ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଆଜି ଠାରୁ ଆରମ୍ଭ ହୋଇଛି ଓଡ଼ିଶା ବିଧାନସଭାର ୩ ଦିନିଆ ସ୍ବତନ୍ତ୍ର ଅଧିବେଶନ । ପୂର୍ବରୁ ଅନେକ ଥର ବିଧାନସଭାକୁ ଆସିଛନ୍ତି ନବୀନ ପଟ୍ଟନାୟକ । ହେଲେ ଏଥର ନବୀନ ଗୃହକୁ ଆସିବା ଟିକେ ଅଲଗା ଥିଲା । ପୂର୍ବରୁ ସବୁବେଳେ ମୁଖ୍ୟମନ୍ତ୍ରୀ ଭାବେ ନବୀନ ଗୃହ ଭିତରକୁ ଯାଇଥିଲେ । ହେଲେ ପ୍ରଥମ ଥର ନବୀନ ବିରୋଧୀ ଭାବେ ବିଧାନସଭାର ପ୍ରବେଶ କରିଥିଲେ । ତାଙ୍କ ପ୍ରତି ବିଧାୟକଙ୍କ ସମ୍ମାନ ଓ ଶ୍ରଦ୍ଧା ଦେଖିବାର ଥିଲା । ବିଧାନସଭାରେ ପହଞ୍ଚିବା ପରେ ବିଜେଡି ବିଧାୟକମାନେ ତାଙ୍କୁ ସ୍ୱାଗତ କରି ଗୃହ ଭିତରକୁ ନେଇଥିଲେ । ମଙ୍ଗଳବାର ୨୦୨୪ ନିର୍ବାଚନରେ ବିଜୟୀ ହୋଇଥିବା ବିଧାୟକମାନେ ଶପଥ ଗ୍ରହଣ କରିଛନ୍ତି । ବୁଧବାର ମଧ୍ୟ ସପଥପାଠ ହେବ । ତେବେ ବିଧାନସଭାର ପ୍ରଥମ ଦିନରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି । ବିଧାନସଭା ଗୃହ ଭିତରେ ନବୀନ ପଟ୍ଟନାୟକ ଏବଂ ତାଙ୍କୁ ହରାଇଥିବା ଲକ୍ଷ୍ମଣ ବାଗ କଥାବାର୍ତ୍ତା ହୋଇଛନ୍ତି । ନବୀନ ଚାଲି ଯାଉଥିବା ଦେଖି ଛିଡ଼ା ହୋଇଯାଇଥିଲେ ଲକ୍ଷ୍ମଣ । ଆଉ ଛିଡ଼ା ହୋଇ ନିଜ ପରିଚୟ ଦେଇଥିଲେ । ପରିଚୟ ପାଇ ନବୀନ ଲକ୍ଷ୍ମଣ ବାଗଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏଥିସହ ନବୀନ ଲକ୍ଷ୍ମଣଙ୍କୁ କହିଛନ୍ତି, ଓଃ ୟୁ ଡିଫିଟେଡ ମି ।