ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଅଞ୍ଚଳବାସୀଙ୍କୁ ବିପଦ ମୁହଁକୁ ଠେଲିଦେଇଛି ବେଦାନ୍ତ କମ୍ପାନୀ। ଆଜିବି ବେଦାନ୍ତ ଦ୍ୱାରା ବିସ୍ଥାପିତ ଲୋକେ ନ୍ୟାୟ ପାଇଁ ଗୁହାରି କରୁଥିବାବେଳେ କମ୍ପାନୀ କର୍ତୃପକ୍ଷ ଆଖି ବୁଜି ଦେଇଛନ୍ତି। କମ୍ପାନୀ ସ୍ଥାପିତ ହୋଇ ୨୦ ବର୍ଷ ବିତିଯାଇଥିଲେ ହେଁ ଅଞ୍ଚଳର କୌଣସି ଆଖି ଦୃଶିଆ ଉନ୍ନତି ହୋଇପାରିନି। ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ଲଗାତାର ଅଣଦେଖା କରିଆସୁଛନ୍ତି ବେଦାନ୍ତ କର୍ତ୍ତୃପକ୍ଷ। ଲୋକଙ୍କଠାରୁ ଜମି, ଜାଗା, ଭିଟାମାଟି ନେଇ ରିଫାଇନେରୀ ପ୍ରକଳ୍ପ ସ୍ଥାପନ ପରେ ସେମାନଙ୍କ ସମସ୍ୟାକୁ ଭୁଲିଯାଇଛି କମ୍ପାନୀ। ଅଂଚଳବାସୀଙ୍କୁ ବିକାଶର ସୁନେଲୀ ସ୍ବପ୍ନ ଦେଖାଇ ବେଦାନ୍ତ ଭୁଆଁ ବୁଲେଇବା ଆଦୌ ଗ୍ରହଣୀୟ ନୁହେଁ। ଆମେ କମ୍ପାନୀ ବିରୋଧୀ ନୋହୁଁ। କମ୍ପାନୀ ଅଧିକରୁ ଅଧିକ ଲାଭ କରୁ, ଉନ୍ନତି କରୁ। ସେଇ ଢଙ୍ଗରେ ନିଜର ସାମାଜିକ ପ୍ରତିବଦ୍ଧତା କାୟମ ରଖୁ। ନିଜ ଦ୍ୱାରା ବିସ୍ଥାପିତ, ପ୍ରଭାବିତ ଜନସାଧାରଣଙ୍କୁ ଥଇଥାନ କରୁ, ନିଯୁକ୍ତି ଦେଉ, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଆଦି ଦିଗରେ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟ କରୁ। କିନ୍ତୁ ଲାଞ୍ଜିଗଡଠାରେ ପ୍ରକଳ୍ପ କରି କଟକ- ଭୁବନେଶ୍ୱର ଅଞ୍ଚଳରେ ଖର୍ଚ୍ଚ କଲେ ହେବନାହିଁ। ଏଇଠି ପ୍ରକଳ୍ପ ଅର୍ଥାତ ଏ ଅଞ୍ଚଳର ଲୋକଙ୍କ ଉନ୍ନତିକୁ କମ୍ପାନୀ ପ୍ରାଥମିକତା ଦେବା କଥା କିନ୍ତୁ କମ୍ପାନୀ ତାହା ନକରିବାରୁ ଆଜି ଲୋକେ ସମସ୍ୟା ଭୋଗୁଛନ୍ତି।
ସେହିପରି କମ୍ପାନୀର ବେପରୁଆ ମନୋଭାବ ଯୋଗୁଁ ପ୍ରୋସେସ ୱାଟର ଲେକ ଭୁଷୁଡ଼ିଲା ବୋଲି କହିବା ସହିତ ଶହଶହ ଏକର ଚାଷ ଜମିରେ ବିଷାକ୍ତ କଷ୍ଟିକ ପାଣି ମାଡ଼ିଯିବା, ନଦୀରେ ମାଛ ମରି ପଡିବା, ଲୋକେ ରୋଗାକ୍ରାନ୍ତ ହେବା ଭଳି ଗୁରୁତର ସମସ୍ୟାକୁ ନଜର ଅନ୍ଦାଜ କରିବା ପାଇଁ ବେଦାନ୍ତକୁ ବହୁମୂଲ୍ୟ ଦେବାକୁ ପଡିବ ବୋଲି ଖ୍ୟାତନାମା ସମାଜସେବୀ ତଥା ଡିଫାଇନ କଳାହାଣ୍ଡିର ଅଧ୍ୟକ୍ଷ ମଧୁ ମହାନ୍ତି କହିଛନ୍ତି।
ଆଜି ଦିନିକିଆ ଲାଞ୍ଜିଗଡ ଗସ୍ତରେ ଆସି ସେ ବେଦାନ୍ତ ଲିମିଟେଡ଼ ପ୍ରୋସେସ ୱାଟର ଲେକ ହୁଡ଼ା ଭାଙ୍ଗି କ୍ଷତିଗ୍ରସ୍ତ ହୋଇଥିବା ଅଞ୍ଚଳ ପରିଦର୍ଶନ କରି କ୍ଷତିଗ୍ରସ୍ତ ଚାଷୀ ଓ ଜନସାଧାରଣଙ୍କ ସହିତ ଆଲୋଚନା କରିଥିଲେ। କ୍ଷତିଗ୍ରସ୍ତ ହୋଇଥିବା ବଣ୍ଡେଲ, ଟୁରୀଗୁଡା ସମେତ ବନ୍ଧଗୁଡା, ଆରବିକେ କଲୋନୀ ବୁଲିବା ସହିତ କ୍ଷତିଗ୍ରସ୍ତ ପରିବାର ଓ ବିସ୍ଥାପିତ ପରିବାର ଲୋକଙ୍କୁ ଭେଟି ଆଲୋଚନା କରିଥିଲେ। ସେହିପରି ବେଦାନ୍ତ ମୁଖ୍ୟ ଫାଟକ ନିକଟରେ ସାମ୍ବାଦିକମାନଙ୍କ ସହିତ ଆଲୋଚନା ବେଳେ କ୍ଷୟକ୍ଷତିର ଆକଳନ ସହିତ ଆସନ୍ତା ଦଶ ଦିନ ମଧ୍ୟରେ ବେଦାନ୍ତ କଷ୍ଟିକ ପାଣି ଦ୍ୱାରା ପ୍ରଭାବିତ ଓ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସମସ୍ୟା ସମ୍ପର୍କରେ ଯଦି କମ୍ପାନୀ କୌଣସି ଠୋସ ପଦକ୍ଷେପ ନନେଲେ ଡିଫାଇନ କଳାହାଣ୍ଡି ପକ୍ଷରୁ ଭୟାବହ ଆନ୍ଦୋଳନ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି।
ଏଥିରେ ଜିଲ୍ଲାର ୧୩ଟି ବ୍ଲକ ଅଞ୍ଚଳରୁ ହଜାର ହଜାର ସଂଖ୍ୟାରେ ଯୁବକ ଯୁବତୀ, ସ୍ଥାନୀୟ ଜନସାଧାରଣ, ବିସ୍ଥାପିତ ଓ ନିଯୁକ୍ତି ଆଶାୟୀ ପରିବାର ସାମିଲ ହେବେ ବୋଲି ସେ କହିବା ସହିତ ସେତେବେଳେ କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜିଲେ କମ୍ପାନୀ କର୍ତ୍ତୃପକ୍ଷ ସଂପୂର୍ଣ୍ଣ ଭାବେ ଦାୟୀ ରହିବେ ବୋଲି ସେ ଦୃଢୋକ୍ତି କରିଛନ୍ତି। ଆଜିର ଗସ୍ତରେ ଶ୍ରୀ ମହାନ୍ତିଙ୍କ ସହିତ ଡିଫାଇନ କଳାହାଣ୍ଡିର ଆବାହକ ଜୟନ୍ତ କୁମାର ନାଏକ, ଚୋଳ ଶଙ୍କର କୁଅଁର, ରାମ ପାଣିଗ୍ରାହୀ, ବିଦ୍ୟାଧର ମୁଣ୍ଡ, ଚିତ୍ରସେନ ଜାଲ, କାଳିଆ ସରାଫ, ନାଦରାଜ ନାଏକ ପ୍ରମୁଖ ସାମିଲ ଥିଲେ। ଆଜି ପୂର୍ବାହ୍ନରେ ଶ୍ରୀ ମହାନ୍ତି ଲାଞ୍ଜିଗଡ ପହଂଚିବା ପରେ ତାଙ୍କର ଶତାଧିକ ଶୁଭେଛୁ ଓ ସମର୍ଥକ ତାଙ୍କୁ ସ୍ୱାଗତ କରିବା ସହିତ ଏକ ଶୋଭାଯାତ୍ରାରେ ପାଛୋଟି ନେଇଥିଲେ। ଏହାପରେ ଶ୍ରୀ ମହାନ୍ତି କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିବା ସହିତ ଏନେଇ ପ୍ରଶାସନ ଓ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବେ ବୋଲି ସୂଚନା ଦେଇଥିଲେ।