ଶୋଚନୀୟ ଅବସ୍ଥାରେ ମୁଖିଗୁଡା-ଖାତିଗୁଡା ରାସ୍ତା; ବହୁମୁଖୀ ଇନ୍ଦ୍ରାବତୀ ଜଳବିଦ୍ୟୁତ ପ୍ରକଳ୍ପ ବିଭାଗର ଅବହେଳା, ଖାଲଖମାରେ ଭର୍ତ୍ତି ହେଲାଣି ରାସ୍ତା

ଓଡ଼ିଆ ବାର୍ତ୍ତା/ ଥୁଆମୂଳ ରାମପୁର (ପ୍ରଦୀପ କୁମାର ପଣ୍ଡା): ବହୁମୁଖୀ ଇନ୍ଦ୍ରାବତୀ ଜଳବିଦ୍ୟୁତ ପ୍ରକଳ୍ପ ପାଇଁ ଜଳଭଣ୍ଡାର ନିର୍ମାଣ କାର୍ଯ୍ୟ ତଦାରଖ କରିବା ପାଇଁ ରାସ୍ତା ନିର୍ମାଣ ହୋଇଛି।୧୯୮୪/୮୫ ମସିହାରେ ପ୍ରକଳ୍ପ କାର୍ଯ୍ୟାଳୟ ମୁଖିଗୁଡା ଠାରୁ ଖାତିଗୁଡା ଭାୟା ମହୁଲପାଟଣା ଯାଏଁ ପ୍ରାୟ ୬୦ କିଲୋମିଟର ଲମ୍ବର ଏହି ରାସ୍ତାର ଅବସ୍ଥା ବର୍ତ୍ତମାନ ଅତ୍ୟନ୍ତ ଶୋଚନୀୟ।ଖାଲଖମାରେ ଭର୍ତ୍ତି ହୋଇସାରିଥିବା ଏହି ରାସ୍ତା ଯାନବାହନ ଚଳାଚଳରେ ମରଣଯନ୍ତା ପାଲଟିଛି।

ଜଳଭଣ୍ଡାର ନିର୍ମାଣ ପରେ ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟ ସହିତ ବ୍ଲକର ତଳନାଗୀ, ପାଡେପଦର ଏବଂ ମହୁଲପାଟଣା ଗ୍ରାମ ପଞ୍ଚାୟତର ଲୋକଙ୍କ ଗମନାଗମନ ପାଇଁ ଏହି ପ୍ରକଳ୍ପ ରାସ୍ତା ହିଁ ଏକମାତ୍ର ସାଧନର ମାର୍ଗ ହେଇପାରିଛି। କିନ୍ତୁ ଏହି ରାସ୍ତାର ମରାମତି ଉପରେ ଇନ୍ଦ୍ରାବତୀ ଜଳବିଦ୍ୟୁତ ପ୍ରକଳ୍ପ ବିଭାଗ ଅବହେଳା ପ୍ରଦର୍ଶନ କରୁଥିବା ବେଳେ ସରକାର ମଧ୍ୟ ଏଥିପ୍ରତି ଦୃଷ୍ଟି ଦେଉନଥିବା ଫଳରେ ଦିନକୁ ଦିନ ଏହି ରାସ୍ତାର ଅବସ୍ଥା ଶୋଚନୀୟ ହେବାରେ ଲାଗିଛି। ଚଳିତ ଲଘୁଚାପ ଜନିତ ବର୍ଷାରେ କେଉଁଠି ରାସ୍ତାକଡ ମାଟି ଧସିବାରେ ଲାଗିଥିବା ବେଳେ କେଉଁଠି ଆଣ୍ଠୁଏ ଆଣ୍ଠୁଏ କାଦୁଅ ଦେଖିବାକୁ ମିଳିଛି।

ବିପଦସଂକୁଳ ଅବସ୍ଥାରେ ମୁଖିଗୁଡା-ମହୁଲପାଟଣା ଘାଟି ରାସ୍ତା ରହିଥିବା ବେଳେ ମହୁଲପାଟଣା ଗାଁଠୁ ଥୁଆମୂଳ ରାମପୁର ବ୍ଲକ ସଦରମହକୁମା ସହିତ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ହାଇସ୍କୁଲ ଏବଂ ବଜାର ପଡିଆ ପାଖ ରାଜୀବ ଗାନ୍ଧୀ ଭାରତ ନିର୍ମାଣ ସେବାକେନ୍ଦ୍ର ନିକଟରେ ରାସ୍ତାକଡ ମାଟି ଧସିବାରେ ଲାଗିଛି। ଯଦି ଏବେଠୁ ରାସ୍ତା ମରାମତି କରାନଯାଏ ତେବେ ବ୍ଲକ ମୁଖ୍ୟାଳୟ ଏବଂ ମୁଖିଗୁଡାକୁ ଯୋଗାଯୋଗ ବିଚ୍ଛିନ୍ନ ହେବାର ଆଶଙ୍କା ରହିଛି। ଏଥିସହିତ ମହୁଲପାଟଣା ଠାରୁ ପ୍ରକଳ୍ପ ରାସ୍ତାର ଇନ୍ ଟେକ୍ ଆଗ କୁମୁଡାସିଲ୍ ଛକ ରାସ୍ତା ଉପରେ ଆଣ୍ଠୁଏ ଆଣ୍ଠୁଏ କାଦୁଅ ଭାସୁଛି। ଫଳରେ ମହୁଲପାଟଣାର ବିଭିନ୍ନ ଗ୍ରାମ ସହିତ ପାଡେପଦର ଏବଂ ତଳନାଗୀ ପଞ୍ଚାୟତକୁ ପିଡିଏସ୍ ଚାଉଳ ଏବଂ ଆମ୍ବୁଲାନ୍ସ ଭଳି ଜରୁରୀକାଳୀନ ସେବାରେ ବାଧା ସୃଷ୍ଟି ହେବା ଆଶଙ୍କା ରହିଛି। ପ୍ରକଳ୍ପ ରାସ୍ତାର ଜଳଭଣ୍ଡାର କଡ ଏବଂ ମୁଖିଗୁଡା-ମହୁଲପାଟଣା ଘାଟିର ବିଭିନ୍ନ ସ୍ଥାନରେ ସୁରକ୍ଷା ବାଡ ନିର୍ମାଣ ହେଉଛି ସତ କିନ୍ତୁ ଏହି ରାସ୍ତା ମରାମତି ଉପରେ ଅବହେଳା କାହିଁକି ବୋଲି ପ୍ରଶ୍ନ ଉଠାଇଛନ୍ତି ଅଞ୍ଚଳବାସୀ। ଇନ୍ଦ୍ରାବତୀ ଜଳବିଦ୍ୟୁତ ପ୍ରକଳ୍ପ ବିଭାଗ ଦ୍ବାରା ନିର୍ମାଣ ହୋଇଥିବା

ଏହି ରାସ୍ତାକୁ ପୁର୍ତ୍ତ ବିଭାଗ ଅଧିନକୁ ଦିଆଯିବା ପାଇଁ ଇନ୍ଦ୍ରାବତୀ ଜଳବିଦ୍ୟୁତ ପ୍ରକଳ୍ପ ବିଭାଗ ପକ୍ଷରୁ ପ୍ରୟାସ କରାଯାଇଥିବା ସୂଚନା ରହିଥିବା ବେଳେ ଲାଞ୍ଜିଗଡ ବିଧାୟକଙ୍କୁ ମଧ୍ୟ ଏନେଇ ଅଞ୍ଚଳ ବାସୀ ଜଣାଇଥିବା କହିଛନ୍ତି। ଯଦି ଏହି ରାସ୍ତା ପୁର୍ତ୍ତ ବିଭାଗ ଅଧିନକୁ ଗଲେ ଉନ୍ନତ ଏବଂ ରାସ୍ତାର ପ୍ରଶସ୍ତ କରଣ ହେଇପାରିବ। ଯେଉଁଥିରେ ମହୁଲପାଟଣା ସମେତ ପାଡେପଦର, ତଳନାଗୀ ପଞ୍ଚାୟତ ଏବଂ ଖାତିଗୁଡା ପର୍ଯ୍ୟନ୍ତ ଗମନାଗମନର ସୁବ୍ୟବସ୍ଥା ହୋଇପାରିବ ଏବଂ ଅଞ୍ଚଳ ବାସୀ ଉପକୃତ ମଧ୍ୟ ହେବେ ବୋଲି ଆଶା ବାନ୍ଧିଛନ୍ତି। ରାଜ୍ୟ ସରକାର ଯଥାଶୀଘ୍ର ସମ୍ଭବ ଏହି ରାସ୍ତାର ବିକଳ ସମସ୍ୟାର ସମାଧାନ କରନ୍ତୁ ବୋଲି ପ୍ରଭାବିତ ଅଞ୍ଚଳବାସୀ ଗଣମାଧ୍ୟମ ଜରିଆରେ ଗୁହାରୀ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.