ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମୋହନ ମାଝୀ, ଶପଥ ପାଠ କରାଇଲେ ରାଜ୍ୟପାଳ ରଘୁବର ଦାସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ଶପଥ ନେଲେ ମୋହନ ମାଝୀ। ଆଜିଠାରୁ ଭାରତୀୟ ଜନତା ପାର୍ଟି (ବିଜେପି) ହାତକୁ ଯାଇଛି ଓଡ଼ିଶାର ଶାସନ ଭାର। ରାଜ୍ୟରେ ପ୍ରଥମ ଥର ପାଇଁ ସରକାର ଗଠନ କରିଛି ବିଜେପି। ଆଜି ରାଜ୍ୟର ୧୫ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ମୋହନ ମାଝୀ। ଭୁବନେଶ୍ୱର ସ୍ଥିତ ଜନତା ମୈଦାନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ଏବଂ ପ୍ରଭାତୀ ପରିଡ଼ାଙ୍କ ସହ ନୂତନ ମନ୍ତ୍ରୀମାନେ ଶପଥ ପାଠ କରିଛନ୍ତି। ମୋହନ୍ ମାଝୀଙ୍କ ଶପଥ ଗ୍ରହଣ ସମାରୋହରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ, ରାଜନାଥ ସିଂହ, ଜଗତ ପ୍ରକାଶ ନଡ୍ଡା, ନିତିନ ଗଡ଼କରୀ, ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ଅଶ୍ବିନୀ ବୈଷ୍ଣବ, ଓଡ଼ିଶାରୁ ନବନିର୍ବାଚିତ ସାଂସଦ ଏବଂ ବିଧାୟକ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାୟ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ର ଓ ରାଜ୍ୟର ବରିଷ୍ଠ ବିଜେପି ନେତାଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ହଜାର ହଜାର ଲୋକ ସାମିଲ ହେଇଥିବା ଦେଖିବାକୁ ମିଳିଛି।