ଲାଞ୍ଜିଗଡ଼ ବ୍ଲକ ଯୋଗାଣ ସହାୟକ ସଂଘ ପକ୍ଷରୁ ବିଭିନ୍ନ ଦାବୀ ନେଇ ବିଡ଼ିଓଙ୍କୁ ଦାବିପତ୍ର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ବିଭିନ୍ନ ଦାବି ପୂରଣ ଦାବିରେ ଲାଞ୍ଜିଗଡ଼ ବ୍ଲକ ଯୋଗାଣ ସହାୟକ ସଂଘ ଆସନ୍ତା ୧୦ ତାରିଖରୁ ସାମୂହିକ ଛୁଟିରେ ଯିବାକୁ ଚେତାବନୀ ଦେଇଛି। ଏନେଇ ସଂଘ ପକ୍ଷରୁ ସଭାପତି ରାଜେନ୍ଦ୍ର କୁମାର ମହାଖୁଡ଼ଙ୍କ ନେତୃତ୍ୱରେ ସୋମବାର ଲାଞ୍ଜିଗଡ଼ ବିଡ଼ିଓ ଶଶାଙ୍କ ପାତ୍ରଙ୍କୁ ଏକ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଛି। ଏହି ଦାବିପତ୍ରରେ ଯୋଗାଣ ସହାୟକ ମାନଙ୍କ ନ୍ୟାୟୋଚିତ ଦାବି ପ୍ରତି ସରକାର ଏଯାବତ କର୍ଣ୍ଣପାତ କରୁନାହାନ୍ତି। ତେଣୁ ବାଧ୍ୟ ହୋଇ ଚଳିତ ମାସ ୧୦ ତାରିଖରୁ ସମସ୍ତେ ସାମୂହିକ ଛୁଟିରେ ଯିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ଜୁଲାଇ ଓ ଅଗଷ୍ଟ ମାସର ରାସନ ବଣ୍ଟନ ପାଇଁ ପ୍ରଶାସନ ଚାପ ପକାଉଥିବାବେଳେ ସଂଘ ପକ୍ଷରୁ ଏହାକୁ ବିନମ୍ରତାର ସହ ପ୍ରତ୍ୟାଖ୍ୟାନ କରାଯାଇଛି। ସଂଘ ଆହୁରି କହିଛି ଯେ ଜିଲ୍ଲା ପ୍ରଶାସନ, ବ୍ଲକ ପ୍ରଶାସନ ତଥା ପଞ୍ଚାୟତ କର୍ତ୍ତୃପକ୍ଷ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷରେ ଚାପପ୍ରୟୋଗ ନକରିବାକୁ କହିଛି। ସଂଘ କହିଛି, ଆମେ ପୂର୍ବରୁ ସରକାରଙ୍କୁ ଆମ ଦାବି ଜଣାଇସାରିଛୁ। କିନ୍ତୁ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇନଥିବାରୁ ଏପରି ନିଷ୍ପତ୍ତି ନେବାକୁ ପଡ଼ିଛି। ଆବଶ୍ୟକ ପଡ଼ିଲେ ଆମେ ବୃହତ୍ତର ଆନ୍ଦୋଳନକୁ ମଧ୍ୟ ଯିବୁ। ଏହି ଦାବିପତ୍ର ପ୍ରଦନ ସମୟରେ ସଂଘର ସାଧାରଣ ସମ୍ପାଦକ ନାରାୟଣ ପ୍ରସାଦ ନାୟକ, ତାପସ ରଞ୍ଜନ ଦଳାଇ, କୁଳମଣି ବେହେରା, ପ୍ରତାପ ବିଭାର, ଭାଗ୍ୟବାନ ମଙ୍ଗରାଜ ପ୍ରମୁଖ ଉପସ୍ଥିତ ଥିଲେ। ତେବେ ଯୋଗାଣ ସହାୟକମାନେ ଛୁଟିରେ ଗଲେ ରାସନ ବଣ୍ଟନ ପ୍ରକ୍ରିୟା ପ୍ରଭାବିତ ହେବା ଆଶଙ୍କା ରହିବ ବୋଲି ଅନୁମାନ କରାଯାଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.