କଣ୍ଠଶିଳ୍ପୀ ଯଶୋବନ୍ତ ଚନ୍ଦନଙ୍କ ଦେହାନ୍ତ; ନର୍ଲାରେ ଶୋକର ଛାୟା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାର ବିଶିଷ୍ଟ କଣ୍ଠଶିଳ୍ପୀ ଯଶୋବନ୍ତ ଚନ୍ଦନଙ୍କ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୩ ବର୍ଷ ବୟସ ହୋଇଥିଲା। ଆଗରୁ ସେ ସିକ୍ଲିନ ରୋଗରେ ପୀଡିତ ଥିଲେ। ଏଥିପାଇଁ ନିୟମିତ ଭାବରେ ଔଷଧ ମଧ୍ୟ ସେବନ କରୁଥିଲେ। ଗତ ଶନିବାର ତାଙ୍କ ଦେହ ଗୁରୁତର ହେବାରୁ ତାଙ୍କୁ ଭବାନୀପାଟଣା ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା। ରବିବାର ଅପରାହ୍ନ ୪ ଘଣ୍ଟା ସମୟରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେ ସଂସ୍କାର ଭାରତୀ ନର୍ଲା ଶାଖାର ଜଣେ ସକ୍ରୀୟ ସଦସ୍ୟ ରହିଆସିଥିଲେ। ସେ ଜଣେ ଜଣାଶୁଣା କଣ୍ଠଶିଳ୍ପୀ ଥିଲେ। ବାଣୀ କଣ୍ଠଶିଳ୍ପୀ ନିମାଇଁ ହରିଚନ୍ଦନଙ୍କ ଗାଇଥିବା ଗୀତ ଗୁଡ଼ିକୁ ସେ ଅବିକଲ ଗାଇ ଶ୍ରୋତାଙ୍କ ପ୍ରିୟ ଭାଜନ ହୋଇପାରିଥିଲେ। ଅଞ୍ଚଳରେ ରଥଯାତ୍ରା, ଦୁର୍ଗାପୂଜା, ଶ୍ରୀରାମ ନବମୀ ପ୍ରଭୃତି କାର୍ଯ୍ୟକ୍ରମରେ ସଂସ୍କାର ଭାରତୀ ବ୍ୟାନର ରେ ଷ୍ଟେଜ ସୋ କରି ଗୀତ ଗାଇ ପ୍ରଶଂସା ସାଉଁଟୁ ଥିଲେ। ତାଙ୍କର ଶେଷକୃତ୍ୟ ନର୍ଲା ସାନ୍ଦୁଲ କୂଳରେ ସମ୍ପନ୍ନ ହୋଇଛି। ସେ ପରିବାରର ଏକମାତ୍ର ଉପାର୍ଜନକ୍ଷମ ବ୍ୟକ୍ତି ଥିଲେ। ତାଙ୍କର ଗୋଟିଏ ଝିଅ ରହିଛି। ତାଙ୍କ ଦେହାନ୍ତରେ ନର୍ଲାରେ ଶୋକର୍ ଛାୟା ଖେଳଯାଇଛି। ଶିକ୍ଷାବିତ୍ ତଥା ପାଣିମୁଣ୍ଡା ସଂସ୍କାର ଭାରତୀ ଶାଖାର ବରିଷ୍ଠ ସଦସ୍ୟ ତପନ କୁମାର ଭୋଇ, ପ୍ରମୋଦ ପରିଡ଼ା, ସନ୍ତୋଷ ଦାସ, ଲକ୍ଷ୍ମଣ ବାଗ, ଶିକ୍ଷାବିତ୍ ମଧୁସୂଦନ ରାଉତ, ବିଶିଷ୍ଟ କଣ୍ଠଶିଳ୍ପୀ ସର୍ବେଶ୍ଵର ଭୋଇ, ନର୍ଲା ସଂସ୍କାର ଭାରତୀ ଶାଖାର ପ୍ରସିଦ୍ଧ ସଙ୍କୀର୍ତ୍ତନ ଗୁରୁ ବିଜୟ କୁମାର ପଣ୍ଡା, ପ୍ରସନ୍ନ ଗଉଡ଼, ଆଚାର୍ଯ୍ୟ ଶିବରାମ ସାହୁ, ମୋହନ କୁମାର ଭଟ୍ଟ ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିବା ସହିତ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.