(ବିଶ୍ଵ ପ୍ରାଥମିକ ଚିକିତ୍ସା ଦିବସ ଅବସରରେ)
ଦୈନନ୍ଦିନ ଜୀବନରେ ଦୁର୍ଘଟଣା ସହ ସାମ୍ନା କରିବା ସାଧାରଣ ଘଟଣା ହେଇଗଲାଣି। ଦୁର୍ଘଟଣା ସମୟରେ ଉପଯୁକ୍ତ ପ୍ରାଥମିକ ଉପଚାର ଦିଆଗଲେ ଅନେକ ଲୋକ ଉପଶମ ପାଇବା ସହ ଜୀବନ ମଧ୍ୟ ବଞ୍ଚିଯାଇ ପାରିବ। ତେଣୁ ପ୍ରାଥମିକ ଚିକିତ୍ସା ବିଷୟରେ ଜାଣିବା ନିହାତି ଜରୁରୀ। ପ୍ରାଥମିକ ଚିକିତ୍ସାର ଗୁରୁତ୍ଵକୁ ଅନୁଭବ କରି ଇଣ୍ଟରନେସନାଲ ଫେଡେରେସନ ଅଫ୍ ରେଡକ୍ରସ୍ ଆଣ୍ଡ ରେଡ୍ କ୍ରିସାଣ୍ଟ ସୋସାଇଟି ୨୦୦୦ ମସିହାରେ ସେପ୍ଟେମ୍ବର ମାସର ଦ୍ବିତୀୟ ଶନିବାରକୁ ବିଶ୍ବ ପ୍ରାଥମିକ ଚିକିତ୍ସା ଦିବସ ରୂପରେ ଘୋଷଣା କରିଥିଲେ। ସେହି ବର୍ଷ ଠାରୁ ପ୍ରତିବର୍ଷ ସେପ୍ଟେମ୍ବର ମାସର ଦ୍ବିତୀୟ ଶନିବାରକୁ ପ୍ରାଥମିକ ଚିକିତ୍ସା ଦିବସ ଭାବରେ ପାଳନ କରାଯାଉଛି। ଚଳିତ ବର୍ଷର ବାର୍ତ୍ତା ହେଉଛି “ପ୍ରାଥମିକ ଚିକିତ୍ସା ଓ ସ୍ପୋଟର୍ସ”। ସ୍ପୋର୍ଟସ ପ୍ରାଥମିକ ଚିକିତ୍ସାକୁ ଗୁରୁତ୍ଵ ଦେଲେ ସାଧାରଣ ଦୁର୍ଘଟଣା ସବୁ ଏଡେଇ ହେବା ସହ ଖେଳ କସରତ ଆହୁରି ଉପଭୋଗ୍ୟ ହୋଇପାରିବ। ଅଷ୍ଟାଦଶ ଓ ଉନବିଂଶ ଶତାବ୍ଦୀରେ ବିଭିନ୍ନ ପ୍ରକାରର ମାନବୀୟ ସଂଗଠନ ପ୍ରାଥମିକ ଚିକିତ୍ସା ପଦ୍ଧତିକୁ ସାଧାରଣ ଶିକ୍ଷାରେ ସାମିଲକୁ ଚେଷ୍ଟା କରିଥିଲେ। ୧୮୫୯ରେ ସଂଘଟିତ ସଲଫରିନୋ ଯୁଦ୍ଧ ସମୟରେ ହେନେରୀ ଡୁନାଣ୍ଟ ଯୁଦ୍ଧରେ ପୀଡ଼ିତ ମାନଙ୍କର ଦୁଃଖରେ ମ୍ରିୟମାଣ ହୋଇ ପୀଡ଼ିତ ମାନଙ୍କର ଉପଚାର କରିଥିଲେ। ଏହି ଯୁଦ୍ଧକୁ ପ୍ରତ୍ୟକ୍ଷ ଭାବରେ ଦେଖିଥିବା ର କାହାଣୀକୁ ସଲଫରିନୋ ସ୍ମୃତି ନାମକ ପୁସ୍ତକରେ ଉଲ୍ଲେଖ କରିଥିଲେ। ୧୮୬୩ ମସିହାରେ ଇଣ୍ଟରନେସନାଲ କମିଟି ଅଫ୍ ଦି ରେଡକ୍ରସ୍ ଗଠନ ପରେ ପ୍ରାଥମିକ ଉପଚାର ବିଷୟରେ ପ୍ରଶିକ୍ଷଣ ଦେବା ଆରମ୍ଭ କରିଥିଲେ। ବିଂଶ ଶତାବ୍ଦୀରେ ସାରା ପୃଥିବୀରେ ପ୍ରାଥମିକ ଉପଚାର ବିଷୟରେ ଶିକ୍ଷାଦାନ ବ୍ୟାପକ ହେବାରେ ଲାଗିଥିଲା। ବ୍ରିଟେନ ପ୍ରଥମ ଦେଶ ଯିଏ ଛାତ୍ରଛାତ୍ରୀମାନଙ୍କୁ ପ୍ରାଥମିକ ଚିକିତ୍ସା ବିଷୟରେ ପ୍ରଶିକ୍ଷଣ ଦେବା ଆରମ୍ଭ କରିଥିଲା। ୟୁରୋପ ମହାଦେଶରେ ଇଆରସି ଗଠନ କରି ପ୍ରାଥମିକ ଚିକିତ୍ସା ବିଷୟରେ ଚାଲିମ ଦେବା ସହ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ।
ଜର୍ମାନୀର ପ୍ରସିଦ୍ଧ ଭେଷଜ ଚିକିତ୍ସକ ଜେନେରାଲ ଏସମାର୍ଚ୍ଚଙ୍କୁ ପ୍ରାଥମିକ ଚିକିତ୍ସାର ଜନକ ବୋଲି କୁହାଯାଏ। ୧୮୭୭ ମସିହାରେ ଇଂଲଣ୍ଡରେ ସେଣ୍ଟ ଜନ ଆମ୍ବୁଲାନ୍ସ ଗଠନ ପରେ ପ୍ରାଥମିକ ଚିକିତ୍ସା ତାଲିମ୍ ବ୍ୟାପକ ହୋଇଥିଲା। ପ୍ରାଥମିକ ଚିକିତ୍ସା ହେଉଛି ପ୍ରାରମ୍ଭିକ ଚିକିତ୍ସା ଯାହା ଦ୍ବାରା ପୀଡ଼ିତର କଷ୍ଟ ଉପଶମ କରିବା ସହ ବଡ କ୍ଷୟକ୍ଷତିରୁ ବଞ୍ଚିତ କରିବ। ପ୍ରାଥମିକ ଚିକିତ୍ସା ହେଉଛି ପ୍ରଥମେ ପହଞ୍ଚିବା, ବିଜ୍ଞାତାର ସହ ପିଡୀତକୁ ଅନୁଧ୍ୟାନ କରିବା, ଉପସ୍ଥିତ ଘଟଣାରୁ ଦୁର୍ଘଟଣା ବିଷୟରେ ଜାଣିବା, ନିଜର ସୁରକ୍ଷା କରିବା, ସମୟ ଥାଇ ଚିକିତ୍ସା ଆରମ୍ଭ କରିବା, ସଚେତନ ହୋଇ ଚିକିତ୍ସା କରିବା ଓ ନିଷ୍ପତି ଗ୍ରହଣ କରିବା। ପ୍ରାଥମିକ ଚିକିତ୍ସାର ଲକ୍ଷ୍ୟ ହେଉଛି ସୁରକ୍ଷିତ ଜୀବନ, ଯନ୍ତ୍ରଣାକୁ ଉପଶମ କରିବା, କ୍ଷତ ଯେମିତି ଆହୁରି ଅଧିକା ନହେବ ସେଥିପାଇଁ ଯତ୍ନବାନ ହେବା, ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିବାର ବ୍ୟବସ୍ଥା କରିବା। ପ୍ରାଥମିକ ଚିକିତ୍ସା ଜଣକୁ ପ୍ରଦାନ କରିବାର କ୍ରମାନ୍ୱୟତାକୁ ଡିଆରଏସ ମେଥଡ ବା ଡି.ଆର.ଏସ.ସି.ଏ.ବି. କୁହାଯାଏ। ଏହା ହେଉଛି ନିଜ ଉପରେ କୌଣସି ବିପଦ ପରିସ୍ଥିତିର ସମ୍ମୁଖୀନ ହେବାକୁ ନ ଦେଇ ପୀଡ଼ିତର ଚେତା ଅଛି କି ନାହଁ ଜାଣିବା। ସହଯୋଗ ବା ଆମ୍ବୁଲାନ୍ସ ପାଇଁ ପାଖରେ ଥିବା ଲୋକମାନଙ୍କୁ ୧୦୮ ବା ୧୧୨ ନମ୍ବରକୁ ଫୋନ କରିବା ପାଇଁ କହିବା। ଶ୍ବାସକ୍ରିୟା ପଥ ଅବରୋଧ ଅଛି କି ନାହିଁ, ଶ୍ବାସକ୍ରିୟା ଚାଲୁଛି କି ନାହଁ ପରୀକ୍ଷା କରିବା ପରେ ଉପଯୁକ୍ତ ପଦକ୍ଷେପ ଯତ୍ନର ସହ ନେବା। ପ୍ରାଥମିକ ଚିକିତ୍ସା ବିଷୟରେ ଜାଣିବା ପାଇଁ ଅଭ୍ୟାସ ଭଲ ଭାବରେ କରିବାକୁ ପଡ଼ିଥାଏ। ବାରମ୍ବାର ଅଭ୍ୟାସ କଲେ ସହଜରେ ପ୍ରାଥମିକ ଉପଚାରର ବିଭିନ୍ନ ପଦ୍ଧତି ସମ୍ପର୍କରେ ଜାଣିହୋଇଥାଏ। ବ୍ରିଟେନ, ଆମେରିକା, ଅଷ୍ଟ୍ରେଲିଆ, ଇରାନ, ଚୀନ ପରି ଦେଶରେ ବିଦ୍ୟାଳୟରେ ପ୍ରାଥମିକ ଚିକିତ୍ସା ବିଷୟରେ ସିଲାବସ ଅନ୍ତର୍ଭୁକ୍ତ କରି ଶିକ୍ଷାଦାନ କରାଯାଉଛି। ପ୍ରାଥମିକ ଚିକିତ୍ସାକୁ ସାରା ପୃଥିବୀରେ ବ୍ୟାପକ କରିବା ପାଇଁ ଇଣ୍ଟରନେସନାଲ ଫେଡେରେସନ ଅଫ୍ ରେଡକ୍ରସ୍ ଆଣ୍ଡ ରେଡ୍ କ୍ରିସାଣ୍ଟ ସୋସାଇଟି ଓ ଇଣ୍ଟରନେସନାଲ କମିଟି ଅଫ୍ ରେଡକ୍ରସ୍ କାର୍ଯ୍ୟରତ ଅଛନ୍ତି। ଭାରତରେ ସେଣ୍ଟଜନ ଆମ୍ବୁଲାନ୍ସ ପ୍ରାଥମିକ ଚିକିତ୍ସା ବିଷୟରେ ପ୍ରଶିକ୍ଷଣ ଦେଇଥାଏ। ସାଧାରଣ ଲୋକ ପ୍ରାଥମିକ ଉପଚାର ବିଷୟରେ ଜାଣନ୍ତି ନାହଁ। ସମସ୍ତ ଅଫିସ କର୍ମଚାରୀ, ଡ୍ରାଇଭର ,ବିଦ୍ୟାର୍ଥୀ ,ସମାଜସେବୀ ତଥା ସାଧାରଣ ଲୋକଙ୍କୁ ପ୍ରାଥମିକ ଚିକିତ୍ସା ବିଷୟରେ ପ୍ରଶିକ୍ଷଣ ଦେବା ପାଇଁ ବ୍ୟାପକ ବ୍ୟବସ୍ଥା କରିବା ଉଚିତ। ଭାରତରେ ପ୍ରାଥମିକ ଚିକିତ୍ସା ବିଷୟରେ ପ୍ରଶିକ୍ଷଣକୁ ବ୍ୟାପକ କରିବା ସହ ସ୍କୁଲ ସିଲାବସରେ ଅନ୍ତର୍ଭୁକ୍ତ କରାଗଲେ ବିଦ୍ୟାର୍ଥୀ ଜୀବନରୁ ପ୍ରାଥମିକ ଉପଚାର ବିଷୟରେ ଜ୍ଞାନ ଲାଭ କରିବା ସହ ଦୁର୍ଘଟଣା ସମୟରେ ଉପଯୁକ୍ତ ପ୍ରାଥମିକ ଉପଚାର ପ୍ରଦାନ କରିପାରିବ। ତେଣୁ ସରକାରଙ୍କୁ ନିବେଦନ ଏ ବିଷୟରେ ଉପଯୁକ୍ତ ପଦକ୍ଷେପ ନିଆଗଲେ ସମସ୍ତେ ଉପକୃତ ହେବେ।