• ଭାନପୁର, କମେଗାଁ ଓ ମୁସ୍କୁଟି ପ୍ରକଳ୍ପରୁ କେବୁଲ ତାର ଚୋରୀ
• ୪୦ ଥର ଚୋରୀ ହୋଇସାରିଲାଣି କେବୁଲ ତାର
• ଦୀର୍ଘ ଦିନ ଧରି ବନ୍ଦ ରହୁଛି ପାନୀୟ ଜଳ ଯୋଗାଣ
ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାର ୩୭ ଗୋଟି ସ୍ଥାନରେ ଆରଡବ୍ଲୁଏସଏସ ବିଭାଗ ତରଫରୁ ଚାଲିଛି ପାନୀୟ ଜଳ ଯୋଗାଣ ପ୍ରକଳ୍ପ। ସାନ୍ଦୁଲ ନଦୀ ଓ ବାଗପୁର ନଦୀ କଡରେ ରହିଥିବା ଗ୍ରାମ ଗୁଡିକୁ ପାନୀୟ ଜଳ ଯୋଗାଣ ଚାଲିଥିବା ବେଳେ ବାକି ସ୍ଥାନ ଗୁଡିକରେ ଓଭରହେଡ ଟାଙ୍କି କଡରେ ଇନଟେକ କୂଅ ନିର୍ମାଣ କରାଯାଇ ଚାଲିଛି ପାନୀୟ ଜଳ ଯୋଗାଣ। ବିଦ୍ୟୁତ ଖମ୍ବରୁ ଇନଟେକ କୂଅ ଯାଏଁ ପ୍ରାୟ ୧୦୦ ରୁ ୧୫୦ କେଉଁଠି ୨୦୦ ମିଟର ପର୍ଯ୍ୟନ୍ତ ଲାଗିଛି କେବୁଲ ତାର। ହେଲେ ଏକ ଚୋରଙ୍କ ଗ୍ୟାଙ୍ଗ ଅନବରତ କେବୁଲ ତାର ଚୋରୀ କରୁଥିବା ହେତୁ ଅନେକ ସ୍ଥାନରେ ପାନୀୟ ଜଳ ଯୋଗାଣ ଠପ ହୋଇପଡିଛି। ସୋମବାର ଭାନପୁର ଗ୍ରାମ ପଂଚାୟତର ଭାନପୁର ଓ କମେଗାଁ ପାଇଁ ଭଟାଖମାର ନିକଟରେ ସାନ୍ଦୁଲ ନଦୀ କୂଳରେ ରହିଥିବା ଜଳ ଯୋଗାଣ ପ୍ରକଳ୍ପରୁ କେବୁଲ ତାର ଚୋରୀ ହୋଇଛି। କମେଗାଁ ପ୍ରକଳ୍ପରୁ ୧୪ ମିଟର ଓ ଭାନପୁର ପ୍ରକଳ୍ପରୁ ୪୦ ମିଟର କେବୁଲ ତାର ଚୋରୀ ହୋଇଥିବା ନେଇ ନର୍ଲା ଥାନରେ ମଙ୍ଗଳବାର ଏତେଲା ଦେଇଛନ୍ତି ଭାନପୁର ସରପଞ୍ଚ ଅନନ୍ତରାମ ମାଝୀ। ସେହିଭଳି ମୁସ୍କୁଟି ପମ୍ପ ହାଉସରୁ ମଧ୍ୟ ୩୦ ମିଟର କେବୁଲ ତାର ଚୋରୀ ହୋଇଥିବା ସୂଚନା ଦେଇଛନ୍ତି ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ ନର୍ଲାର ସହକାରୀ ଯନ୍ତ୍ରୀ ସୁରେନ୍ଦ୍ର ସୁନାନୀ। ଭାନପୁର ଗ୍ରାମ ପଂଚାୟତରେ ଏହା ପ୍ରଥମ କେବୁଲ୍ ତାର ଚୋରୀ ଘଟଣା ନୁହଁ। ଏବକୁ ମିଶାଇ ୧୦ ଥର କେବୁଲ୍ ତାର ଚୋରୀ ହୋଇ ସାରିଲାଣି। ଥାନାରେ ବାରମ୍ବାର ଏତେଲା ମଧ୍ୟ ଦାଏର ହୋଇଛି। ହେଲେ ଫଳ ଶୂନ୍ୟ। କାର୍ଯ୍ୟାନୁଷ୍ଠାନ ଶୂନ୍ୟ ଯୋଗୁଁ ତାର ଚୋର ମାନେ ମଧ୍ୟ ବେଫିକର ହୋଇ ବାରମ୍ୱାର କେବୁଲ ତାର ଚୋରୀ କରୁଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ଆଲୋଚନ ହେଉଥିବା ଶୁଣିବାକୁ ମିଳୁଛି। ଶାନ୍ତପୁର, ଛତିକୁଡା, ଶେରଗଡ଼ ପ୍ରଭୃତି ଗ୍ରାମରେ ଚାଲିଥିବା ପାନୀୟ ଜଳ ଯୋଗାଣ ପ୍ରକଳ୍ପରୁ କେବୁଲ ତାର ଚୋରୀ ଯୋଗୁଁ ଗତବର୍ଷ ଖରାଦିନେ ସପ୍ତାହ ବ୍ୟାପୀ ବନ୍ଦ ହୋଇ ପଡିଥିଲା ପାନୀୟ ଜଳ ଯୋଗାଣ। ସେହିଭଳି ଗତ ବର୍ଷ ଜୁଲାଇ ମାସ ଶେଷ ସପ୍ତହରେ ଧୂବେନ, ସରିଆଁ, କେରାଣ୍ଡିଖୁଣ୍ଟି, ବାଗପୁର, ସେରଗଡ ଓ କର୍ମେରେ ରହିଥିବା ପାନୀୟ ଜଳ ପ୍ରକଳ୍ପ ଗୁଡିକରୁ ୧୫୦୦ ମିଟରରୁ ଉର୍ଦ୍ଧ୍ବ କେବୁଲ ତାର ଚୋରୀ ହୋଇଥିଲା। ବାରମ୍ବାର କେବୁଲ ତାର ଚୋରୀ ହୋଇ ନର୍ଲା ଥାନାରେ ଏତେଲା ଦାଏର କରାଯାଉଥିଲେ ମଧ୍ୟ କେବୁଲ ତାର ଚୋର କାହିଁକି ଧରାପଡୁନି ସେନେଇ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ବାଗପୁର ପାନୀୟ ଜଳ ପ୍ରକଳ୍ପରୁ କେବୁଲ ତାର ୩ ଥର ତାର ଚୋରୀ ହୋଇଯାଇଥିବା ବେଳେ କେସ ମଧ୍ୟ ୩ ଥର ଦାଏର ହୋଇଛି। ସେହିଭଳି କର୍ମେ ପାନୀୟ ଜଳ ପ୍ରକଳ୍ପରୁ ୬ ଥର କେବୁଲ ତାର ଚୋରୀ ହେଲାଣି ଏବଂ ଉକ୍ତ ଗ୍ରାମ ପଞ୍ଚାୟତ ତରଫରୁ ସରପଞ୍ଚ ଏତେଲା ମଧ୍ୟ ଦାଏର କରିଥଲେ। ବର୍ଷଟେ ହେଲାଣି କେସ ଦେଇ ହେଲେ କାହିଁକି ଧରାପଡୁ ନାହାନ୍ତି କୋବୁଲ ତାର ଚୋର ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। କେବୁଲ ତାର ଚୋରୀ ଯୋଗୁଁ ଉକ୍ତ ଅଞ୍ଚଳ ଗୁଡିକର ଜନସାଧାରଣ ସପ୍ତାହ ବ୍ୟାପୀ ପାନୀୟ ଜଳ ପାଇପାରୁ ନାହାନ୍ତି। ସମ୍ପୃକ୍ତ ଗ୍ରାମ ପଞ୍ଚାୟତ ଗୁଡିକ ତରଫରୁ ବାରମ୍ବାର କେବୁଲ ତାର କିଣି ଲଗାଯାଉଥିବା ବେଳେ ବାରମ୍ବାର ଚୋରୀ ହେଉଛି କେବୁଲ ତାର। ଚୋରମାନେ କେବୁଲତାର ଚୋରୀ କରି ସ୍ଥାନୀୟ କାବାଡିବାଲା ମାନଙ୍କ ପାଖରେ ବିକ୍ରୟ କରୁଥିବା ସାଧାରଣରେ ଆଲୋଚନା ହେଉଥିବା ବେଳେ ପୋଲିସ୍ କାହିଁକି ଧରି ପାରୁନି ଚୋର ମାନଙ୍କୁ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।
ବାରମ୍ଵାର କେବୁଲ ତାର ଚୋରୀ ହେଉଛି ଗ୍ରାମ ପଞ୍ଚାୟତ କେତେ ଟଙ୍କା ଖଟେଇବ। ଲୋକେ ହଇରାଣ ହେଉଛନ୍ତି। ଆମେବି ହଇରାଣ ହେଉଛୁ। ପୋଲିସ ଯଦି କେବୁଲ ତାର ଚୋରଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତା ତାହେଲେ ଚୋରମାନେ ବାରମ୍ଵାର କେବଲ ତାର ଚୋରୀ କରି ନଥାନ୍ତେ କି ଲୋକେ ବି ପାନୀୟ ଜଳ ପାଇଁ ହଇରାଣ ହେଉନଥାନ୍ତେ ବୋଲି ମତବ୍ୟକ୍ତ କରିଛନ୍ତି ଭାନପୁର ସରପଞ୍ଚ ତଥା ନର୍ଲା ସରପଞ୍ଚ ସଂଘ ସଭାପତି ଅନନ୍ତରାମ ମାଝୀ ଓ ଆରଡବ୍ଲୁଏସଏସର ସହକାରୀ ଯନ୍ତ୍ରୀ ସୁରେନ୍ଦ୍ର ସୁନାନୀ।