ପୁଣି ୧୦୦ ମିଟର ଦୌଡ଼ ଜାତୀୟ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ହାସଲ କଲେ ଲାଞ୍ଜିଗଡ଼ର ଲାଲୁ ପ୍ରସାଦ ଭୋଇ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ଼ ଆଶ୍ରମପଡାର ଲାଲୁ ପ୍ରସାଦ ଭୋଇ ବାଙ୍ଗାଲୋରରେ ଅନୁଷ୍ଠିତ ୧୦୦ ମିଟର ଜାତୀୟ ମୁକ୍ତ କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେଇ ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି। ଏହି କୀର୍ତ୍ତିମାନ ସ୍ଥାପନ ପାଇଁ ସେ ୧୦. ୪୬ ସେକେଣ୍ଡ ସମୟ ନେଇଥିଲେ।

ପଙ୍କରୁ ପଦ୍ମ ଫୁଟିବା ପରି ଗରିବ ପରିବାରର ଲାଲୁଙ୍କ ସଫଳତା ଲାଞ୍ଜିଗଡ଼ ଅଞ୍ଚଳର ଗୌରବକୁ ବହୁଗୁଣିତ କରିପାରିଛି। ପୂର୍ବରୁ ଲାଲୁ ୨୦୨୨ ମସିହା ମେ’ ମାସରେ ଇଣ୍ଡିଆନ୍ସ ଗ୍ରାଁ ଫ୍ରି-୪ରେ ପୁରୁଷ ଲମ୍ବ ଡିଆଁରେ (୭.୫୮ମିଟର) ତୃତୀୟ ସ୍ଥାନ ଅଧିକାର କରି ୧୯ ବର୍ଷୀୟ ପ୍ରଥମ ଓଡ଼ିଆ ଭାବେ କଲମ୍ବିଆ କାଲି ଠାରେ ଆୟୋଜିତ ବିଶ୍ୱ କନିଷ୍ଠ ଦୌଡ଼କୂଦ ଲାଗି ଯୋଗ୍ୟତା ଅର୍ଜନ କରିଥିଲେ।

ସେହିପରି ୨୦୨୨ ନଭେମ୍ବର ମାସରେ ଆସାମ ଗୋହାଟିରେ ହୋଇଥିବା ୩୭ ତମ ଜାତୀୟ ଜୁନିୟର ଆଥଲେଟିକ ଚାମ୍ପିଅନସିପରେ ୨୦ ବର୍ଷ ବର୍ଗର ୧୦୦ ମିଟର ଦୌଡ଼ରେ ୧୦.୭୩ ସେକେଣ୍ଡରେ ରେକର୍ଡ କରି ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ତାଙ୍କର ସଫଳତାକୁ ନେଇ ଆଜି ଲାଞ୍ଜିଗଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା।

ଏଥିରେ ବିଦ୍ୟାଳୟର ଅଧ୍ୟକ୍ଷ ନିହାରକାନ୍ତ ବିଶ୍ଵାଳ, ଡ. ମାନସ ରଞ୍ଜନ ରଥ,ଅଧ୍ୟାପକ ବିକ୍ରମ ସ୍ଵାଇଁ, କାଶୀ ବିଶ୍ଵନାଥ ରଣସିଂହ, ଦିଲ୍ଲୀପ କୁମାର ମହନ୍ତ, ଉମାକାନ୍ତ ବେଣୁପାଣି ପ୍ରମୁଖ ଲାଲୁଙ୍କ କୃତିତ୍ଵ ପାଇଁ ଶୁଭେଛା ଜଣାଇବା ସଙ୍ଗେ ସଙ୍ଗେ ତାଙ୍କର ଉନ୍ନତି କାମନା କରିଥିଲେ। ଅତୀତରେ ଲାଲୁ ଏହି ବିଦ୍ୟାଳୟରୁ ତାଙ୍କର ଜୟଯାତ୍ରା ଆରମ୍ଭ କରିଥିଲେ।

ଏହି ସଭାରେ ଲାଲୁଙ୍କ ବାପା କାର୍ତ୍ତିକ ଚନ୍ଦ୍ର ଭୋଇ ଓ ମା ଗୋଲାପି ଭୋଇ ମଧ୍ୟ ଉପସ୍ଥିତ ଥିଲେ। ସେମାନେ ପୁଅର ସଫଳତାରେ ଅତ୍ୟନ୍ତ ଖୁସି ବ୍ୟକ୍ତ କରିଥିବା ବେଳେ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟୁ ଥିବା ଦେଖିବାକୁ ମିଳୁଛି। ଏହି ଖବର ଶୁଣିବା ପରେ ଲାଞ୍ଜିଗଡ ବ୍ଲକ ଅଞ୍ଚଳରେ ଖୁସିର ଲହରି ଖେଳି ଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.