ମୁଖ୍ୟମନ୍ତ୍ରୀଙ୍କ ଦ୍ବାରସ୍ଥ ହେଲେ ଓଡ଼ିଶା ଓ୍ବାର୍ଡମେମ୍ବର ମହାସଂଘ

ଓ୍ବାର୍ଡ ସଭ୍ୟ ସଭ୍ୟା ମାନଙ୍କର ଭତ୍ତା ବୃଦ୍ଧି ତଥା ଅନ୍ୟାନ୍ୟ ଦାବୀ ନେଇ ଦାବୀପତ୍ର ଦାଖଲ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଓଡ଼ିଶା ଓ୍ବାର୍ଡମେମ୍ବର ମହାସଂଘର ଏକ ପ୍ରତନିଧି ମଣ୍ଡଳୀ ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ପହଞ୍ଚି ଓ୍ବାର୍ଡ ସଭ୍ୟ ସଭ୍ୟା ମାନଙ୍କର ଭତ୍ତା ବୃଦ୍ଧି ତଥା ଅନ୍ୟାନ୍ୟ ଦାବୀ ନେଇ ଏକ ଦାବୀପତ୍ର ଦାଖଲ କରିଛନ୍ତି। ମହାସଂଘର ସଭାପତି ଗୌତମ ବେହେରା ଓ ସାଧାରଣ ସମ୍ପାଦକ ଦିଗାମ୍ବର ବେମାଲଙ୍କ ତତ୍ବାବଧାନରେ ୩୦ ଗୋଟି ଜିଲ୍ଲାର ପ୍ରତିନିଧି ସମୁହ ଦାବୀ ଉପସ୍ଥାପନ କରିଥିଲେ। ମହାସଂଘର ୫ ଗୋଟି ଦାବୀ; ୧. ଗ୍ରାମ ପଞ୍ଚାୟତ ସ୍ତରୀୟ ୱାର୍ଡ଼ ସଭ୍ୟ/ ସଭ୍ୟା ମାନଙ୍କ ମାସିକ ଭତ୍ତା ୪୮୦ ଟଙ୍କା ବଦଳରେ ଟ ୬୦୦୦/- (ଛଅ ହଜାର ଟଙ୍କା)କୁ ବୃଦ୍ଧି କରାଯାଉ। ୨. ୱାର୍ଡ ସଭ୍ୟ/ସଭ୍ୟା ମାନଙ୍କ କାର୍ଯ୍ୟ ଅବଧି ଶେଷ ହେବା ପରେ ଅବସର କାଳୀନ ଭତ୍ତା ବାବଦକୁ ମାସିକ ଦୁଇ ହଜାର ଟଙ୍କା ପ୍ରଦାନ କରାଯାଉ। ୩. ପ୍ରତ୍ୟେକ ୱାର୍ଡ଼ ସଭ୍ୟ/ ସଭ୍ୟା ମାନଙ୍କ ସ୍ଵାସ୍ଥ୍ୟ ନିରାପତ୍ତା ପାଇଁ ଦୁର୍ଘଟଣା ଜନିତ/ଅପ୍ରାକୃତିକ ମୃତ୍ୟୁ ପାଇଁ ଦଶଲକ୍ଷ ଟଙ୍କା ଓ ଶାରୀରିକ କ୍ଷତି ପାଇଁ ପାଞ୍ଚଲକ୍ଷ ଟଙ୍କାର ଜୀବନ ବୀମା ଦିଆଯାଉ। ୪. ପଞ୍ଚାୟତର ସମସ୍ତ ଉନ୍ନୟନ କାର୍ଯ୍ୟସବୁ ୱାର୍ଡ଼ ସଭ୍ୟ/ ସଭ୍ୟା ମାନଙ୍କ ଜରିଆରେ କାର୍ଯ୍ୟକାରୀ କରାଯାଉ। ୫. ପଞ୍ଚାୟତ ସ୍ତରରେ ହେଉଥିବା ସମସ୍ତ ସରକାରୀ ଯୋଜନାରେ ୱାର୍ଡ଼ ସଭ୍ୟ/ ସଭ୍ୟା ମାନଙ୍କୁ ସାମିଲ କରିବାକୁ ବ୍ୟବସ୍ଥା କରାଯାଉ। ଏହି ଦାବୀ ଗୁଡ଼ିକ ସରକାରଙ୍କ ପାଖରେ ରଖାଯାଇଛି। ସାଧାରଣ ନିର୍ବାଚନ ପୂର୍ବରୁ ମଧ୍ୟ ସରକାରଙ୍କୁ ୱାର୍ଡ ମେମ୍ବର ସଂଘ ତରଫରୁ ଦାବୀ କରଯାଇଥିଲା ହେଲେ ତତ୍କାଳିନ ରାଜ୍ୟ ସରକାର ଏହାକୁ କର୍ଣ୍ଣପାତ କରିନଥିଲେ। ସରକାର ଯଦି ଆମ ପାଞ୍ଚଗୋଟି ଦାବୀକୁ ଗୁରୁତ୍ଵ ନଦିଅନ୍ତି ତା ହେଲେ ଆଗାମୀ ଦିନରେ ବଡ ଧରଣର ଆନ୍ଦୋଳନ ହେବ। ଆମେ ରାଜରାସ୍ତାକୁ ଓହ୍ଲାଇବୁ ବୋଲି ମହାସଂଘ ଚେତାବନୀ ଦେଇଛି। ଦାବୀପତ୍ର ଦାଖଲ ସମୟରେ ସଭାପତି ଓ ସଂପାଦକଙ୍କ ସହ ସୁନୀଲ କୁମାର ବଲିଆରସିଂ, ବିଷ୍ଣୁପ୍ରିୟା ସାହୁ, ବାପି, ସୁନୀଲ, ଜଗନ୍ନାଥ ଘି, ତୁଷାର ଦୁର୍ଗା, ହରିହର ଭୋଇ, ଟିକେରାମ ମାଝୀ, ଜୁଗଲ ଗଉଡ, ଗୋବର୍ଦ୍ଧନ ନାଗ, ସନ୍ତୋଷ ଜାଲ, ଦେବାଧି ଗଉଡ, ପଦ୍ମିନୀ ନାଗ, ସୁରେଶ ହୀରା, ଡିଙ୍ଗର ମୁଣ୍ଡାଙ୍କ ସମେତ ଅନେକ ଓ୍ବାର୍ଡମେମ୍ବର ସାମିଲ ହୋଇଥିଲେ। 

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.