ପୋଲାଣ୍ଡର କାଟୋଭିସଠାରେ ଉଇକିମାନିଆ ୨୦୨୪; ଓଡ଼ିଆ ଓ ସାନ୍ତାଳୀ ଉଇକିଆଳିଙ୍କ ଯୋଗଦାନ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଉଇକିମିଡ଼ିଆ ସମୁଦାୟ ତଥା ଉଇକିପିଡ଼ିଆର ବାର୍ଷିକ ଉତ୍ସବ ଭାବରେ ପାଳନ କରାଯାଉଥିବା ଆନ୍ତର୍ଜାତୀୟ କାର୍ଯ୍ୟକ୍ରମ ‘ଉଇକିମାନିଆ’ ଏଥର ପୋଲାଣ୍ଡର କାଟୋଭିସଠାରେ ଆୟୋଜନ କରାଯାଇଛି, ଯେଉଁଥିରେ ଓଡ଼ିଶାରୁ ଉଭୟ ଓଡ଼ିଆ ଓ ସାନ୍ତାଳି ଉଇକିଆଳିମାନେ (ଉଇକିପିଡ଼ିଆରେ ସ୍ୱେଚ୍ଛାସେବୀ ଭାବରେ ଲେଖୁଥିବା ବ୍ୟକ୍ତି) ଯୋଗ ଦେଇଛନ୍ତି । ପ୍ରତିବର୍ଷ ଅଗଷ୍ଟ ମାସରେ ପାଳନ କରାଯାଉଥିବା ଏହି କାର୍ଯ୍ୟକ୍ରମ ଏହି ବର୍ଷ ୭ ରୁ ୧୦ ଅଗଷ୍ଟ ଯାଏଁ ଚାରିଦିନ ବ୍ୟାପି ଚାଲିବ । ଓଡ଼ିଆ ଉଇକିମିଡ଼ିଆନ୍ସ ଇଉଜର୍ ଗ୍ରୁପ୍‌ର ସଦସ୍ୟ ସୁଭାସିସ ପାଣିଗ୍ରାହୀ, ଚିନ୍ମୟୀ ମିଶ୍ର ଓ ଅଲିଭା ସାହୁ ପ୍ରତିନିଧିତ୍ୱ କରିଥିଲେ । ବୃତ୍ତିରେ ଜଣେ ଇଞ୍ଜିନିୟର ତଥା ଉତ୍ସାହୀ ଉଇକିମିଡ଼ିଆନ୍ ଚିନ୍ମୟୀ ମିଶ୍ର ୨୦୧୫ ମସିହାରେ ଉଇକିମିଡ଼ିଆରେ ଯୋଗ ଦେଇଥିଲେ । ଭେଦଭାବ କିମ୍ବା ପକ୍ଷପାତରୁ ମୁକ୍ତ ହୋଇ ସମସ୍ତଙ୍କୁ ଆଗକୁ ବଢ଼ିବାର ଯଥେଷ୍ଟ ସୁଯୋଗ ଥିବା ଏକ ସମାବେଶୀ ସ୍ଥାନ ସୃଷ୍ଟି କରିବାର ପ୍ରୟାସ ପାଇଁ ସେ ଜଣାଶୁଣା । ଚିନ୍ମୟୀ ଏଥର ଉଇକିମାନିଆରେ ଚାରୋଟି କାର୍ଯ୍ୟକ୍ରମରେ ଭାଗ ନେଇଥିବା ବେଳେ ଉଇକି ଓମେନ୍ସ କ୍ୟାମ୍ପ ପାଇଁ ବିଶେଷ ଉପସ୍ଥାପନ କରିଛନ୍ତି ।

୨୦୧୫ ମସିହାରେ ଉଇକିମିଡ଼ିଆରେ ଯୋଗ ଦେଇଥିବା ଅନ୍ୟତମ ସକ୍ରିୟ ଉଇକିଆଳି ଅଳିଭା ସାହୁ ଓଡ଼ିଆ ଓ ହିନ୍ଦୀ ଉଇକିପିଡ଼ିଆରେ ସକ୍ରିୟ ଅବଦାନ କରି ଆସୁଛନ୍ତି । ସେ ଉଇକିମିଡ଼ିଆ କମନ୍ସ, ଓଡ଼ିଆ ଉଇକିପାଠାଗାର ଓ ଉଇକିଡାଟାରେ ମଧ୍ୟ ଅବଦାନ କରନ୍ତି । ଉଇକିମିଡ଼ିଆ ଡଚ୍‌ଲ୍ୟାଣ୍ଡର ସହାୟତାରେ ଅଲିଭା ପ୍ରଥମ କରି ଉଇକିମାନିଆରେ ଯୋଗ ଦେବାର ସୁଯୋଗ ପାଇଛନ୍ତି । ଏଥର ଉଇକିମାନିଆରେ ସାନ୍ତାଳୀ ଉଇକିପିଡ଼ିଆର ପ୍ରତିନିଧିତ୍ୱ କରୁଥିବା ରାମଜିତ ଟୁଡୁ, ଉଭୟ ଓଡ଼ିଆ ଓ ସାନ୍ତାଳୀ ଉଇକିପିଡ଼ିଆରେ ଜଣେ ସକ୍ରିୟ ସଦସ୍ୟ । ସେ ସାନ୍ତାଳୀ ଉଇକିପିଡ଼ିଆର ପ୍ରତିଷ୍ଠା ତଥା ଦ୍ରୁତ ଅଭିବୃଦ୍ଧି ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ସିଆଇଏସ୍-ଏ୨କେ ପକ୍ଷରୁ ଦିଆଯାଇଥିବା ସ୍କଲାରସିପ୍ ଜରିଆରେ ସେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଉଇକିପିଡ଼ିଆ ସହିତ ତାଙ୍କର ନିଜସ୍ୱ ଅନୁଷ୍ଠାନ ଓଲଚିକିଟେକ୍ ଓ ବୀରମାଳି ସାନ୍ତାଳୀ ଇ-ପତ୍ରିକା ଅଛି ଯେଉଁଥିରେ ସେ ସାନ୍ତାଳୀ ଭାଷାର ଡିଜିଟାଲ ସଶକ୍ତୀକରଣ ପାଇଁ ପ୍ରୟାସ ଜାରି ରଖିଛନ୍ତି ।

ଓଡ଼ିଆ ଉଇକିପିଡ଼ିଆରେ ଦୀର୍ଘଦିନ ଧରି ଯୋଗଦାନ କରି ଆସୁଥିବା ଶୈଳେଶ କ୍ରିଏଟିଭ୍ କମନ୍ସ ଲାଇସେନ୍ସରେ ଓଡ଼ିଆ ବିଷୟବସ୍ତୁ ଉପଲବ୍ଧ କରାଇବା ପାଇଁ ସରକାରଙ୍କ ସହ ମିଶି ଅନେକ କାର୍ଯ୍ୟ କରିଛନ୍ତି । ସେ ଏବେ ଉଇକିମିଡ଼ିଆ ଫାଉଣ୍ଡେସନ୍‌ର ଜଣେ କର୍ମଚାରୀ ଭାବରେ କାର୍ଯ୍ୟ କରୁଛନ୍ତି । ଓଡ଼ିଆ ଉଇକିପିଡ଼ିଆର ପରିଚ୍ଛା ସୁଭାସିଷ ପାଣିଗ୍ରାହୀ ୨୦୧୧ ମସିହାରୁ ଓଡ଼ିଆ ଉଇକିପିଡ଼ିଆରେ କାମ କରି ଆସୁଛନ୍ତି । ତାଙ୍କ ଉଦ୍ୟମରେ ୨୦୦୨ରୁ ପ୍ରଥମ ଦକ୍ଷିଣ ଏସୀୟ ଭାଷା ଭାବରେ ଉପଲବ୍ଧ ଥିବା ଓଡ଼ିଆ ଉଇକିପିଡ଼ିଆ ସକ୍ରିୟ ହୋଇଥିଲା । ଉଇକିପିଡ଼ିଆ ବ୍ୟତୀତ ଉଇକିପାଠାଗାର, ଉଇକିଡାଟା, ଲିଙ୍ଗୁଆ ଲିବ୍ରେରେ ତାଙ୍କର ବିଳିଷ୍ଠ ଯୋଗଦାନ ରହିଛି, ଯାହାକି ଓଡ଼ିଆ ଭାଷାକୁ ଇଣ୍ଟରନେଟ୍ ତଥା ଡିଜିଟାଲ୍ ଯୁଗରେ ସମୃଦ୍ଧ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଏହି ଆନ୍ତର୍ଜାତୀୟ କାର୍ଯ୍ୟକ୍ରମ ଉଇକିମାନିଆ ସମ୍ମିଳନୀରେ ଓଡ଼ିଶାର ଏହି ଉଇକିଆଳିଙ୍କ ଅଂଶଗ୍ରହଣ ଉଇକିମିଡ଼ିଆ ଇକୋସିଷ୍ଟମରେ ଓଡ଼ିଆ ଓ ସାନ୍ତାଳୀ ଭାଷା ସମ୍ପ୍ରଦାୟର ବଢ଼ୁଥିବା ଯୋଗଦାନ ଓ ଅବଦାନର ପ୍ରମାଣ । ଏହି ସମ୍ମାନଜନକ କାର୍ଯ୍ୟକ୍ରମରେ ସେମାନଙ୍କ ଉପସ୍ଥିତି ସେମାନଙ୍କ ଅନୁଭୂତି ବାଣ୍ଟିବା, ବିଶ୍ୱ ସମୁଦାୟଠାରୁ ଶିଖିବା ତଥା ଉଇକିମିଡ଼ିଆ ଆନ୍ଦୋଳନର ବହୁଭାଷୀ ପ୍ରୟାସକୁ ଆହୁରି ସୁଦୃଢ଼ କରିବାର ସୁଯୋଗ ପ୍ରଦାନ କରେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.