ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ/ ଲିଙ୍ଗରାଜ ମିଶ୍ର): ପାଖେଇ ଆସୁଛି ନିର୍ବାଚନ। ତିନି ପ୍ରମୁଖ ଦଳ ବିଜେଡ଼ି, ବିଜେପି ଓ କଂଗ୍ରେସ ନିଜ ନିଜ ରଣନୀତି ପ୍ରସ୍ତୁତ କରି ପ୍ରାର୍ଥୀମାନଙ୍କୁ ମଇଦାନକୁ ଛାଡୁଛନ୍ତି। ସେହି କ୍ରମରେ ନର୍ଲା ନିର୍ବାଚନ ମଣ୍ଡଳୀର ବିଧାୟିକା ପ୍ରାର୍ଥୀ ମନୋରମା ମହାନ୍ତି ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ନିଜ ନିର୍ବାଚନୀ କ୍ଷେତ୍ରର ବିଭିନ୍ନ ସ୍ଥାନକୁ ଯାଇ କର୍ମୀ ଓ ଜନତାଙ୍କ ସହ ସିଧାସଳଖ ଯୋଗସୂତ୍ର ସ୍ଥାପନ କରୁଥିବା ଦେଖାଯାଇଛି। ଗୁରୁବାର ମ.ରାମପୁରସ୍ଥିତ ଶିବ ମନ୍ଦିର ପରିସରରେ ବିଜୁ ଜନତା ଦଳର କର୍ମୀ ସମ୍ମୀଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମ.ରାମପୁର ବ୍ଳକର ୧୯ଗୋଟି ପଞ୍ଚାୟତର ବିଜେଡ଼ି କର୍ମକର୍ତ୍ତା ଓ କର୍ମୀମାନେ ଉପସ୍ଥିତ ରହି ଚଳିତ ନିର୍ବାଚନରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରିବା ସହ ନର୍ଲା ବିଧାନସଭା ପ୍ରାର୍ଥୀନୀ ମନୋରମା ମହାନ୍ତି ଓ କଳାହାଣ୍ଡି ସାଂସଦ ପ୍ରାର୍ଥୀ ଲମ୍ବୋଦର ନିଆଲଙ୍କୁ ଜୟଯୁକ୍ତ କରାଇବା ପାଇଁ ସଂକଳ୍ପ ନେଇଥିଲେ। ପ୍ରତ୍ୟେକ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ମାନେ ଲୋକଙ୍କ ପାଖକୁ ଯାଇ ନବୀନ ସରକାରଙ୍କ ବିକାଶ ମୂଳକ ଯୋଜନାକୁ ପହଞ୍ଚାଇ ନର୍ଲା ନିର୍ବାଚନ ମଣ୍ଡଳୀରୁ ବିଜୁ ଜନତା ଦଳର ବିଧାୟିକା ପ୍ରାର୍ଥୀନୀ ମନୋରମା ମହାନ୍ତିଙ୍କୁ କିଭଳି ବିପୁଳ ଭୋଟରେ ବିଜୟୀ କରିବେ ସେନେଇ ରଣନୀତି ପ୍ରସ୍ତୁତ କରାଯାଇଥିଲା। ଉପସ୍ଥିତ ଥିବା କର୍ମକର୍ତ୍ତାମାନେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଜେଡ଼ିର ନର୍ଲା ବିଧାୟିକା ପ୍ରାର୍ଥୀନୀ ମନୋରମା ମହାନ୍ତି, ବିଜୁ ଜନତା ଦଳ ଜିଲ୍ଲା ସଂପାଦକ ଟିକେଲାଲ ସାହୁ, ମ.ରାମପୁର ବ୍ଳକ ବିଜେଡ଼ି ସଭାପତି ଗୋବିନ୍ଦ ପ୍ରସାଦ ଶତପଥୀ, ଯୁବ ସଭାପତି ସତ୍ୟ ନାରାୟଣ ସାହୁ, ନର୍ଲା ବ୍ଳକ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ଯୁବ ନେତା ବିକାଶ ରଞ୍ଜନ ସିଂହଦେଓ, ମ.ରାମପୁର ପଞ୍ଚାୟତ ସଭାପତି ପ୍ରଦୀପ ପାଣିଗ୍ରାହୀ, ସପନ କୁମାର ପଟ୍ଟନାୟକ, ଭବାନୀ ସାହୁ, ପ୍ରେମ ସାଗର ନାଏକ, ହିରେନ୍ଦ୍ର ପ୍ରତାପ ସିଂହଦେଓ, ରାକେଶ ଶତପଥିଙ୍କ ସମେତ ସମସ୍ତ ପଞ୍ଚାୟତର ସରପଞ୍ଚ ସମିତି ସଭ୍ୟ ଓ ବିଜୁ ଜନତା ଦଳର କର୍ମୀ ଯୋଗ ଦେଇଥିଲେ।