ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ପୁଜିପଦର-ମାଣ୍ଡେଲର ପ୍ରସିଦ୍ଧ ୧୬ ପ୍ରହର ଅଖଣ୍ଡ ନାମ ଯଜ୍ଞ ଚଳିତ ବର୍ଷ ଅନୁଷ୍ଠିତ ହେଉଛି। ମେ’ ୧୫ ତାରିଖ ବୁଧବାର ସକାଳ ୭.୦୦ ରେ ନାମ ଆରମ୍ଭ ହୋଇଛି। ମଙ୍ଗଳବାର ଦିନ ଏନେଇ ଭବ୍ୟ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ମାଣ୍ଡେଲ ଓ ପୁଜିପଦରର ଶତାଧିକ ଶ୍ରଦ୍ଧାଳୁ ପୁରୁଷ ଓ ମହିଳା ଭକ୍ତ କଳସ ଯାତ୍ରାରେ ଅଂଶ ଗ୍ରହଣ କରିଥିଲେ। ତ୍ରୀନାଥ ମନ୍ଦିର ନିକଟସ୍ଥ ଅସ୍ଥାୟୀ ନାମଯଜ୍ଞ ମଣ୍ଡପରେ କଳସ ସ୍ଥାପନ ସାଙ୍ଗକୁ ବିଲ୍ୱ ବରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମାଣ୍ଡେଲ ତ୍ରୀନାଥ କମିଟି ଆନୁକୂଲ୍ୟରେ ପ୍ରତିବର୍ଷ ୧୬ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇ ଆସୁଛି। ମାଣ୍ଡେଲ ଓ ପୁଜିପଦରର ଶ୍ରଦ୍ଧାଳୁ ଭକ୍ତମାନେ ଯଜ୍ଞ ପରିଚାଳନା କରୁଥିବା ଜଣାପଡିଛି। ଏବର୍ଷ ନାମଯଜ୍ଞ କର୍ତ୍ତା ଭାବରେ ଡମ୍ବରୁଧର ପଧାନ ଓ ତାଙ୍କ ଧର୍ମପତ୍ନୀ ସଞ୍ଜୁକ୍ତା ପଧାନ, ପୂଜକ ଭାବରେ ପଣ୍ଡିତ ଅର୍ଜୁନ ମିଶ୍ର ଏବଂ ଜପକ ଭାବରେ ରଘୁନାଥ ମିଶ୍ର, ପିଲୁ ପାଢ଼ୀ ପ୍ରମୁଖ ବିଧି ସଂପାଦନ କରୁଛନ୍ତି। ଚଳିତ ବର୍ଷ ଉପରୋକ୍ତ ଦୁଇ ଗ୍ରାମର ଯୁବ ଗୋଷ୍ଠି ଓ ଗ୍ରାମବାସୀ ସମସ୍ତ ବିଭାଗ ଯଥା; ଦଳଡକା, ଦଳ ପ୍ରବେଶ କରାଇବା, ଅନ୍ନଛତ୍ର, ଭୋଗ ପ୍ରସ୍ତୁତି, ସ୍ୱାଗତ କାଉଣ୍ଟର, ଅତିଥି ସେବା କାଉଣ୍ଟର, ଭୋଗ କାଉଣ୍ଟର ପ୍ରଭୃତି ବିଭାଗ ଗୁଡିକର କାର୍ଯ୍ୟ ସୂଚାରୁରୂପେ ସଂପାଦନ କରୁଥିବା ଦେଖାଯାଇଛି। ବିଶେଷ କରି ଗ୍ରାମର ନାମଯଜ୍ଞ ପରିଚାଳନାରେ ଗ୍ରାମର ବହୁ ଅନୁଭବୀ ବ୍ୟକ୍ତି ଉପଦେଷ୍ଟା ଭାବରେ ରହି ମାର୍ଗଦର୍ଶନ ଦେଉଥିବା ଜଣାପଡିଛି। ଏଥିରେ କଳାହାଣ୍ଡି ଜିଲ୍ଲା ସମେତ ବରଗଡ଼, ବଲାଙ୍ଗୀର, ନୂଆପଡ଼ା ଓ ଛତିଶଗଡର ୧୦ ଗୋଟି ସଂକୀର୍ତ୍ତନ ମଣ୍ଡଳୀ ଅଂଶ ଗ୍ରହଣ କରିଛନ୍ତି। ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଓ ଭକ୍ତମାନେ ଉପସ୍ଥିତ ରହି ହରି ନାମ ଶ୍ରବଣ କରୁଛନ୍ତି। ଶୁକ୍ରବାର ସକାଳ ୭.୦୦ ମଧ୍ୟରେ ପୂର୍ଣ୍ଣାହୁତି ପଡିବ ବୋଲି ଜଣାପଡିଛି। ଏଇଠି ନାମଯଜ୍ଞ ସମେତ ଅନ୍ନଯଜ୍ଞ ମଧ୍ୟ ଅନୁଷ୍ଠିତ ହେଉଥିବା ଦେଖିବାକୁ ମିଳୁଛି।