ଦୁଇ ଶ୍ରେଣୀ କୋଠରୀକୁ ୧୭୮ ଛାତ୍ର ଛାତ୍ରୀ: ଅସମ୍ପୂର୍ଣ ଅବସ୍ଥାରେ ଅତିରିକ୍ତ ଶ୍ରେଣୀଗୃହ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ଗୋଷ୍ଠୀ ଶିକ୍ଷା ବିଭାଗ ଅଧିନରେ ଥିବା ଡାଲଗୁମା ଗ୍ରାମ ପଞ୍ଚାୟତର ଚିତାମୁଣ୍ଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବେ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି। ଶିକ୍ଷକ ଅଭାବ ସହ ଆବଶ୍ୟକ ଶ୍ରେଣୀ ଗୃହ ନ ଥିବାରୁ ବାରଣ୍ଡାରେ ପାଠପଢା ଚାଲିଛି। ଏଣେ ରୋଷେଇ ଘର ନ ଥିବାରୁ ବିପଦ ସଂକୁଳ ସ୍କୁଲ ଘରେ ମଧ୍ୟାହ୍ନ ଭୋଜନ ରନ୍ଧା ଚାଲିଛି। ସୂଚନା ଯେ, ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ତେବେ ୮ଟି ଶ୍ରେଣୀରେ ମୋଟ ୧୭୮ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ସେଥିମଧ୍ୟରୁ ୮୦ ଜଣ ଛାତ୍ର ଓ ୯୮ ଜଣ ଛାତ୍ରୀ ଅଧ୍ୟୟନ କରୁଥିବା ପ୍ରଧାନ ଶିକ୍ଷକ ଦିଗାମ୍ବର ଦଳପତି ସୂଚନା ଦେଇଛନ୍ତି। ଶ୍ରେଣୀ କୋଠରୀ ଅଭାବ ଯୋଗୁଁ ପ୍ରଥମ, ଦ୍ବିତୀୟ, ତୃତୀୟ ଓ ପଞ୍ଚମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ମାନେ ଦୁଇଟି ବାରଣ୍ଡାରେ ପାଠପଢୁଥିବା ବେଳେ ଅନ୍ୟ ୪ଗୋଟି ଶ୍ରେଣୀର ଛାତ୍ର ଛାତ୍ରୀମାନେ ଦୁଇଟି ଶ୍ରେଣୀ କୋଠରୀରେ ଠେଲାପେଲା ହୋଇ ଅଧ୍ୟୟନ କରିଆସୁଛନ୍ତି। ତେଣୁ ଶିକ୍ଷା ଦାନ ସଠିକ୍ ଭାବେ ହୋଇ ପାରୁ ନଥିବା ଛାତ୍ରଛାତ୍ରୀ ମାନେ ପ୍ରକାଶ କରିଛନ୍ତି। ଅନ୍ୟପଟେ ବିଦ୍ୟାଳୟରେ ଜଣେ ପ୍ରଧାନ ଶିକ୍ଷକ ସହ ୮ ଜଣ ଶିକ୍ଷକ ଆବଶ୍ୟକ ରହିଥିବାବେଳେ ବର୍ତ୍ତମାନ ୪ଜଣ ଶିକ୍ଷକ ରହିଛନ୍ତି। ତେବେ ପ୍ରଧାନ ଶିକ୍ଷକ ଅଫିସ୍ କର୍ଯ୍ୟ ସମ୍ପାଦନା କରୁଥିବାବେଳେ ୩ଜଣ ଶିକ୍ଷକରେ ୮ଟି ଶ୍ରେଣୀର ଛାତ୍ର ଛାତ୍ରୀମାନଙ୍କ ଶିକ୍ଷା ଦାନ ଚାଲିଛି। ଅନେକ ଦିନରୁ ଦୁର୍ବଳ ଅବସ୍ଥାରେ ଥିବା ଏହି ବିଦ୍ୟାଳୟର ରୋଷେଇ ଗୃହ ଗତବର୍ଷ ଅଗଷ୍ଟ ମାସରେ ବର୍ଷା ଯୋଗୁଁ ଭାଙ୍ଗି ଯାଇଥିଲା। ଫଳରେ ଦିର୍ଘ ଦିନରୁ ମଧ୍ୟାହ୍ନ ଭୋଜନ ରୋଷେଇ କାର୍ଯ୍ୟ ଖୋଲା ଆକାଶ,  ପଲିଥିନ ତଲେ ଚାଲି ଆସୁଥିଲା। ବର୍ତ୍ତମାନ ବର୍ଷା ଆରମ୍ଭ ହୋଇଥିବାବେଳେ ବିପଦ ସଂକୁଳ ଅବସ୍ଥାରେ ରହିଥିବା ସ୍କୁଲ ବାରଣ୍ଡାରେ ରୋଷେଇ କାର୍ଯ୍ୟ ଚାଲିଆସୁଛି। ଏଣେ ରୋଷେଇ କାର୍ଯ୍ୟ ବେଳେ ପ୍ରତି ମୂହୁର୍ତ୍ତରେ ବିପଦ ରହିଥିବା ବିଦ୍ୟାଳୟର ପାଚିକା ମାନେ ପ୍ରକାଶ କରିଛନ୍ତି। ଅନ୍ୟପଟେ ୪ ଲକ୍ଷ ୫୦ ହଜାର ଟଙ୍କା ବ୍ୟୟ ଅଟକଳରେ ଗତ ୧୦ ନଭେମ୍ବର ୨୦୨୩ ରୁ ହୋଇଥିବା ଅତିରିକ୍ତ ଶ୍ରେଣୀଗୃହ କାର୍ଯ୍ୟ ଆରମ୍ଭ ହୋଇ ଅଟକି ରହିଥିବାରୁ ଅବିଭାବକ ଓ ସ୍କୁଲ ପରିଚାଳନା କମିଟି ପକ୍ଷରୁ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଭଲି ଅନେକ ସମସ୍ୟା ଭିତରେ ଏହି ବିଦ୍ୟାଳୟ ବର୍ତ୍ତମାନ ଗତି କରୁଛି। ତେଣୁ ଆବଶ୍ୟକ ହିସାବରେ ଶିକ୍ଷକ ଯୋଗେଇ ଦେବା ସହ ତୁରନ୍ତ ଶ୍ରେଣୀ କୋଠରୀ ନିର୍ମାଣ ଓ ରୋଷେଇ ଗୃହ ପାଇଁ ସ୍କୁଲ ପରିଚାଳନା କମିଟି ଏବଂ ଗ୍ରାମବାସୀ ଦାବି କରିଛନ୍ତି। ଏନେଇ ବିଡିଓ କୋକସରା ସ୍ନେହପ୍ରଭା ମାଝୀଙ୍କୁ ଯୋଗାଯୋଗ କରିବାରୁ କନିଷ୍ଠ ଯନ୍ତ୍ରୀଙ୍କୁ ନିର୍ଦେଶ ଦିଆ ହୋଇଛି ଶୀଘ୍ର କାମ ସାରିବା ପାଇଁ। ଏନେଇ କନିଷ୍ଠ ଯନ୍ତ୍ରୀ ସୁକାନ୍ତ ବେହେରାଙ୍କୁ ପଚାରିବାରୁ ସାମଗ୍ରୀ ଯୋଗାଡ଼ରେ ଅସୁବିଧା ଥିଲା ଶୀଘ୍ର କାମ ସାରି ଆବଶ୍ୟକତା ପୂରଣ କରାଯିବ ବୋଲି କହିଥିଲେ। ପଞ୍ଚାୟତ ସମିତି ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲଙ୍କୁ ପଚାରିବାରୁ ଶିକ୍ଷାକୁ ଗୁରୁତ୍ୱ ଦେଇ ପର୍ଯ୍ୟାପ୍ତ ଅନୁଦାନ ପ୍ରଦାନ କରାଯିବ ବୋଲି କହିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.