ପରଲୋକରେ କବି ସୁନୀଲ କୁମାର ପୃଷ୍ଟି : ଲେଖକ ମହଲରେ ଶୋକର ଛାୟା

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ଵର (କୃଷ୍ଣ କୁମାର ମହାନ୍ତି): ତିନି ଦଶନ୍ଧିରୁ ଊର୍ଦ୍ଧ୍ଵ ସମୟ ଧରି ଓଡ଼ିଆ ସାହିତ୍ୟର ପ୍ରଖର କାବ୍ୟସ୍ବର ଭାବେ ନିଜକୁ ପ୍ରତିପାଦିତ କରିଥିବା କବି ସୁନୀଲ କୁମାର ପୃଷ୍ଟିଙ୍କର ଗତକାଲି ସକାଳ ୯ଟା ସମୟରେ ଭୁବନେଶ୍ଵରସ୍ଥିତ ବାସଭବନରେ ହୃଦ୍‌ଘାତରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲା। କବି ସୁନୀଲ ୮୦ ଦଶକରେ କବିତା ଲେଖାଲେଖି ଆରମ୍ଭ କରି ୨୦୨୦ ଯାଏଁ ସକ୍ରିୟ ଥିଲେ। ୨୦୦୫ ବେଳକୁ ସେ ରୋମାଣ୍ଟିକ କାବ୍ୟଚେତନାର ଏକ ପ୍ରମୁଖ ସ୍ବର ପାଲଟିଥିଲେ। କବିତା ସଂକଳନ ‘ଚିହ୍ନା ଚିହ୍ନା ନିର୍ଜନତା’, ‘ଦେହ ଦେଉଳ’ ପରେ ‘ତନୁଲତାର କବିତା’ ଲେଖି ଓଡ଼ିଆ ଯୁବମାନସରେ ପ୍ରେମ-କବିତାର ଉଦାତ୍ତ ରେଖାପାତ କରିଥିଲେ ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ। ପରବର୍ତ୍ତୀ ସମୟରେ ଅତ୍ୟନ୍ତ ସଫଳ କବିତାକୁ ନେଇ ‘ଅସଫଳ କବିତା ସଂକଳନ’ ପ୍ରକାଶିତ ହୋଇଥିଲା। ୧୯୬୩ ମସିହା ମେ ୧୩ ତାରିଖରେ ବରଗଡ଼ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ସୁନୀଲ ଏବଂ ତାଙ୍କର ବାଲ୍ୟକାଳ, ସ୍କୁଲ-କଲେଜ ଶିକ୍ଷା ରାୟଗଡ଼ା ଜିଲ୍ଲାରେ କଟିଥିଲା। ଚାରି ଭାଇ ଓ ଦୁଇ ଭଉଣୀଙ୍କ ମଧ୍ୟରେ ସେ ଥିଲେ ଜ୍ୟେଷ୍ଠ। ଉତ୍ତୀର୍ଣ୍ଣ କୈଶୋର ବେଳକୁ ରାୟଗଡ଼ା ଜିଲ୍ଲାର ନାଗାବଳୀ ନଦୀ ସୁନୀଲଙ୍କୁ ଜଣେ ନାନ୍ଦନିକ କବି ଭାବେ ଗଢ଼ି ତୋଳିଥିଲା। ନବେ ଦଶକର ଆଦ୍ୟଲଗ୍ନରେ ସେ ଜେକେ ପେପର୍‌ ମିଲ୍ ମହାବିଦ୍ୟାଳୟରେ କିଛି କାଳ ଅଧ୍ୟାପନା କରିଥିଲେ। ଅଧ୍ୟାପନା ଛାଡ଼ି କିଛି ସମୟ ‘ନବଲିପି’ ପତ୍ରିକା ସଂପାଦନା, କିଛି ମାସ ‘ସମ୍ବାଦ’ ଏବଂ ‘ସମାଜ’ ସଂପାଦନା ବିଭାଗରେ କାର୍ଯ୍ୟ କରିଥିଲେ। ୧୯୯୬ ଅକ୍ଟୋବରରୁ ୨୦୦୯ ଶେଷ ଯାଏଁ ‘ସଚିତ୍ର ବିଜୟା’ର ସଂପାଦକ, ୨୦୧୦ରୁ ୨୦୧୨ ଯାଏଁ ‘ସାହିତ୍ୟ ପୃଥିବୀ’ର ସଂପାଦକ ଏବଂ ୨୦୧୩ରୁ ୨୦୧୭ ଯାଏଁ ‘ଶିଶିର’ର ସଂପାଦକ ଭାବେ କାର୍ଯ୍ୟ ତୁଲାଇଥିଲେ। ପତ୍ରିକା ସଂପାଦନା କ୍ଷେତ୍ରରେ ସେ ଉଚ୍ଚକୋଟୀର ସ୍ବାକ୍ଷର ଛାଡ଼ିଥିବା ବେଳେ, କବିତାର ଶାଣିତ ସ୍ବର ପାଲଟି ଅନେକ ଯୁବ ସାହିତ୍ୟିକଙ୍କ ଭାବାଦର୍ଶର କବି ଭାବେ ଈର୍ଷଣୀୟ ସଫଳତା ହାସଲ କରିଥିଲେ। ତେବେ ଆଜି ସକାଳେ ସେ ଚା- ପାନ କରି, ପତ୍ନୀ-ପୁତ୍ରଙ୍କ ସହ କଥା ହୋଇ ବସିବସି ଶୋଇ ପଡ଼ିଥିଲେ ଏବଂ ଆଉ ଉଠିନଥିଲେ। ଜଣେ ରୋମାଣ୍ଟିକ ଓ ପ୍ରେମିକ କବିଙ୍କର ଏପରି ଆକସ୍ମିକ ମୃତ୍ୟୁ ଓଡ଼ିଆ ସାହିତ୍ୟ ଜଗତକୁ ସ୍ତବ୍‌ଧ କରିଦେଇଛି। ପରେ ପରେ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ ନିଆଯାଇଥିଲା। ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ସେଠାରୁ ସତ୍ୟନଗର ଶ୍ମଶାନ ଅଣାଯାଇ ଅନ୍ତିମ ସଂସ୍କାର କରାଯାଇଥିଲା। ଶେଷସମୟରେ ତାଙ୍କ ନିକଟରେ ଅବସରପ୍ରାପ୍ତ ଅଧ୍ୟାପିକା ପତ୍ନୀ ଗୀତା ଦୀକ୍ଷିତ ଏବଂ ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ, କଟକ ଠାରେ ସହସଚିବ ଭାବେ କାର୍ଯ୍ୟରତ ପୁତ୍ର ସୃଜନ ସାରସ୍ବତ ଉପସ୍ଥିତ ଥିଲେ। ତାଙ୍କର ଏକମାତ୍ର ପୁତ୍ର ସୃଜନ ମୁଖାଗ୍ନି ଦେଇଥିଲେ। ମୃତ୍ୟୁ ଖବର ପାଇ ଅନେକ କବି, କଥାକାର ଓ ସାମ୍ବାଦିକ ତାଙ୍କର ଶେଷ ଦର୍ଶନ କରିଥିଲେ। କ୍ୟାପିଟାଲ୍ ହସ୍ପିଟାଲ୍ ଓ ସତ୍ୟନଗର ଶ୍ମଶାନରେ କବି ସୂର୍ଯ୍ୟ ମିଶ୍ର, ଶକ୍ତି ମହାନ୍ତି, ରାଜେନ୍ଦ୍ର ରାଉଳ, ବାଦଲ ମହାନ୍ତି, ମାଧବ ବେହୁରା, ଉମାକାନ୍ତ ରାଉତ, ଉମେଶ ଚନ୍ଦ୍ର ସାହୁ, ଗଙ୍ଗାଧର ସାହୁ, ପବିତ୍ର ମୋହନ କର, ବିବେକାନନ୍ଦ ଜେନା, ଦେବବ୍ରତ ଦାସ, ବେଦପ୍ରକାଶ ନାୟକ, ନେତାଜୀ ଅଭିନନ୍ଦନ, ପ୍ରିୟରଞ୍ଜନ ମହାନ୍ତି, ଶୁଭଶ୍ରୀ ଶୁଭସ୍ମିତା ଓ ସୁଶାନ୍ତ ପହଞ୍ଚିଥିଲେ। କବି ସୁନୀଲଙ୍କ ଦେହାନ୍ତ ଖବର ପାଇ କେନ୍ଦ୍ର ସାହିତ୍ୟ ଏକାଡେମୀର ଓଡ଼ିଆ ଉପଦେଷ୍ଟା ମଣ୍ଡଳୀ ପକ୍ଷରୁ ଆବାହକ ତଥା ବିଶିଷ୍ଟ କଥାକାର ଗୌରହରି ଦାସ, ‘ପୌରୁଷ’ର ସଂପାଦକ ଅସିତ ମହାନ୍ତି, ପ୍ରଫେସର ବିଜୟାନନ୍ଦ ସିଂହ, କବି ସୁରେନ୍ଦ୍ର ପାଣିଗ୍ରାହୀ, କବି କମଳ କୁମାର ମହାନ୍ତି, କବି ଶ୍ରୀଦେବ, କବି ସମରେନ୍ଦ୍ର ନାଥ ମହାପାତ୍ର, କବି ଉତ୍ପଳ ମହାନ୍ତି, ଅରୁଣ ଖିଲାର, କବି କୃଷ୍ଣକୁମାର ମହାନ୍ତି, ତାଙ୍କ ସହିତ କାମ କରିଥିବା ଚିତ୍ରଶିଳ୍ପୀ ସ୍ଵରୂପ ପାଣିଗ୍ରାହୀ, ରଞ୍ଜନ ପାଣିଗ୍ରାହୀ ପ୍ରମୁଖ ଗଭୀର ଶୋକପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.