ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ମୋଦି ସରକାରଙ୍କ ପ୍ରଥମ କ୍ୟାବିନେଟରେ ନିଆଗଲା ବଡ଼ ନିଷ୍ପତ୍ତି । ତୃତୀୟ ପାଳିରେ ଦ୍ୱିତୀୟ ବଡ଼ ଘୋଷଣା କଲେ ମୋଦି ସରକାର । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଗୃହହୀନଙ୍କ ପାଇଁ ଆଉ ୩ କୋଟି ଘର ନିର୍ମାଣର ଲକ୍ଷ୍ୟ ରଖାଯାଇଛି । ମନ୍ତ୍ରିମଣ୍ଡଳରେ ନିଷ୍ପତ୍ତି ନିଆଯାଇଛି ଯେ, ପ୍ରଧାନମନ୍ତ୍ରୀ ଆୱାସ ଯୋଜନା ଅଧୀନରେ ୩ କୋଟି ଗ୍ରାମୀଣ ତଥା ସହରାଞ୍ଚଳ ଗୃହ ନିର୍ମାଣ ପାଇଁ ସରକାର ସହାୟତା କରିବେ । ଭାରତ ସରକାର ୨୦୧୫-୧୬ ବର୍ଷରୁ ପ୍ରଧାନମନ୍ତ୍ରୀ ଆୱାସ ଯୋଜନା କାର୍ଯ୍ୟକାରୀ କରୁଛନ୍ତି, ଯାହାର ଉଦ୍ଦେଶ୍ୟ ହେଉଛି ଯୋଗ୍ୟ ଗ୍ରାମୀଣ ତଥା ସହରାଞ୍ଚଳ ପରିବାରକୁ ମୌଳିକ ସୁବିଧା ସହ ଘର ନିର୍ମାଣରେ ସହାୟତା ଯୋଗାଇବା । ପ୍ରଧାନମନ୍ତ୍ରୀ ଆୱାସ ଯୋଜନା ଅଧୀନରେ ଗତ ୧୦ ବର୍ଷ ମଧ୍ୟରେ ଯୋଗ୍ୟ ଗରିବ ପରିବାର ପାଇଁ ମୋଟ ୪.୨୧ କୋଟି ଘର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି ।