାଧିନ ପ୍ରାର୍ଥୀ ଭାବେ ଲଢ଼ିବାକୁ କଲେ ଘୋଷଣା 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ କଳାହାଣ୍ଡି ତଥା ନର୍ଲା ବିଜେପିକୁ ଲାଗିଛି ଏକ ଶକ୍ତ ଧକ୍କା। ବିଜେପିକୁ ବାଏ ବାଏ କହି ସ୍ବାଧିନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବାକୁ ଘୋଷଣା କରିଛନ୍ତି ନର୍ଲାର ଯୁବ ନେତା ତଥା କଳାହାଣ୍ଡି ଜିଲ୍ଲା ବିଜେପି ଓବିସି ମୋର୍ଚ୍ଚା ସଭାପତି ପ୍ରଦୀପ କୁମାର ନାଏକ। ବୁଧବାର ଭବାନୀପାଟଣା ସ୍ଥିତ ଭାଗିରଥି ଇନ୍ ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ଛାଡ଼ିଥିବା କଥା କହିଛନ୍ତି ପ୍ରଦୀପ।  ନର୍ଲାର ପୂର୍ବତନ ଜିଲ୍ଲିପରିଷଦ ସଦସ୍ୟ ଥିବା ଶ୍ରୀ ନାଏକ କଳାହାଣ୍ଡି ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି, କଳାହାଣ୍ଡି ଲୋକସଭା ସାଂସଦଙ୍କ ନର୍ଲା ପ୍ରତିନିଧି ପରି ଗୁରୁତ୍ବପୂର୍ଣ୍ଣ ପଦ ପଦବୀରେ ରହି ଆସିଛନ୍ତି। ଇସ୍ତାଫାର କାରଣ କହିଛନ୍ତି ପ୍ରଦୀପ – ପୂର୍ବରୁ ୨୦୧୯ ଓ ବର୍ତ୍ତମାନ ୨୦୨୪ ନିର୍ବାଚନରେ ସେ ନର୍ଲା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ସ୍ଥାନୀୟ ପ୍ରାର୍ଥୀ ଭାବରେ ବିଜେପି ଟିକେଟ ଆଶାୟୀ ଥିଲେ। ଅଞ୍ଚଳର ଜନସାଧାରଣ ମଧ୍ୟ ସ୍ଥାନୀୟ ପ୍ରାର୍ଥୀତ୍ଵ ଦାବି କରିଥିଲେ। କିନ୍ତୁ ଦଳ ତାଙ୍କୁ ଉପେକ୍ଷା କରିଥିବାରୁ ବାଦ୍ଧ୍ୟ ହୋଇ ବିଜେପି ଛାଡିଥିବା ପ୍ରକାଶ କରିଛନ୍ତି। ଆଗାମୀ କାର୍ଯ୍ୟପନ୍ଥା ବିଷୟରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ସେ ନର୍ଲା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ସ୍ବାଧିନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ନାଏକଙ୍କ ସହ ପୂର୍ବତନ ରୁପ୍ରା ମଣ୍ଡଳ ସଭାପତି ଉତ୍ତର ପଧାନ, ସର୍ଗିଗୁଡା ଶକ୍ତିକେନ୍ଦ୍ର ପ୍ରମୁଖ ଦେବରାଜ ନାଏକ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ତଥା ଆଦିବାସୀ ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରୀଣୀ ସଦସ୍ୟ ସରୋଜ ମାଝୀ, ଯୁବନେତା ରୋହିତ ଦୁର୍ଗା, ପ୍ରେମନାଥ ନାଏକ ଓ ଅବିନାଶ ପଧାନ ମଞ୍ଚାସୀନ ଥିଲେ। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.