ଲାଞ୍ଜିଗଡ ପଞ୍ଚାୟତ ସମିତିର ନବମ ବୈଠକ: ବନବିଭାଗ, ଉଦ୍ୟାନ ବିଭାଗ ଓ କ୍ଷୁଦ୍ର ଜଳସେଚନ ବିଭାଗ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ପଞ୍ଚାୟତ ସମିତିର ନବମ ବୈଠକ ଆଜି ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁରସ୍ଥିତ ବ୍ଲକ ସମ୍ମିଳନୀ କକ୍ଷରେ ନବମ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କଳାହାଣ୍ଡି ଲୋକସଭା ସାଂସଦଙ୍କ ପ୍ରତିନିଧି ଭାଗିରଥୀ ଧଙ୍ଗଡ଼ାମାଝୀ, ଲାଞ୍ଜିଗଡ ବିଧାୟକ ପ୍ରତିନିଧି ପ୍ରଦୀପ କୁମାର ଘଡେଇ, ଜିଲ୍ଲା ପରିଷଦ ସଦସ୍ୟ ଅଞ୍ଜଳୀ ମାଝୀ, ପରୀକ୍ଷିତ ନାଏକ, ବ୍ଲକ ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାୟକ ପ୍ରମୁଖ ମଞ୍ଚାସୀନ ଥିଲେ। ଲାଞ୍ଜିଗଡ଼ ବିଡିଓ ଶଶାଙ୍କ ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ବୈଠକରେ ପଞ୍ଚାୟତ ଅଧିକାରୀ ପ୍ରଦୀପ କୁମାର ଠାକୁର ପୂର୍ବ ବୈଠକର ବିବରଣୀ ପାଠ କଲା ପରେ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, କୃଷି, କୁଟିଆ କନ୍ଧ ଉନ୍ନୟନ ସଂସ୍ଥା, ମନରେଗା, ଗ୍ରାମ୍ୟ ଗୃହ ନିର୍ମାଣ ସମେତ ଅନ୍ୟାନ୍ୟ ବିଭାଗ ସମ୍ପର୍କରେ ଆଲୋଚନା କରାଯାଇଥିଲା।

ସେହିପରି ବନବିଭାଗ ନାଁରେ ଗଦା ଗଦା ଅଭିଯୋଗ ହେଉଥିବାବେଳେ ବୈଠକରେ ବିଭାଗୀୟ କର୍ମକର୍ତ୍ତା ଅନୁପସ୍ଥିତ ଥିବାରୁ ପ୍ରବଳ ବର୍ଷିଥିଲେ ସରପଞ୍ଚ ଓ ସମିତି ସଭ୍ୟ/ସଭ୍ୟା ମାନେ। ସେହିପରି ବିଭିନ୍ନ ଯୋଜନାରେ ଲକ୍ଷ ଲକ୍ଷ ଟଙ୍କାର ଅନୁଦାନ ଆସୁଥିବାବେଳେ ଏଥିରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ହେଉଥିବା ନେଇ ଅଭିଯୋଗ ଆଣିଥିଲେ ସଭ୍ୟମାନେ। ସେହିପରି ପୂର୍ତ୍ତ, କ୍ଷୁଦ୍ର ଜଳସେଚନ ବିଭାଗରେ ମଧ୍ୟ ବଡ଼ ଧରଣର ଦୁର୍ନୀତି ହେଉଥିବାବେଳେ ଏହା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ରଖିଥିଲେ ସଦସ୍ୟମାନେ। ଏପରିକି ବ୍ଲକର ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ର, ଉପକେନ୍ଦ୍ରଗୁଡ଼ିକରେ ଆବଶ୍ୟକ କର୍ମଚାରୀ ଅଭାବ ଥିବାବେଳେ ସ୍ୱାସ୍ଥ୍ୟ କର୍ମୀ ଓ ମୋଟା ଅଙ୍କର ଦରମା ନେଉଥିବା କମ୍ୟୁନିଟି ହେଲଥ ଅଫିସରମାନେ ଡ୍ୟୁଟିରେ ଠକୁଥିବା ନେଇ ଅଭିଯୋଗ କରିଥିଲେ ସଦସ୍ୟମାନେ।

ଏନେଇ ସମିତି ବୈଠକରେ ପ୍ରୋସିଡିଂ ସହିତ ଜିଲ୍ଲାପାଳ ଓ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଭେଟିବୁ ବୋଲି ସଦସ୍ୟମାନେ ମତ ଦେଇଥିଲେ। କୃଷି ବିଭାଗର କ୍ଷେତ୍ର ଅଧିକାରୀମାନେ ମଧ୍ୟ ଦାୟିତ୍ୱରେ ଅବହେଳା ନେଇ ବୈଠକରେ ସଦସ୍ୟମାନେ ଉଦବେଗ ପ୍ରକାଶ କରିବା ସହିତ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରିଥିଲେ। ଏଥିରେ ବ୍ଲକର ୨୬ ଗୋଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଦସ୍ୟ, ସଦସ୍ୟା ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ କନିଷ୍ଠ ଯନ୍ତ୍ରୀ ସ୍ମିତାରାଣୀ ବିଶ୍ୱାଳ, ଗ୍ରାମ୍ୟ ଜଳଯୋଗାଣ ସହକାରୀ ଯନ୍ତ୍ରୀ ଦଶମତ ମାଝୀଙ୍କ ସହିତ ଅନ୍ୟମାନେ ସହଯୋଗ କରିଥିଲେ। ବୈଠକ ପରେ ବ୍ଲକ ସାମାଜିକ ସୁରକ୍ଷା ବିଭାଗ ତରଫରୁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଅରବିନ୍ଦ ମହାପାତ୍ରଙ୍କ ନେତୃତ୍ୱରେ ୮୨ ଜଣ ନୂତନ ହିତାଧିକାରୀଙ୍କୁ ମଧୁବାବୁ ପେନସନ ଯୋଜନାରେ ଭତ୍ତା ପ୍ରଦାନ କରାଯାଇଥିବାବେଳେ ୨୨ ଜଣ ହିତାଧିକାରୀଙ୍କୁ ଜାତୀୟ ପରିବାର ମଙ୍ଗଳ ଯୋଜନା ରାଶି ପ୍ରଦାନ ସମ୍ପର୍କରେ ଘୋଷଣା କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ପୀତବାସ ସାହୁଙ୍କ ସମେତ ଅନ୍ୟମାନେ ପରିଚାଳନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.