ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନୀ ରଣାଙ୍ଗନକୁ ଓହ୍ଲାଇବେ। ମଙ୍ଗଳବାର ସେ ଦେବୀ ତାରାତାରିଣୀଙ୍କ ଦର୍ଶନ କରିବା ପରେ ଛତ୍ରପୁର ଯାଇ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେ ହେଲିକପ୍ଟର ଯୋଗେ ଭୁବନେଶ୍ଵରରୁ ଆସି ତାରା ତାରିଣୀ ମନ୍ଦିର ତଳେ ଅସ୍ଥାୟୀ ହେଲିପେଡରେ ଅବତରଣ କରିଥିଲେ। ସେଠାରୁ କାର ଯୋଗେ ତାରାତାରିଣୀଙ୍କ ପୀଠରେ ପହଞ୍ଚିଥିଲେ। ମନ୍ଦିରର ମୁଖ୍ୟ ସେବାୟତ ବାପୁଜୀ ରଣା, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ଟିକେ ରେଡି, ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ସୁରେଶ କୁମାର ମିଶ୍ର, ହିଞ୍ଜିଳି କାଟୁ ବିଜେଡି ନେତା ପବିତ୍ର ପାଣିଗ୍ରାହୀ, ମନ୍ଦିର ସଦସ୍ୟ ପ୍ରମୋଦ ପଣ୍ଡାଙ୍କ ସହ ସମସ୍ତ ସେବାୟତ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କୁ ମା’ଙ୍କ ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ। ତାଙ୍କ ସଙ୍ଗରେ ଆସିଥିବା ୫-ଟି ଅଧକ୍ଷ ଭି କାର୍ତ୍ତିକେୟନ ପାଣ୍ଡିଆନଙ୍କୁ ମଧ୍ୟ ଉତ୍ତରୀୟ ପ୍ରଦାନ କରିଥିଲେ ସେବାୟତବୃନ୍ଦ। ମୁଖ୍ୟମନ୍ତ୍ରୀ ମା’ ତାରାତାରିଣୀଙ୍କ ଆଶିର୍ବାଦ ଭିକ୍ଷା କରି ହେଲିକପ୍ଟର ଯୋଗେ ଛତ୍ରପୁରକୁ ନାମାଙ୍କନ ପତ୍ର ଦାଖଲ ପାଇଁ ଚାଲି ଯାଇଥିଲେ। ତଳ ଅସ୍ଥାୟୀ ହିଲପେଡ ପାଖରେ ରାଜ୍ୟସଭା ସଦସ୍ୟ ମାନସ ମଙ୍ଗରାଜ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟଙ୍କ ସମେତ ବହୁ ଦଳୀୟନେତା ଓ କର୍ମୀ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।