ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ନିଆଁ ଆଁରେ ବିଶ୍ଵନାଥପୁର ବନାଞ୍ଚଳର ବିଭିନ୍ନ ଜଙ୍ଗଲ। ଏହି ବନାଞ୍ଚଳରେ ବିଭିନ୍ନ ବିଟରେ ଦିନ ତମାମ ନିଆଁ ଲାଗୁଥିବା ବେଳେ ଆଜି ବିଶ୍ଵନାଥପୁର ସେକ୍ସନ ଢେପଗୁଡ଼ା ବିଟରେ ଲାଗିଛି ନିଆଁ। ଯୁଆଡ଼େ ଅନେଇଲେ ନିଆଁ ଆଉ ଧୂଆଁ। ଜୀବଜନ୍ତୁ ଅସ୍ତବ୍ୟସ୍ତ, ମଣିଷ ନୟାନ୍ତ। ହୁତ୍ ହୁତ୍ ହୋଇ ଜଳୁଛି ମୁଲ୍ୟବାନ ଗଛ। ଚାରିଆଡ଼େ ଧଳା ପାଉଁଶର ଆସ୍ତରଣ। ପାହାଡ଼ ଓ ଜଙ୍ଗଲ ଉପର ଆକାଶରେ ଧୂଆଁର ଚାଦର। କେବଳ ମଝିରେ ମଝିରେ ଶୁଭୁଛି ନିଆଁ ଝାସରେ କଲବଲ ହେଉଥିବା ପକ୍ଷୀର କିଚିରି ମିଚିରି ଓ ମାଙ୍କଡ଼ ମାନଙ୍କ ଆର୍ତ୍ତ ଚିତ୍କାର। ସ୍ଥାନୀୟ ଲୋକଙ୍କ କହିବା କଥା, ଜଙ୍ଗଲରେ ନିଆଁର ପ୍ରକୋପ ଏତେ ଅଧିକ ଯେ କେବଳ ଜୀବଜନ୍ତୁ ନୁହନ୍ତି। ଜଙ୍ଗଲ ମଝିରେ ରହିଛି ୬ ନମ୍ବର ରାଜ୍ୟ ରାଜପଥ ସେହି ରାସ୍ତାଦେଇ ଯିବା ଆସିବା କରୁଥିବା ଲୋକଙ୍କୁ ନିଆଁ ଝାସରେ ଯିବା ସମ୍ଭବ ହେଉନି। ଦେହ ହାତ ସିଝି ଯାଉଛି । ଏପଟେ ବନ ବିଭାଗ କର୍ମଚାରୀଙ୍କ କହିବା କଥା, ବନାଗ୍ନି ଖବର ପାଇବା ପରଠୁ ସେମାନେ ନିଆଁ ଲିଭା କାମରେ ଲାଗିଛନ୍ତି। ହେଲେ ବୋଲ ମାନୁନି ନିଆଁ। କେବଳ ଢେପଗୁଡ଼ା ଜଙ୍ଗଲ ନୁହେଁ, ଲାଞ୍ଜିଗଡ଼ ବ୍ଲକର ଅନେକ ସ୍ଥାନରେ ଏବେ ବନାଗ୍ନିର ପ୍ରକୋପ।ଜଙ୍ଗଲ ନିଆଁ ଯୋଗୁ ପ୍ରତିବର୍ଷ କୋଟି କୋଟି ଟଙ୍କାର ମୂଲ୍ୟବାନ ବୃକ୍ଷ ଓ ବନ୍ୟଜନ୍ତୁଙ୍କ ଜୀବନ ଯାଉଛି। ତେବେ ପ୍ରଶ୍ନ ଉଠୁଛି, ଜଙ୍ଗଲରେ ନିଆଁ ଲାଗିବା ପୂର୍ବରୁ କାହିଁକି ଏହାକୁ ରୋକିବାରେ ସମର୍ଥ ହେଉନି ବନ ବିଭାଗ।