ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଓଡ଼ିଶାରେ ପ୍ରଥମ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି ବିଜେପି । ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମୋହନ ମାଝୀ । ଜନତା ମୈଦାନରେ ଅପରାହ୍ନ ୪ଟା ୪୫ ମିନିଟ୍ ସମୟରେ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ସହ ଶପଥ ନେବେ ମୋହନ ମାଝୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହ ମନ୍ତ୍ରୀ ଅମିତ ସାହା ଶପଥଗ୍ରହଣ ସମାରୋହରେ ସାମିଲ ହେବେ । ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ସମେତ କିଛି ମନ୍ତ୍ରୀ ମଧ୍ୟ ଆଜି ଶପଥ ଗ୍ରହଣ କରିବେ । ଏନେଇ ବିଜେପି ବିଧାୟକଙ୍କୁ ଫୋନ୍ କଲ ଆସିଥିବା ସୂଚନା ମିଳିଛି । ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗଙ୍କୁ ମନ୍ତ୍ରୀ ଭାବେ ଶପଥ ନେବାକୁ ଫୋନକଲ ଆସିଥିବା ସୂଚନା ମିଳିଛି । ସେହିଭଳି ଭଦ୍ରକ ଜିଲ୍ଲା ଧାମନାଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ, ଗଂଜାମ ଜିଲ୍ଲା ଗୋପାଳପୁର ବିଧାୟକ ବିଭୁତି ଜେନା, ଖୋର୍ଦ୍ଧା ଜିଲ୍ଲା ଚିଲିକା ବିଧାୟକ ପୃଥ୍ୱୀରାଜ ହରିଚନ୍ଦନ, ମୟୂରଭଂଜ ଜିଲ୍ଲା ମୋରଡ଼ା ବିଧାୟକ କୃଷ୍ଣଚନ୍ଦ୍ର ମହାପାତ୍ର, ନବରଂଗପୁର ଜିଲ୍ଲା ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ଜଗତସିଂହପୁର ଜିଲ୍ଲା ପାରାଦୀପ ବିଧାୟକ ସଂପଦ ସ୍ବାଇଁ, ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବିଧାୟକ ରବି ନାଏକ, ଯାଜପୁର ଜିଲ୍ଲା ସୁକିନ୍ଦା ବିଧାୟକ ପ୍ରଦୀପ ବଳସାମନ୍ତ, ନୟାଗଡ଼ ଜିଲ୍ଲା ରଣପୁର ବିଧାୟିକା ସୁରମା ପାଢ଼ୀ, ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ପ୍ରମୁଖଙ୍କ ପାଖକୁ ଫୋନ୍ କଲ୍ ଆସିଥିବା ଜଣାପଡିଛି ।