ବଙ୍ଗଳା ଗଳ୍ପ କବିତା ଶୁଣାଇଲେ ଯୁବ ଲେଖକ
ଓଡ଼ିଆ ବାର୍ତ୍ତା/ କୋଲକାତା (ରଜତ ବଂଶଲ): ସାହିତ୍ୟ ଏକାଡେମୀ ଏବଂ ନିଉ ଅଲିପୁର ମହାବିଦ୍ୟାଳୟ, କୋଲକାତାର ମିଳିତ ଆନୁକୂଲ୍ୟରେ ଏକ ମୁଲାକାତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଜୟଦୀପ ଷଡ଼ଙ୍ଗୀ କାର୍ଯ୍ୟକ୍ରମ ଉଦ୍ଘାଟନ କରିଥିବାବେଳେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ସାହିତ୍ୟ ଏକାଡେମୀ କୋଲକାତା କାର୍ଯ୍ୟାଳୟର ଭାରପ୍ରାପ୍ତ ଅଧିକାରୀ କ୍ଷେତ୍ରବାସୀ ନାଏକ। ଶ୍ରୀ ନାଏକ ନିଜ ବକ୍ତବ୍ୟରେ ଯୁବ ଲେଖକଙ୍କ କୃତିରେ ଥିବା ମାଟିର ବାସ୍ନା ଏବଂ ନୂତନ ବିଚାର ସଂପର୍କରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ ବିଶିଷ୍ଟ ଲେଖକ ତଥା ସାହିତ୍ୟ ଏକାଡେମୀର ବଙ୍ଗଳା ଉପଦେଷ୍ଟା ମଣ୍ଡଳୀର ସଦସ୍ୟ ବିଭାସ ରାୟ ଚୌଧୁରୀ। କାର୍ଯ୍ୟକ୍ରମରେ ସାହିତ୍ୟ ଏକାଡେମୀର ଯୁବ ପୁରସ୍କାରପ୍ରାପ୍ତ ପାଞ୍ଚ ଜଣ ବଙ୍ଗଳା ଲେଖକ ସ୍ୱରଚିତ ଗଳ୍ପ ଓ କବିତା ପାଠ କରିଥିଲେ। ସାଂପ୍ରତିକ ସମୟ ଏବଂ ବିଜ୍ଞାନର ମାୟାଜାଲ ଉପରେ ରଚିତ ଉପନ୍ୟାସର ଏକ ଅଂଶ ପାଠ କରିଥିଲେ ସମିକ ଘୋଷ। ମାନବୀୟ ଦ୍ୱନ୍ଦ୍ୱ ଏବଂ ମୃତ୍ୟୁ ଚେତନା ସଂପର୍କିତ ଏକ କ୍ଷୁଦ୍ରଗଳ୍ପ ଶୁଣାଇଥିଲେ ସାୟମ ବନ୍ଦୋପାଧ୍ୟାୟ। ସେହିପରି ପ୍ରେମ, ପ୍ରକୃତି ଏବଂ ବ୍ୟକ୍ତିଗତ ଅନୁଭବରେ ଭରପୂର ବଙ୍ଗଳା କବିତା ପାଠ କରିଥିଲେ ରାକା ଦାସଗୁପ୍ତ, ସମ୍ରାଜ୍ଞୀ ବନ୍ଦୋପାଧ୍ୟାୟ ଏବଂ ଗୌରବ ଚକ୍ରବର୍ତ୍ତୀ। ପଠିତ ଉପନ୍ୟାସ, ଗଳ୍ପ ଏବଂ କବିତା ଉପରେ ନିଜର ମତାମତ ଉପସ୍ଥାପନ କରିଥିଲେ ଶ୍ରୀ ଚୌଧୁରୀ। କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ବହୁ ବଙ୍ଗଳା ଲେଖକ ଲେଖିକା ଯୋଗ ଦେଇଥିଲେ।